କଟକ : ଭାରତର ଜନସଂଖ୍ୟା ଏବେ ପ୍ରାୟ ୧୪୫କୋଟି। ଲୋକ ସଂଖ୍ୟା ଦୃଷ୍ଟିରୁ ଭାରତର ସ୍ଥାନ ବିଶ୍ବରେ ଏବେ ପ୍ରଥମ। ଜନସଂଖ୍ୟା ପ୍ରତିଯୋଗିତାରେ ଆମେ ଚୀନକୁ ପଛରେ ପକାଇ ଦେଇଥିବାବେଳେ ଚୀନଠାରୁ ବିଭିନ୍ନ କ୍ଷେତ୍ରରେ ପଛୁଆ। ଆମ ଜନସଂଖ୍ୟାର ବିଶେଷତ୍ବ ହେଲା ପ୍ରାୟ ୪୨ କୋଟି ଲୋକ ଯୁବବର୍ଗର ଏବଂ ସେମାନଙ୍କ ବୟସ ୧୫ରୁ ୨୯ବର୍ଷ ମଧ୍ୟରେ। ଅର୍ଥାତ୍ ଦେଶର ଜନସଂଖ୍ୟାର ପ୍ରାୟ ୨୯ ଶତାଂଶ ଲୋକ ତରୁଣ/ଯୁବକ। ସେ ଦୃଷ୍ଟିରୁ ଭାରତ ବିଶ୍ବର ଏକ ନମ୍ବର ଯୁବରାଷ୍ଟ୍ର। ଜନସଂଖ୍ୟାର ଏକ ବଡ଼ ଭାଗ ଯୁବବର୍ଗର ହୋଇଥିବାରୁ ସେମାନେ କାମ କରିବାକୁ ସମର୍ଥ ଓ ନିଯୁକ୍ତି ଖୋଜନ୍ତି। ବିଡ଼ମ୍ବନା ହେଲା ଆମ ଯୁବଶକ୍ତିର ଦକ୍ଷତା ଓ ଶ୍ରମ କ୍ଷମତା ଅନ୍ୟରାଷ୍ଟ୍ରଙ୍କ ତୁଳନାରେ ଭଲ ନୁହେଁ। ନିତି ଆୟୋଗର ତଥ୍ୟ ଅନୁସାରେ ଜି-୨୦ ଦେଶଗୁଡ଼ିକ ମଧ୍ୟରେ ଭାରତୀୟ ଶ୍ରମିକଙ୍କ ଉତ୍ପାଦକତା ବହୁ ତଳେ। ନିତି ଆୟୋଗର ଉପାଧ୍ୟକ୍ଷ ସୁମନ ବେରୀ ଏହା ସ୍ବୀକାର କରିଛନ୍ତି। ତେବେ ଏହି ତାଲିକାରେ ଆମେ ବାସ୍ତବରେ ଚତୁର୍ଦଶ ସ୍ଥାନରେ ଅଛୁ। ତେଣୁ ୨୦୪୭ ସୁଦ୍ଧା ଭାରତର ଅର୍ଥନୀତିକୁ ୩୦ ଟ୍ରିଲିୟନ ଡଲାରରେ ପରିଣତ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଯେଉଁ ଲକ୍ଷ୍ୟ ରଖିଛନ୍ତି ତାହାକୁ ପୂରଣ କରିବାକୁ ହେଲେ ଆମକୁ ଆମ ଶ୍ରମିକଙ୍କ ଉତ୍ପାଦକତା ନିରନ୍ତର ବଢ଼ାଇବାକୁ ପଡ଼ିବ। ଏହା ଛଡ଼ା ଉତ୍ପାଦନ ବୃଦ୍ଧି ପାଇଁ ଅଧିକରୁ ଅଧିକ ଲୋକଙ୍କ ଶ୍ରମକୁ ବିନିଯୋଗ କରିବାକୁ ହେବ। ଆହୁରି ମଧ୍ୟ ନିଯୁକ୍ତି ଉତ୍ସକୁ ବିବିଧ କରିବାକୁ ପଡ଼ିବ।
ଆମ ଶିଳ୍ପ ଓ ଉଦ୍ୟୋଗ କ୍ଷେତ୍ର ସନ୍ତୋଷଜନକ ଭାବେ ଆଗେଇଚାଲିଛି। ଶ୍ରମ ଆଇନର ସଂଶୋଧନ ସହିତ ଅତ୍ୟାଧୁନିକ ପ୍ରଯୁକ୍ତିର ଉପଯୋଗ କରାଯାଉଛି। ଆମ ଶିଳ୍ପ-ବାଣିଜ୍ୟ ଜଗତ ଏବେ ପ୍ରସ୍ତୁତ ଥିଲେ ମଧ୍ୟ ଆମକୁ ଦକ୍ଷ ଓ ଅଧିକ ଉତ୍ପାଦନକ୍ଷମ ଲୋକଶକ୍ତି ମିଳୁନାହାନ୍ତି। ଏହା ନିଶ୍ଚିତ ଚିନ୍ତାର ବିଷୟ। ଶ୍ରମଶକ୍ତି ଆପଣା ଛାଏଁ ଦକ୍ଷ ଓ ଅଧିକ ଉତ୍ପାଦନଶୀଳ ହୁଏନାହିଁ। ଶ୍ରମିକ କର୍ମଚାରୀଙ୍କ ଦକ୍ଷତା ବିକାଶ ପାଇଁ ନିୟମିତ ତାଲିମ୍, ମଝିରେ ମଝିରେ ଦକ୍ଷତା ବିକାଶ ପାଇଁ ପ୍ରଶିକ୍ଷଣ ସହିତ ସେମାନଙ୍କୁ ନିଯୁକ୍ତି ଉପଯୋଗୀ କରିବାକୁ ପଡ଼ିବ। ଦକ୍ଷତା ବିକାଶ ପାଇଁ ସରକାରୀ ଓ ବେସରକାରୀ ସ୍ତରରେ ବିଭିନ୍ନ ଯୋଜନା କାର୍ୟ୍ୟକାରୀ ହେଉଛି। ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ମଧ୍ୟ ଅଗ୍ରାଧିକାର ଲାଭ କରିଛି। କୃଷି କ୍ଷେତ୍ରରେ ଯେଉଁ ୪୪ ଶତାଂଶ ଲୋକଶକ୍ତି ନିୟୋଜିତ ସେମାନଙ୍କର ଉତ୍ପାଦନ ହାର ଯଥେଷ୍ଟ କମ୍। ତେଣୁ ସେଥିରୁ ଲୋକଶକ୍ତିକୁ କାଢ଼ି ଅଧିକ ଉତ୍ପାଦନକ୍ଷମ କାମରେ ଲଗାଇବାକୁ ପଡ଼ିବ। ଆମ ଶ୍ରମଶକ୍ତିର ଦକ୍ଷତା, ସାମର୍ଥ୍ୟ ଓ ଉତ୍ପାଦକତା ସମ୍ପର୍କରେ ସରକାର ତଥା ନିତି ଆୟୋଗ ସଚେତନ। ତେଣୁ ଶ୍ରମିକ କର୍ମଚାରୀଙ୍କ ଉତ୍ପାଦକତା/ଦକ୍ଷତା ଯେ କ୍ରମଶଃ ବଢ଼ିବ ଏଥିରେ ସନ୍ଦେହ ନାହିଁ। ତେଣୁ ପ୍ରଧାନମନ୍ତ୍ରୀଙ୍କ ଲକ୍ଷ୍ୟପୂରଣ ଅସମ୍ଭବ ନୁହେଁ। ଆମକୁ ବିଶ୍ବାସ ରଖି ଯୋଜନାବଦ୍ଧ ଭାବେ ଆଗେଇବାକୁ ପଡ଼ିବ।



