କଲମପୁର: ନୂତନ ମଣ୍ଡି ନିର୍ମାଣ କାମରେ ବ୍ୟାପକ ଅନିୟମିତତା, ହେଲେ ନିଘୋଡ଼ ନିଦରେ ଶୋଇଛି ବିଭାଗ। ମୁଖିଗୁଡା ନିୟନ୍ତ୍ରଣ ବଜାର କମିଟି ଅଧିନରେ ଆସୁଛି କଲମପୁର ଅଞ୍ଚଳ। ଏହି ପରିପ୍ରେକ୍ଷୀରେ ଭିତ୍ତିଭୂମି ସଜାଡ଼ିବା ଆରମ୍ଭ କରିଛି ବିଭାଗ। କଲମପୁର ଅଞ୍ଚଳର କଲମପୁର, ବଙ୍କାପଲା, ପଣ୍ଡିଗାଁ ଆଦି ସ୍ଥାନରେ ମରାମତି ସମେତ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି। ଏସବୁ କାର୍ଯ୍ୟ ସ୍ଥଳରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ ହେଉଛି। ଏସବୁ ମଧ୍ୟରୁ ପଣ୍ଡିଗାଁ ମଣ୍ଡି ନିର୍ମାଣ କାର୍ଯ୍ୟ ଏହାର ଉଦାହରଣ ମାତ୍ର ପଣ୍ଡିଗାଁରେ ପୂର୍ବରୁ ଧାନ ମଣ୍ଡି ନ ଥିବା ବେଳେ ସେହି ଅଞ୍ଚଳର ଚାଷୀମାନେ କଲମପୁର ମଣ୍ଡି ଉପରେ ନିର୍ଭର କରି ଆସୁଥିଲେ। ଲୋକଙ୍କ ଦାବି ପରେ ତତ୍କାଳୀନ ସରକାର ପଣ୍ଡିଗାଁ ବୁଢ଼ାରଜା ମନ୍ଦିର ନିକଟରେ ମଣ୍ଡି ଶୁଭାରମ୍ଭ କରିଥିଲେ। ପରେ ସ୍ଥାନର ଅଭାବ ସହିତ ଯାନବାହାନ ଚଳାଚଳ ନେଇ ପ୍ରତିବନ୍ଧକ ହେବାରୁ ମଣ୍ଡି ପଣ୍ଡିଗାଁ ସାପ୍ତାହିକ ବଜାର ଆମ୍ବ ତୋଟାରେ ଚାଲୁ ରହିଛି। କୌଣସି ଭିତ୍ତିଭୂମି ନ ଥିବାରୁ ଏବେ ଏହି ମଣ୍ଡି ସିଂଘାରି ଛକ ନିକଟକୁ ସ୍ଥାନାନ୍ତର ହୋଇଛି। ସେଠାରେ ତହସିଲ ପକ୍ଷରୁ ୨ ଏକର ଜମି ଯୋଗାଇ ଦେବା ପରେ ମଣ୍ଡି ନିର୍ମାଣ କାର୍ଯ୍ୟ ଚାଲୁ ରହିଛି। କାର୍ଯ୍ୟ ସ୍ଥଳରେ ସୂଚନା ଫଳକ ଲାଗି ନ ଥିବାରୁ ଏହାର ଅଟକଳ ମୂଲ୍ୟ ଓ କାର୍ଯ୍ୟକର୍ତ୍ତା ଠିକଣା ଜଣା ପଡ଼ିନାହିଁ, ହେଲେ ଏହି କାର୍ଯ୍ୟ ୨ କୋଟି ଟଙ୍କାର ଓ କାର୍ଯ୍ୟକର୍ତ୍ତା ଅନ୍ୟ ବ୍ଲକର ବୋଲି ଗ୍ରାମବାସୀ କହିଛନ୍ତି। ସେଠାରେ କାମ କରୁଥିବା ମହିଳା ଶ୍ରମିକ ମାନେ ସକାଳୁ ଅପରାହ୍ନ ୩ ଘଣ୍ଟା ପର୍ଯ୍ୟନ୍ତ କାମ କରାଇ ଦିନକୁ ୨୨୦ ଟଙ୍କା ପାରିଶ୍ରମିକ ଦେଉଥିବା କହିଛନ୍ତି। ସେହି କାମରେ ଦୁଇ ଜଣ ନାବାଳିକା ମଧ୍ୟ ନିୟୋଜିତ ହୋଇ କାମ କରୁଛନ୍ତି।
