ନୂଆଦିଲ୍ଲୀ,୯ା୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବାଧୀନ କେନ୍ଦ୍ରର ଏନଡିଏ ସରକାର ଏହାର କ୍ଷମତାର ୧୧ବର୍ଷ ପୂରଣ କରିଛି। ଏହି ଅବସରରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ସୋମବାର ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ସଫଳତା ସମ୍ପର୍କରେ କହିଛନ୍ତି। ନଡ୍ଡା କହିଛନ୍ତି ଯେ ଗତ ୧୧ ବର୍ଷ ମଧ୍ୟରେ ଦେଶର ରାଜନୈତିକ କ୍ଷେତ୍ରରେ ଏକ ପରିବର୍ତ୍ତନ ଦେଖିବାକୁ ମିଳିଛି। ୧୧ବର୍ଷ ପୂର୍ବେ ଦେଶରେ ଯେଉଁ ରାଜନୀତି ହେଉଥିଲା ତାହା ବିଭିନ୍ନ ଗୋଷ୍ଠୀ, ସମ୍ପ୍ରଦାୟ ଓ ବ୍ୟକ୍ତି ବିଶେଷଙ୍କୁ କିପରି ସନ୍ତୁଷ୍ଟ କରାଯିବ ତାହା ଉପରେ ଆଧାରିତ ଥିଲା। ଯାହା ତୁଷ୍ଟୀକରଣ ରାଜନୀତି ଭାବେ ପରିଚିତ। ନିଜର ଚୌକି ବଞ୍ଚାଇବା ପାଇଁ ସମାଜରେ ବିଭାଜନ ସୃଷ୍ଟି କରାଯାଉଥିଲା। ମାତ୍ର ନରେନ୍ଦ୍ର ମୋଦୀଙ୍କ ସରକାର କ୍ଷମତାକୁ ଆସିବା ପରେ ଦେଶରେ ତୁଷ୍ଟୀକରଣ ରାଜନୀତି ପରିବର୍ତ୍ତେ ବିକାଶମୂଳକ ରାଜନୀତି ଆରମ୍ଭ ହୋଇଛି। ନିର୍ଦ୍ଦିଷ୍ଟ ଗୋଷ୍ଠୀ, ସମ୍ପ୍ରଦାୟ ଓ ବ୍ୟକ୍ତିବିଶେଷଙ୍କ ବିକାଶ ପରିବର୍ତ୍ତେ ଦେଶର ସାମଗ୍ରିକ ବିକାଶକୁ ସରକାର ଗୁରୁତ୍ବ ଦେଇ ଶାସନ କାର୍ଯ୍ୟ ପରିଚାଳନା କରିଆସୁଛନ୍ତି। ଦେଶର ବିକାଶ ସହିତ ଉତ୍ତରଦାୟୀ ଓ ଦାୟିତ୍ବସମ୍ପନ୍ନ ସରକାର ଗଠନ କରିବାରେ ନରେନ୍ଦ୍ର ମୋଦୀ ସଫଳ ହୋଇଛନ୍ତି ବୋଲି ନଡ୍ଡା କହିଛନ୍ତି।
ବିକଶିତ ଭାରତ ଗଠନ ପାଇଁ ମୋଦୀଙ୍କ ଶାସନକାଳକୁ ଅମୃତକାଳ ବୋଲି ଦର୍ଶାଇବା ପୂର୍ବକ ନଡ୍ଡା କହିଛନ୍ତି ଯେ ଗତ ୧୧ବର୍ଷ ମଧ୍ୟରେ ଭାରତ ନିଜକୁ ଅନେକ କ୍ଷେତ୍ରରେ ଆତ୍ମନିର୍ଭର କରିପାରିଛି। ୨୦୧୪ ପୂର୍ବର ୟୁପିଏ ସରକାର ଦୁର୍ନୀତିରେ ବୁଡି ରହିଥିବାବେଳେ ବର୍ତ୍ତମାନର ସରକାରକୁ ଦୁର୍ନୀତି ସ୍ପର୍ଶ କରିପାରି