ରାଜ୍ୟପାଳଙ୍କ କ୍ଷମତା ଓ ଦାୟିତ୍ବ ଉପରେ ସୁପ୍ରିମକୋର୍ଟ ନିକଟରେ ଦେଇଥିବା ରାୟରେ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ମୁଖ୍ୟ ରାଷ୍ଟ୍ରପତିଙ୍କ ସମ୍ପର୍କରେ ମଧ୍ୟ କିଛି ମନ୍ତବ୍ୟ ରହିଛି। ବିଧାନସଭା ଦ୍ବାରା ଦ୍ବିତୀୟବାର ପାରିତ ବିଲ୍କୁ ଧାର୍ଯ୍ୟ ସମୟସୀମା ମଧ୍ୟରେ ସଂପୃକ୍ତ ଗୃହକୁ ଅନୁମୋଦନ ପୂର୍ବକ ପଠାଇବାକୁ କୁହାଯାଇଛି। ଏହି ରାୟକୁ ନେଇ ଦୁଇ ପ୍ରକାର ମତ ପ୍ରକାଶ ପାଇଛି। ଗୋଟିଏ ଗୋଷ୍ଠୀ ଏହାକୁ ସାମ୍ବିଧାନିକ ଦୃଷ୍ଟିରୁ ଯଥାର୍ଥ କହୁଥିବାବେଳେ ଅନ୍ୟ ଗୋଷ୍ଠୀଟି ପ୍ରଶ୍ନ ଉଠାଉଛନ୍ତି ଯେ ଏହା ନ୍ୟାୟପାଳିକାର ଅତିକ୍ରିୟା ଓ ଯଥେଚ୍ଛାଚାର। ଦେଶର ସାମ୍ବିଧାନିକ ମୁଖ୍ୟ ତଥା ତାଙ୍କ ଦ୍ବାରା ନିଯୁକ୍ତ ବିଚାରପତିଗଣ ରାଷ୍ଟ୍ରପତିଙ୍କୁ କୌଣସି ନିର୍ଦେଶ ଦେଇପାରିବେ ନାହିଁ। ଏହି ରାୟ ଅଭୂତପୂର୍ବ ଏବଂ ଏହା ଉପରେ ବିଶେଷଜ୍ଞ ମହଲରେ ତର୍ଜମା ଜାରି ରହିଛି। ଖୋଦ୍ ସରକାର, ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ସଂଯମ ଆଚରଣ କରି ଅଦାଲତ ନିର୍ଦେଶ ଉପରେ କୌଣସି ପ୍ରତିକ୍ରିୟା ଏ ଯାଏ ଦେଇନାହାନ୍ତି। ଏଭଳି ସମୟରେ ଉପରାଷ୍ଟ୍ରପତି ଜଗଦୀପ ଧନକଡ଼ ସୁପ୍ରିମକୋର୍ଟ ରାୟ ଉପରେ ଯେଉଁ ମନ୍ତବ୍ୟ ଦେଇଛନ୍ତି ତାହା ଆଲୋଡ଼ନ ସୃଷ୍ଟି କରିବା ସ୍ବାଭାବିକ। ସେ ରାଜ୍ୟସଭାର ଏକ କାର୍ଯ୍ୟକ୍ରମରେ ଏହି ରାୟକୁ ଘେନି ସୁପ୍ରିମକୋର୍ଟ ଓ ଏହାର ବିଚାରପତିଙ୍କୁ ଭର୍ତ୍ସନା କରିଛନ୍ତି। ସେ ସର୍ବୋଚ୍ଚ ଅଦାଲତକୁ ସୁପର ପାର୍ଲାମେଣ୍ଟ, ସମ୍ବିଧାନର ଧାରା ୧୪୨କୁ ଗଣତାନ୍ତ୍ରିକ ଶକ୍ତି ବିରୋଧରେ ସୁପ୍ରିମକୋର୍ଟର ଏକ ଆଣବିକ କ୍ଷେପଣାସ୍ତ୍ର ଭାବେ ବର୍ଣ୍ଣନା କରିଛନ୍ତି। ରାଜ୍ୟସଭାରେ ସେ ଏ ନେଇ ନିଜର ଅସନ୍ତୋଷ ବ୍ୟକ୍ତ କରିବା ସମୟରେ ଆହୁରି କହିଛନ୍ତି ଯେ ‘‘ଏବେ ଆମ ଦେଶରେ ବିଚାରପତି ଆଇନ ତିଆରି କରିବେ, କାର୍ଯ୍ୟପାଳିକାର କାମ କରିବେ, ସେମାନଙ୍କ ପାଇଁ ଦେଶର ଆଇନ ପ୍ରଯୁଜ୍ୟ ହୋଇନଥିବାରୁ ସେମାନଙ୍କର କୌଣସି ଉତ୍ତର ଦାୟିତ୍ବ ରହିବ ନାହିଁ।’’ ଗୋଟିଏ ବର୍ଗ କିପରି ଆଇନର ପରିସର ବାହାରେ ରହି ଆଇନଗତ ସୁରକ୍ଷା ଉପଭୋଗ କରୁଛନ୍ତି ତାହାକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି।