ସରକାରଙ୍କ ନିୟମ ଅନୁସାରେ, କାମ ଆରମ୍ଭ କରିବା ପୂର୍ବରୁ ସୂଚନା ଫଳକ ଲଗାଇବାକୁ ନିର୍ଦ୍ଦେଶ ରହିଛି। ପୁଣି ଦିନ ୧୧ ଘଣ୍ଟା ପରେ କାମ ନକରାଇବାକୁ ସରକାର ନିୟମ କରିଛନ୍ତି, ହେଲେ ଏଠାରେ ସଂପୃକ୍ତ କାର୍ଯ୍ୟକର୍ତ୍ତା ଖୋଲାଖୋଲି ଏହି ନିୟମକୁ ଉଲଙ୍ଘନ କରୁଥିବା ବେଳେ କାର୍ଯ୍ୟସ୍ଥଳରେ କାର୍ଯ୍ୟକର୍ତ୍ତା ଓ ବିଭାଗୀୟ ଯନ୍ତ୍ରୀଙ୍କ ଦେଖା ଦର୍ଶନ ମିଳୁନାହିଁ। ଫଳରେ ଭଗବାନ ଭରସାରେ ଏହି କାର୍ଯ୍ୟ ଚାଲୁ ରହିଛି। କାର୍ଯ୍ୟରେ ସାମଗ୍ରୀଗୁଡ଼ିକର ଭାଗ ମାପରେ ବ୍ୟାପକ ଅନିୟମିତତା ହେଉଥିବା ବେଳେ ନିମ୍ନମାନର ସାମଗ୍ରୀ ବ୍ୟବହୃତ ହେଉ ଥିବାରୁ ଏହାର ସ୍ଥାୟିତ୍ବକୁ ନେଇ ଅଞ୍ଚଳବାସୀଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପରିତାପର ବିଷୟ ଏହିଯେ ଚୋରା ବିଦ୍ୟୁତ୍ ସଂଯୋଗ ନେଇ ବିଭାଗୀୟ ଦଳ ଚଡାଉ କରି ଲୋକଙ୍କୁ ହଇରାଣ ହରକତ କରିଥାନ୍ତି। କିନ୍ତୁ ଏହି କାର୍ଯ୍ୟସ୍ଥଳରେ ମାସାଧିକ କାଳ ହେଲା ଚୋରା ବିଦ୍ୟୁତ୍ ସଂଯୋଗ ହୋଇ ପାଣି ମୋଟର ଓ ଲୁହା କଟର ଯନ୍ତ୍ର ସମେତ ବିଭିନ୍ନ ଆନୁସଙ୍ଗିକ କାର୍ଯ୍ୟ କରାଯାଇ ଆସୁଛି ତଥାପି ବିଭାଗର ନଜର ପଡ଼ିପାରୁ ନାହିଁ। ଏନେଇ ମୂଖିଗୁଡା ନିୟନ୍ତ୍ରୀତ ବଜାର କମିଟି ସଂପାଦକ ଭୁବନେଶ୍ବର ବେହେରାଙ୍କୁ ପଚାରିବାରୁ ଉକ୍ତ ମଣ୍ଡି ବିଷୟ ଏକାଧିକ ଅଭିଯୋଗ ଆସୁଛି। ହେଲେ ଠିକାଦାର ବିଭାଗର କଥା ଆଦୌ ଶୁଣୁ ନ ଥିବା କହିଥିବାବେଳେ ବିଭାଗୀୟ ଯନ୍ତ୍ରୀ ଓ ଠିକାଦାରଙ୍କ ମିଲିଭଗତରେ ବେନିୟମ କାର୍ଯ୍ୟ ଚାଲୁଛି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି। ଏଥିପ୍ରତି ଉଚ୍ଚ କର୍ତ୍ତୃପକ୍ଷ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚାଷୀଙ୍କ ମହଲରେ ଦାବି ହେଉଛି।