ନାହିଁ। ମୋଦୀଙ୍କ ସରକାରଙ୍କ ମୂଳ ଆଧାର ହେଉଛି ସବ୍କା ସାଥ, ସବକା ବିକାଶ, ସବ୍କା ବିଶ୍ବାସ ଓ ସବ୍କା ପ୍ରୟାସ। ସମସ୍ତଙ୍କୁ ସମାନ ଅଧିକାର ଓ ସମାନ ନ୍ୟାୟ ପ୍ରଦାନ ଲାଗି ମୋଦୀ ସରକାର ନେଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ମଧ୍ୟ ନଡ୍ଡା ବର୍ଣ୍ଣନା କରିଛନ୍ତି। ଏସ୍ସି, ଏସ୍ଟି ଓ ଓବିସି ସମ୍ପ୍ରଦାୟଙ୍କ ବିକାଶ ପୂର୍ବକ ସେମାନଙ୍କୁ ସମାଜର ମୁଖ୍ୟସ୍ରୋତକୁ ଆଣିବା ଲାଗି ସରକାର ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି। ସେହିପରି ମହିଳାଙ୍କ ବିକାଶ ବିକାଶ ନିମନ୍ତେ ଲକ୍ଷପତି ଦିଦି ଯୋଜନା କାର୍ଯ୍ୟକାରୀ କରାଯାଇଛି। କେବଳ ବିକାଶ ନୁହେଁ, ଦେଶର ସୁରକ୍ଷା ଓ ସମାଜିକ ସ୍ଥିରତା ଲାଗି ସରକାର ଅନେକ କଠୋର ପଦକ୍ଷେପ ନେଇଛନ୍ତି। ଏହି କଠୋର ପଦକ୍ଷେପ ମଧ୍ୟରେ ରହିଛି ନାଗରିକତ୍ବ ସଂଶୋଧନ ଆଇନ ପ୍ରଣୟନ, ତିନି ତଲାକ ବ୍ୟବସ୍ଥାର ଉଚ୍ଛେଦ, ନୂଆ ୱାକଫ୍ ଆଇନ ପ୍ରଣୟନ, ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ର ଉଚ୍ଛେଦ, ମହିଳାଙ୍କ ପାଇଁ ସଂସଦ ଓ ବିଧାନସଭାରେ ୩୩% ସଂରକ୍ଷଣ ସୁବିଧା ଅନ୍ୟତମ।
ମୋଦୀଙ୍କ ନେତୃତ୍ବରେ ଦେଶ ଅାର୍ଥିକ ବିକାଶ ଦିଗରେ ଦ୍ରୁତ ଅଗ୍ରସର ହେଉଛି ବୋଲି ନଡ୍ଡା କହିଛନ୍ତି। ୧୧ବର୍ଷ ପୂର୍ବେ ଭାରତ ବିଶ୍ବ ଅର୍ଥନୀତିର ୧୦ମ ସ୍ଥାନରେ ରହିଥିଲା। ଏବେ ଭାରତ ବିଶ୍ବ ଅର୍ଥନୀତିର ୪ର୍ଥ ସ୍ଥାନକୁ ଉନ୍ନୀତ ହୋଇଛି। କରୋନା ମହାମାରୀ ପରିଚାଳନା କ୍ଷେତ୍ରରେ ଭାରତ ବିଶ୍ବ ନିକଟରେ ଉଦାହରଣ ପାଲଟିଥିଲା। ଭାରତରେ କରୋନା ଟିକାକରଣ ବ୍ୟବସ୍ଥା ସବୁଠାରୁ ବଡ ଟିକାକରଣ ବ୍ୟବସ୍ଥା ହୋଇଥିଲା। ଦେଶର ନାଗରିକଙ୍କୁ ମାଗଣାରେ ଟିକାକରଣ କରାଯାଇଥିଲା।
ବିକାଶ ତୁଷ୍ଟୀକରଣ ରାଜନୀତିର ଅବସାନ ଘଟାଇଛି: ନଡ୍ଡା
Popular Categories



