ମୁମ୍ବାଇ : ଭାରତ ଓ ପାକିସ୍ତାନ ତିକ୍ତତାରେ ପରିସ୍ଥିତି ସାମାନ୍ୟ ଶାନ୍ତ ପଡିବା ପରେ ସୋମବାର ଭାରତୀୟ ସେୟାର ବଜାର ଉତ୍ତମ ପ୍ରଦର୍ଶନ କରିଛି । ସେନସେକ୍ସରେ ୨୯୦୦ରୁ ଅଧିକ ପଏଣ୍ଟ ବୃଦ୍ଧି ପାଇଛି । ନିଫ୍ଟି ୨୪୯୦୦ ପାର୍ କରିଛି । ଏପ୍ରିଲ ୨୦୨୧ ପରଠୁ ନିଫ୍ଟିରେ ଏହା ସବୁଠାରୁ ବଡ ବୃଦ୍ଧି ବା ପ୍ରାୟ ୪ ବର୍ଷରେ ପ୍ରଥମ ଥରେ ଏମିତି ବୃଦ୍ଧି ଦେଖିବାକୁ ମିଳିଛି ।
ବିଶେଷଜ୍ଞଙ୍କ କହିବାନୁସାରେ ଅସ୍ତ୍ରବିରତି ଖବର ଆସିବା ପରେ ଆଗାମୀ ଦିନ ସେୟାର ବଜାର ପାଇଁ ଉତ୍ତମ ରହିବ ବୋଲି ଆକଳନ କରାଯାଉଥିଲା । ଗତ ସପ୍ତାହରେ ସୀମାରେ ବିବାଦ ଯୋଗୁଁ ସେୟାର ବଜାରରେ ଲଗାତର ହ୍ରାସ ଦେଖିବାକୁ ମିଳିଥିଲା । ପ୍ରଥମେ ଟାରିଫ୍ ଓ୍ବାର୍ ଓ ପରେ ଭାରତ-ପାକ୍ ମଧ୍ୟରେ ତିକ୍ତତାର ପ୍ରଭାବ ଲଗାତର ସେୟାର ବଜାରରେ ଦେଖିବାକୁ ମିଳିଥିଲା । ତେବେ ଆଜି ସକାଳେ ବଜାର ୧୬୦୦ ପଏଣ୍ଟ ଉପରକୁ ଉଠିବା ସହିତ ସେନସେକ୍ସ ପ୍ରାୟ ୨୯୦୦ ପଏଣ୍ଟ ଉପରେ ରହିଥିଲା । ନିଫ୍ଟି ମଧ୍ୟ ସକାଳେ ୫୦୦ ପଏଣ୍ଟ ବଢିବା ସହିତ ପ୍ରାୟ ୭୫୦ ପଏଣ୍ଟ ଉପରେ ରହିଥିଲା । ଆଗାମୀ ଦିନ ସେୟାର ବଜାର ପାଇଁ ଉତ୍ତମ ରହିପାରେ ବୋଲି ଅନୁମାନ କରାଯାଉଛି ।