ଉପରାଷ୍ଟ୍ରପତି ନିଜେ ଜଣେ ଆଇନଜୀବୀ। ଜଣେ ଆଇନଜ୍ଞ ଓ ସାଧାରଣ ନାଗରିକ ଭାବେ ତାଙ୍କର ମତାମତ ଦେବାର ଅଧିକାର ଅଛି। ସେଥିରେ କାହାର କିଛି ଆପତ୍ତି ନାହିଁ। ଏହା ସତ୍ତ୍ବେ ପ୍ରସଙ୍ଗ ହେଲା ସେ ଏବେ ଏକ ସାମ୍ବିଧାନିକ ପଦରେ ରହିଛନ୍ତି ଯାହା ମୁଖ୍ୟତଃ ଆଳଙ୍କାରିକ। ଆଳଙ୍କାରିକ ହେଲେ ମଧ୍ୟ ସାମ୍ବିଧାନିକ ପଦରେ ଥିବା ଜଣେ ବ୍ୟକ୍ତି ସୁପ୍ରିମକୋର୍ଟ ବିରୋଧରେ ଅରୁଚିକର ଓ ବିବାଦୀୟ ମନ୍ତବ୍ୟ ଦେବା ଅନୁଚିତ। ଆହୁରି ମଧ୍ୟ ନିଜେ ଧନକଡ଼ ସେହି ବର୍ଗର ନେତା ଯିଏକି ପଶ୍ଚିମବଙ୍ଗର ରାଜ୍ୟପାଳ ଥିବାବେଳେ ବିଲ୍କୁ ଅଟକାଇ ରଖିବା ଓ ବିଧାନସଭା, ମୁଖ୍ୟମନ୍ତ୍ରୀ ଓ ଶାସକଦଳ ସହିତ ରୀତିମତ ଲଢ଼େଇ କରୁଥିଲେ। ତାଙ୍କ ଆଚରଣ ରାଜ୍ୟପାଳ ପଦର ଗରିମାକୁ ନ୍ୟୂନ କରିବା ସହିତ ବିଜେପିର ଜଣେ ସଦସ୍ୟ ଭାବେ ସେ କାର୍ଯ୍ୟ କରୁଥିଲେ। ତେଣୁ ମୂଳତଃ ଧନକଡ଼ ଓ ତାମିଲନାଡ଼ୁ ରାଜ୍ୟପାଳ ରବିଙ୍କ ଆଚରଣ ଓ ଉଚ୍ଚାରଣରେ ଏକ ପ୍ରକାର ଚରିତ୍ର। ନିଜର ପଦ ଓ ଗରିମାକୁ ନ୍ୟୂନ କରିଥିବା ବ୍ୟକ୍ତି ଏବେ ସୁପ୍ରିମକୋର୍ଟଙ୍କ ରାୟ ଉପରେ ପ୍ରତିକୂଳ ମନ୍ତବ୍ୟ ଦେବା ତାଙ୍କ ପଦ ମର୍ଯ୍ୟାଦାର ପରିପନ୍ଥୀ।
ଉପରାଷ୍ଟ୍ରପତିଙ୍କ ମନ୍ତବ୍ୟରେ କିଛି ଯଥାର୍ଥତା ଥାଇପାରେ ବା ତାଙ୍କୁ ଲୋକସମର୍ଥନ ମିଳିପାରେ। ଜଣେ ବ୍ୟକ୍ତି ହିସାବରେ ତାଙ୍କର ଏଭଳି ମତାମତ ଦେବାର ଅଧିକାର ଅଛି। ମାତ୍ର ଉପରାଷ୍ଟ୍ରପତି ଭାବେ ତାଙ୍କ ପାଇଁ ସାମ୍ବିଧାନିକ କଟକଣା ରହିଛି। ମୁଖ୍ୟତଃ ଆଳଙ୍କାରିକ ସାମ୍ବିଧାନିକ ପଦ (ଉପରାଷ୍ଟ୍ରପତି) ଅଧିକାର କରିଥିବା ବ୍ୟକ୍ତି ବିଶେଷଙ୍କର ଏଭଳି ମନ୍ତବ୍ୟ ଦେବା ଏହି ପଦ ପାଇଁ ଅନୁସୃତ ନୀତି ନିୟମ ଓ ପରମ୍ପରାର ବିରୋଧୀ। ସେ ଏ ପ୍ରସଙ୍ଗରେ ନିରବତା ଅବଲମ୍ବନ କରିବା ଅଧିକ ସ୍ପୃହଣୀୟ।
ଧନକଡ଼ କ୍ଷେପଣାସ୍ତ୍ର
Popular Categories



