www.samajalive.in
Thursday, December 11, 2025
16.1 C
Bhubaneswar

ନୀଳ ସଙ୍କେତର ବିପଦ

କଟକ : ନିକଟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ଙ୍କ ନାମରେ ରହିଥିବା ଏକ ସାମାଜିକ ଗଣମାଧ୍ୟମ ଆକାଉଣ୍ଟ୍‌ରେ ‘ପାକିସ୍ତାନରେ ପରମାଣୁ ଜରୁରୀ ପରିସ୍ଥିତି’ ସମ୍ପର୍କରେ ବିଶଦ୍‌ ସୂଚନା ଦିଆଯାଇଥିଲା। ମିଥ୍ୟା ଖବର ପ୍ରସାରଣ କରିଥିବା ଏହି ଆକାଉଣ୍ଟ୍‌ଟି ପ୍ରକୃତରେ ଟ୍ରମ୍ପ୍‌ଙ୍କର ନୁହେଁ ଏବଂ ଜଣେ ଭାରତୀୟ ଖୋଲିଥିବା ଏବେ ସ୍ପଷ୍ଟ ହୋଇଛି। ଏ କ୍ଷେତ୍ରରେ ଅସଲ ସମସ୍ୟା ହେଲା ଉକ୍ତ ଆକାଉଣ୍ଟରେ ଦିଆଯାଇଥିବା ‘ବ୍ଲୁ ଟିକ୍’ ଚିହ୍ନ। ଯେଉଁମାନେ ସୋସିଆଲ୍ ମିଡିଆରେ ପ୍ରଭାବଶାଳୀ କିମ୍ବା ଲୋକପ୍ରିୟ ତଥା ଯାହାଙ୍କର ‘ଫଲୋଅର୍‌’ ସଂଖ୍ୟା ବହୁତ ଅଧିକ, ସୋସିଆଲ୍ ମିଡିଆ କମ୍ପାନୀଗୁଡ଼ିକ ପୂର୍ବରୁ ସେମାନଙ୍କ ପ୍ରୋଫାଇଲକୁ ପ୍ରାମାଣିକତା ପ୍ରଦାନ କରିବା ପାଇଁ ‘ବ୍ଲୁ ଟିକ୍‌’ ବ୍ୟବସ୍ଥା କରିଥିଲେ। ତେବେ ଯେବେଠାରୁ ଏହାକୁ ବ୍ୟାବସାୟିକ ଉଦ୍ଦେଶ୍ୟରେ ବ୍ୟବହାର କରାଗଲା, ଏହା ଏଭଳି ଭ୍ରମ ବଢ଼ାଇଚାଲିଛି। ଏଲନ୍‌ ମସ୍କଙ୍କ ‘ଏକ୍ସ’ ଅର୍ଥ ନେଇ ଏହି ‘ବ୍ଲୁ ଟିକ୍‌’ ସଙ୍କେତ ଯୋଗାଇ ଦେବାରୁ ବର୍ତ୍ତମାନ ଅସଲି-ନକଲି ଆକାଉଣ୍ଟ୍‌ କେଉଁଟି ବା ବ୍ୟକ୍ତି କିଏ ଜାଣିବା କଷ୍ଟକର ହୋଇଯାଇଛି।

ସଂପ୍ରତି ଏକ୍ସ କିମ୍ବା ଫେସବୁକ ଭଳି ସାମାଜିକ ଗଣମାଧ୍ୟମରେ ଦେଖାଯାଉଛି ଯେ ଅନେକ ନୀଳ ଟିକ୍‌ ଚିହ୍ନଯୁକ୍ତ ପ୍ରୋଫାଇଲ ପ୍ରକୃତରେ ନକଲି, ଯେଉଁମାନେ ଖବର ନାମରେ ମିଥ୍ୟା, ଉସୁକାଣିଆ ଏବଂ ହିଂସାତ୍ମକ ତଥ୍ୟ ବା ସୂଚନାର ପ୍ରଚାରପ୍ରସାର କରୁଛନ୍ତି। ସାମାଜିକ ଗଣମାଧ୍ୟମରେ ଯେ କୌଣସି ଖବର ମୁହୂର୍ତ୍ତକ ମଧ୍ୟରେ ଲକ୍ଷଲକ୍ଷ ଲୋକଙ୍କ ନିକଟକୁ ଚାଲିଯାଏ। ଯଦି ନୀଳ ଟିକ୍‌ ଚିହ୍ନଯୁକ୍ତ ଲୋକପ୍ରିୟ ପ୍ରୋଫାଇଲରୁ ତାହା ଯାଏ, ତେବେ ତାକୁ ଲୋକେ ସତ ଭାବି ଅଧିକ ଗୁରୁତ୍ବ ଦିଅନ୍ତି। ବ୍ୟକ୍ତି କିମ୍ବା ପ୍ରତିଷ୍ଠାନର ବିଶ୍ୱସନୀୟତାର ସୁଯୋଗ ନେଇ ଦୁଷ୍ଟଲୋକେ ଏଭଳି ଆକାଉଣ୍ଟ୍‌ ଖୋଲୁଛନ୍ତି। ଅବଶ୍ୟ କିଛି ଲୋକ  କେତେକ ଲୋକପ୍ରିୟ ବ୍ୟକ୍ତିଙ୍କ ନାମରେ ଆକାଉଣ୍ଟ ତିଆରି କରି ତାହା ମଜାକିଆ ବା ବ୍ୟଙ୍ଗାତ୍ମକ (ପାରୋଡି) ଆକାଉଣ୍ଟ ବୋଲି ଲେଖୁଛନ୍ତି। ଏହା ସତ୍ତ୍ବେ ଅନେକ ସମୟରେ ସାଧାରଣ ଲୋକଙ୍କ କଥା ଦୂରେ ଥାଉ, ଶିକ୍ଷିତ ସଚେତନ ଲୋକେ ମଧ୍ୟ ଭ୍ରମରେ ପଡ଼ୁଛନ୍ତି। ଅନେକ ନକଲି ଆକାଉଣ୍ଟ୍‌ରେ ତୀବ୍ର ରାଜନୈତିକ ଓ ଧାର୍ମିକ ବିଦ୍ୱେଷମୂଳକ ବାର୍ତ୍ତା, ଫଟୋ ଓ ଭିଡିଓ ପ୍ରଚାର କରାଯାଉଛି। ସାଧାରଣ ଲୋକେ ଏହାକୁ କେବଳ ବିଶ୍ୱାସ କରୁନାହାନ୍ତି, ସେହି ଖବରଗୁଡ଼ିକୁ ନିଜେ ପ୍ରଚାର କରି ବିଭ୍ରାନ୍ତି ଓ ବିପଦକୁ ବହୁଗୁଣ ବୃଦ୍ଧି କରୁଛନ୍ତି।

