ନୂଆଦିଲ୍ଲୀ: ଜାମ୍ମୁ-କାଶ୍ମୀରର ପହଲଗାଓଁରେ ୨୬ ସାଧାରଣ ନାଗରିକଙ୍କୁ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦୀ ହତ୍ୟା କରିବା ପରେ ଭାରତ ପାକିସ୍ତାନକୁ ସବୁଆଡ଼ୁ ଘେରିବାକୁ ଚେଷ୍ଟା କରୁଛି। ଏହି ହତ୍ୟାର ଜବାବ ଦେବାକୁଯାଇ ଭାରତ ପାକିସ୍ତାନ ଉପରେ କୂଟନୈତିକ, ଡିଜିଟାଲ, ଜଳ ଓ ବାଣିଜ୍ୟ କଟକଣା ଜାରି କରିବା ପରେ ଏବେ ଆର୍ଥିକ କଟକଣା ଲଗାଇବାକୁ ଚେଷ୍ଟା କରୁଛି। ପାକିସ୍ତାନ ୧.୩ ବିଲିୟନ ଡଲାର ଋଣ ପାଇଁ ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍)କୁ ଅନୁରୋଧ କରିଥିବାବେଳେ ଭାରତ ଏହାକୁ ବିରୋଧ କରିଛି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଇସଲାମାବାଦକୁ ପାଣ୍ଠି ହ୍ରାସ କରିବାକୁ ଏସୀୟ ବିକାଶ ବ୍ୟାଙ୍କ (ଏଡିବି)କୁ ଅନୁରୋଧ କରିଛନ୍ତି। ଏଥିସହ ପାକିସ୍ତାନକୁ ଫାଇନାନ୍ସିଆଲ୍ ଆକ୍ସନ୍ ଟାସ୍କ ଫୋର୍ସ (ଏଫ୍ଏଟିଏଫ୍) ଧୂସର ତାଲିକାରେ ପୁନଃ ତାଲିକାଭୁକ୍ତ କରିବା ପାଇଁ ଭାରତ ଚେଷ୍ଟା ଚଳାଇଛି।
ସୋମବାର ଲୋମ୍ବାଡି ରାଜଧାନୀ ମିଲାନରେ ଅନୁଷ୍ଠିତ ବ୍ୟାଙ୍କର ବାର୍ଷିକ ବୈଠକରେ ଏଡିବି ସଭାପତି ମାସାଟୋ କାଣ୍ଡାଙ୍କ ସହ ତାଙ୍କର ସାକ୍ଷାତ ସମୟରେ ସୀତାରମଣ ପାକିସ୍ତାନକୁ ପାଣ୍ଠି ଯୋଗାଣ ହ୍ରାସ କରିବା ପାଇଁ ଦାବି କରିଛନ୍ତି। କାର୍ଯ୍ୟକ୍ରମ ଅବସରରେ ଏକ ଦ୍ୱିପାକ୍ଷିକ ବୈଠକ ସମୟରେ ସୀତାରମଣ ଇଟାଲୀ ଅର୍ଥମନ୍ତ୍ରୀ ଜିଆନକାର୍ଲୋ ଜିଓର୍ଗେଟିଙ୍କୁ ମଧ୍ୟ ସମାନ ଦାବି ଜଣାଇଛନ୍ତି। ନଗଦ ସଙ୍କଟଗ୍ରସ୍ତ ପାକିସ୍ତାନ ଆନ୍ତର୍ଜାତିକ ଆର୍ଥିକ ସହାୟତା ଉପରେ ଅତ୍ୟଧିକ ନିର୍ଭର କରେ। ବିଶେଷକରି ଏଡିବି ଏବଂ ଆଇଏମ୍ଏଫ୍ ଭଳି ସଂସ୍ଥାରୁ ଆର୍ଥିକ ଭିତ୍ତିଭୂମି ଠାରୁ ଜଳବାୟୁ ଅନୁକୂଳନ ପର୍ଯ୍ୟନ୍ତ ବିଭିନ୍ନ ବିକାଶ ପ୍ରକଳ୍ପ ନାମରେ ପାଣ୍ଠି ପାଇଥାଏ। ପାକିସ୍ତାନକୁ ପାଣ୍ଠି ଯୋଗାଣ ହ୍ରାସ କରିବା ପାଇଁ ସୀତାରମଣ ଏଡିବି ସଭାପତିଙ୍କୁ ଅନୁରୋଧ କରିଥିବାବେଳେ ସେ ଏହାକୁ ନିଶ୍ଚିତ କିମ୍ବା ଅସ୍ୱୀକାର କରିନାହାନ୍ତି। ଏଥିସହ ଗତ ବର୍ଷ ଆଇଏମ୍ଏଫ୍ ଦ୍ୱାରା ପାକିସ୍ତାନ ପାଇଁ ଅନୁମୋଦିତ ୭ ବିଲିୟନ ଡଲାର ସହାୟତା ପ୍ୟାକେଜ ଉପରେ ଆପତ୍ତି ଉଠାଇବାର ସମ୍ଭାବନା ରହିଛି।, ଯାହା ୨୦୨୪ ଜୁଲାଇରେ ତିନି ବର୍ଷର ଚୁକ୍ତି ଅନୁଯାୟୀ ଚୂଡ଼ାନ୍ତ ହୋଇଥିଲା। ଏହା ବ୍ୟତୀତ, ନୂଆଦିଲ୍ଲୀ ପାକିସ୍ତାନକୁ ଏଫ୍ଏଟିଏଫ୍ ଧୂଷର ତାଲିକାରେ ପୁନଃ ତାଲିକାଭୁକ୍ତ କରିବା ପାଇଁ ଚେଷ୍ଟା ଚଳାଇଛି। ଏହା ହେଲେ ପାକିସ୍ତାନ ପାଇଁ ବିଦେଶୀ ପାଣ୍ଠି ପାଇବା କଷ୍ଟକର ହୋଇପଡ଼ିବ। ଆତଙ୍କବାଦ ପାଇଁ ପାଣ୍ଠି ଯୋଗାଣ ନେଟୱାର୍କକୁ ବିପର୍ଯ୍ୟସ୍ତ କରିବା ଏବଂ ଆନ୍ତର୍ଜାତିକ ଅର୍ଥ ଯୋଗାଣ ବନ୍ଦ କରିବା ପାଇଁ ନୂଆଦିଲ୍ଲୀ ଏହି ପଦକ୍ଷେପ ନେଇଛି।
ପାକିସ୍ତାନକୁ ପାଣ୍ଠି ନ ଦେବାକୁ ଏଡିବି ଉପରେ ଚାପ
Popular Categories