- Advertisement -

ନକଲି ଖବରର ବିପଦ ନୂଆ କିମ୍ବା ଅଜଣା ନୁହେଁଟ୍ଟ କିନ୍ତୁ ପୂର୍ବରୁ ନକଲି ପ୍ରୋଫାଇଲ୍‌ଗୁଡ଼ିକୁ ସହଜରେ ଚିହ୍ନି ହେଉଥିବାବେଳେ ଏବେ ନୀଳ ଟିକ୍‌ ଚିହ୍ନଯୁକ୍ତ ନକଲି ପ୍ରୋଫାଇଲ୍‌ ଆସିବା ପରେ ଜାଣିବା ଜଟିଳ ହୋଇଯାଇଛି। ଏହି ଅପବ୍ୟବହାରକୁ ଚିହ୍ନଟ କରିବା ଓ ଉପଯୁକ୍ତ ପଦକ୍ଷେପ ନେବାର ପ୍ରଥମ ଦାୟିତ୍ୱ ସାମାଜିକ ଗଣମାଧ୍ୟମ କମ୍ପାନୀଗୁଡ଼ିକରଟ୍ଟ କିନ୍ତୁ ଏ ବିଷୟରେ ସେମାନଙ୍କର ବିଶେଷ ଆଗ୍ରହ ନାହିଁ। ସେମାନେ କେବଳ ଆପଣା ବ୍ୟାବସାୟିକ ସ୍ବାର୍ଥରକ୍ଷାକୁ ଗୁରୁତ୍ବ ଦିଅନ୍ତି। ଭାରତରେ ସାମାଜିକ ଗଣମାଧ୍ୟମର ପରିଚାଳନା ଓ ନିୟନ୍ତ୍ରଣ ବିଷୟରେ ଉପଯୁକ୍ତ ସରକାରୀ ଆଇନର ଅଭାବ ରହିଛି। ଆମ ଦେଶରେ ଏହି କାମ ଅବଶ୍ୟ କଠିନ, କାରଣ ଦେଖାଯାଉଛି ଯେ କ୍ଷମତାସୀନ ଶାସକ ଦଳର ଅନେକ ନେତା-ମନ୍ତ୍ରୀ ଏଭଳି ନକଲି ପ୍ରୋଫାଇଲ୍‌ଗୁଡ଼ିକୁ ‘ଫଲୋ’ କରନ୍ତି, ଯେଉଁଥିରୁ ଧାର୍ମିକ ଓ ରାଜନୈତିକ ହିଂସାକୁ ଉସୁକାଉଥିବା ସୂଚନାର ପ୍ରଚାରପ୍ରସାର କରାଯାଏ। କହିବା ବାହୁଲ୍ୟ ଯେ ସାମାଜିକ ଗଣମାଧ୍ୟମର ବ୍ୟବହାରକାରୀ ନାଗରିକଙ୍କ ଦାୟିତ୍ୱ ଏ କ୍ଷେତ୍ରରେ ସର୍ବାଧିକ ଗୁରୁତ୍ବପୂର୍ଣ୍ଣ। ନକଲି ସୂଚନା ବା ଖବରକୁ ଚିହ୍ନଟ କରିବା ପାଇଁ ନିଜସ୍ୱ ବୁଦ୍ଧି ଓ ବିଚାର-ବିବେଚନାକୁ କାମରେ ଲଗାଇବାକୁ ହେବ। ଆଶ୍ବାସନାର କଥା ଯେ କିଛି ବ୍ୟକ୍ତି ଓ ଅନୁଷ୍ଠାନ ନକଲି ସୂଚନା/ଖବର ଚିହ୍ନଟ କାମକୁ ମନଦେଇ କରୁଛନ୍ତି ଓ ନୀଳ ଟିକ୍‌ ଚିହ୍ନଯୁକ୍ତ ମିଥ୍ୟାଖବର ପ୍ରଚାରକଙ୍କ ମୁଖା ମଧ୍ୟ ଖୋଲୁଛନ୍ତି। ସୁତରାଂ କିଛି ଅଗ୍ରଗତି ତ ହୋଇଛି, ତଥାପି ଏ କ୍ଷେତ୍ରରେ  ଆଗକୁ କରିବା ପାଇଁ ବହୁତ କିଛି ବାକି ଅଛି।

Hot this week

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

Related Articles

Popular Categories