ନିର୍ବାଚନ ମଣ୍ଡଳୀଗୁଡିକର ସୀମା ପୁନର୍ଗଠନକୁ ନେଇ ଦେଶ ବ୍ୟାପୀ ଚର୍ଚ୍ଚା ଆଲୋଚନା ଜୋର ଧରିଛି। ଆଗାମୀ ୨୦୨୬ ପରବର୍ତ୍ତୀ ଜନଗଣନାର ଚୂଡାନ୍ତ ରିପୋର୍ଟକୁ ଆଧାର କରି ନିର୍ବାଚନ ମଣ୍ଡଳୀର ସୀମା ଓ ସଂଖ୍ୟା ନିର୍ଦ୍ଧାରଣ ହେବା ସମ୍ଭାବନା ରହିଛି। ନିର୍ବାଚନ ମଣ୍ଡଳୀ ସୀମା ପୁନଃନିର୍ଦ୍ଧାରଣ ବିଧେୟକ ୨୦୦୨ ରେ ସ୍ପଷ୍ଟ ଭାବରେ ଉଲ୍ଲେଖ ଥିଲା ଯେ, ନିର୍ବାଚନ ମଣ୍ଡଳୀଗୁଡିକର ସ୍ଥିତି ୨୦୨୬ ମସିହା ପର୍ଯ୍ୟନ୍ତ ଅପରିବର୍ତ୍ତିତ ରହିବ। ତେଣୁ ୨୦୨୬ ମସିହା ପରବର୍ତ୍ତୀ ଜନଗଣନାକୁ ଆଧାର କରି ଆଗାମୀ ନିର୍ବାଚନ ମଣ୍ଡଳୀ ସୀମା ପୁନର୍ଗଠନ ହେବା ସୁନିଶ୍ଚିତ ବୋଲି ଜଣାପଡୁଛି। ଜନଗଣନା ରିପୋର୍ଟକୁ ଭିତ୍ତି କରି ଦେଶରେ ନିର୍ବାଚନ ମଣ୍ଡଳୀ ସୀମା ପୁନଃନିର୍ଦ୍ଧାରଣ ହୋଇଥାଏ। ନିର୍ବାଚନରେ ଦେଶର ପ୍ରତ୍ୟେକ ଅଞ୍ଚଳର ଜନସମୂହକୁ ସମାନ ଅଧିକାର ଦେବା ପାଇଁ ନିର୍ବାଚନ ମଣ୍ଡଳୀଗୁଡିକର ସୀମା ନିର୍ଦ୍ଧାରଣ କରାଯାଇଥାଏ। ଦେଶର ନିର୍ବାଚନ ମଣ୍ଡଳୀଗୁଡିକ ମଧ୍ୟରେ ଜନସଂଖ୍ୟା ଜନିତ ବିଷମତା ବା ତାରତମ୍ୟ ଦେଶ ଓ ରାଜ୍ୟର ଆଇନ ପ୍ରଣୟନକାରୀ ପ୍ରତିନିଧି ସଭାଗୁଡିକରେ ସମ୍ପୃକ୍ତ ଅଞ୍ଚଳର ଲୋକଙ୍କ ସ୍ୱରକୁ ଦୃଢ କିମ୍ବା ଦୁର୍ବଳ କରିଥାଏ। ଅଞ୍ଚଳ ଭିତ୍ତିରେ ଜନସମୂହର ଗଣତାନ୍ତ୍ରିକ ଅଧିକାରର ଶକ୍ତିକୁ ନେଇ ଭିନ୍ନତା ସୃଷ୍ଟି ହୋଇଥାଏ। ଫଳରେ ଆଞ୍ଚଳିକ ଭିତ୍ତିରେ ଜଣେ ବ୍ୟକ୍ତିକୁ ଗୋଟିଏ ଭୋଟ ମୂଲ୍ୟର ମୂଳ ଆଧରରେ ସମତୁଲତା ରହେ ନାହିଁ; ତେଣୁ ନିର୍ବାଚନ ମଣ୍ଡଳୀଗୁଡିକର ସୀମା ନିର୍ଦ୍ଧାରଣ ପାଇଁ ଦେଶର ସମ୍ବିଧାନରେ ବ୍ୟବସ୍ଥା ରହିଛି। ସମ୍ବିଧାନର ୮୨ ଅନୁଚ୍ଛେଦ ଅନୁଯାୟୀ ପ୍ରତ୍ୟେକ ଜନଗଣନା ଶେଷ ହେବା ପରେ ଜନସଂଖ୍ୟାର ଚୂଡାନ୍ତ ରିପୋର୍ଟକୁ ଭିତ୍ତି କରି ନିର୍ବାଚନ ମଣ୍ଡଳୀ ସୀମା ନିର୍ଦ୍ଧାରଣ କରାଯାଇଥାଏ। ଏକ ହାରାହାରି ଜନସଂଖ୍ୟାକୁ ସ୍ଥିର କରାଯାଇ ଦେଶର ଲୋକସଭା ଓ ରାଜ୍ୟର ବିଧାନସଭା ନିର୍ବାଚନମଣ୍ଡଳୀଗୁଡିକର ସୀମାରେଖା ସ୍ଥିର କରାଯାଇଥାଏ। ଗତ ୨୦୦୧ ଜନଗଣନା ଅନୁଯାୟୀ ଓଡ଼ିଶାର ଜନସଂଖ୍ୟା ପ୍ରାୟ ୩ ଲକ୍ଷ ୬୮ ହଜାର ଥିଲା। ତେଣୁ ବିଧାନସଭା ନିର୍ବାଚନ ମଣ୍ଡଳୀ ପିଛା ପ୍ରାୟ ୨ ଲକ୍ଷ ୫୦ ହଜାର ଜନସଂଖ୍ୟା ସ୍ଥିର କରାଯାଇଥିଲା। ପ୍ରଥମ ନିର୍ବାଚନ ମଣ୍ଡଳୀ ସୀମା ନିର୍ଦ୍ଧାରଣ ୧୯୫୨ ମସିହାରେ ହୋଇଥିବା ବେଳେ ଦ୍ୱିତୀୟ ୧୯୬୩ରେ, ତୃତୀୟ ୧୯୭୩ରେ ଏବଂ ଚତୁର୍ଥ ୨୦୦୨ ମସିହାରେ ସୀମା ନିର୍ଦ୍ଧାରଣ ଆଇନ ଦ୍ୱାରା କାର୍ଯ୍ୟକାରୀ କରାଯାଇଛି। ୧୯୭୩ ମସିହା ସୀମା ନିର୍ଦ୍ଧାରଣରେ ଶେଷଥର ପାଇଁ ନିର୍ବାଚନମଣ୍ଡଳୀ ସଂଖ୍ୟା ବୃଦ୍ଧି ପାଇଥିଲା। ନିର୍ବାଚନ ମଣ୍ଡଳୀ ସୀମା ପୁନଃନିର୍ଦ୍ଧାରଣ ପାଇଁ ଦେଶର ରାଷ୍ଟ୍ରପତି ସୀମା ପୁନଃନିର୍ଦ୍ଧାରଣ ଆୟୋଗକୁ ନିଯୁକ୍ତି ଦେଇଥାନ୍ତି। ନିର୍ବାଚନ ମଣ୍ଡଳୀ ପୁନର୍ଗଠନ ସମ୍ପର୍କିତ ଆୟୋଗଙ୍କ ଘୋଷଣାକୁ ଅଦାଲତରେ ମଧ୍ୟ ଚାଲେଞ୍ଜ କରାଯାଇ ପାରେ ନାହିଁ। ତେଣୁ ଜନଗଣନା ସମୟରେ ଅବିକଶିତ ଓ ପଛୁଆ ଅଞ୍ଚଳର ଜନସାଧାରଣ ଓ ପ୍ରଶାସନ ଅଧିକ ସଜାଗ ରହିବା ଆବଶ୍ୟକତା ରହିଛି। ଜନଗଣନା ହିଁ ନିର୍ବାଚନ ମଣ୍ଡଳୀ ସୀମା ପୁନଃନିର୍ଦ୍ଧାରଣର ମୁଖ୍ୟ ଆଧାର ହୋଇଥିଲେ ମଧ୍ୟ ଜନଗଣନା କାର୍ଯ୍ୟକ୍ରମକୁ ଭାରତରେ କୌଣସି ଦଳ କିମ୍ବା ସଂଗଠନ ଗୁରୁତ୍ୱ ଦିଅନ୍ତି ନାହିଁ। ଭୋଟର ତାଲିକା ସଂଶୋଧନ ସମୟରେ ବିଭିନ୍ନ ରାଜନୈତିକ ଦଳ ଓ ସଂଗଠନ ତାଙ୍କ କର୍ମକର୍ତ୍ତା ଓ ଅନୁଗାମୀମାନଙ୍କୁ ଦଳୀୟ ସ୍ୱାର୍ଥ ପାଇଁ କାର୍ଯ୍ୟରେ ନିୟୋଜିତ କରିଥାନ୍ତି; କିନ୍ତୁ ଜନଗଣନା ସମୟରେ ଆଦୌ ଆଗ୍ରହ ନିଅନ୍ତି ନାହିଁ। ତେଣୁ ୨୦୦୨ ତଥା ୨୦୦୩ ମସିହା ସଂଶୋଧିତ ନିର୍ବାଚନ ମଣ୍ଡଳୀ ପୁନର୍ଗଠନ ଆଇନ ୨୦୦୯ ମସିହା ସାଧାରଣ ନିର୍ବାଚନରେ ଓଡ଼ିଶା ବିଧାନସଭା ନିର୍ବାଚନରେ ଲାଗୁହେବା ପରେ ସମସ୍ତଙ୍କ ଅଲକ୍ଷ୍ୟରେ ଓଡ଼ିଶାର ବଲାଙ୍ଗିର ଜିଲାର ବିପୁଳ କ୍ଷତିର ସମ୍ମୁଖୀନ ହେଲା। ବଲାଙ୍ଗିର ଜିଲାର ଜନସଂଖ୍ୟା ଅଭିବୃଦ୍ଧି ହାର ୨୦୦୧ ମସହାରେ ଆଶ୍ଚର୍ଯ୍ୟଜନକ ଭାବେ ରାଜ୍ୟର ସର୍ବନିମ୍ନ ସ୍ଥାନରେ ଥିଲା ଏବଂ ୨୦୧୧ ମସିହାରେ ଅଭିବୃଦ୍ଧି ହାର ରାଜ୍ୟର ସର୍ବାଧିକ ଥିଲା। ଯଦି ୨୦୦୧ ରେ ଏହା ସ୍ୱାଭାବିକ ଅଭିବୃଦ୍ଧି ହୋଇଥାନ୍ତା ବଲାଙ୍ଗିର ଜିଲାରେ ଏକ ବିଧାନସଭା ନିର୍ବାଚନ ମଣ୍ଡଳୀ ଆଜି ଅଧିକ ଥାନ୍ତା। ଅବଶ୍ୟ ଏହା ବ୍ୟବସ୍ଥାକୃତ ତ୍ରୁଟି ନଥିଲା, ମଣିଷ କୃତ ତ୍ରୁଟି ଥିଲା। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ସୀମା ନିର୍ଦ୍ଧାରଣ ଆଇନ ୨୦୦୨ ତଥା ସଂଶୋଧିତ ୨୦୦୩କୁ ୨୦୦୧ ମସିହା ଜନ ଗଣନା ଆଧାରରେ କାର୍ଯ୍ୟକାରୀ କରାଯାଇଥିଲା। ରାଜ୍ୟ ଭିତ୍ତିରେ ନିର୍ବାଚନ ମଣ୍ଡଳୀ ବୃଦ୍ଧି କିମ୍ବା ହ୍ରାସ କରାଯାଇ ନଥିବାରୁ ଏହା ରାଜ୍ୟକୁ ପ୍ରଭାବିତ କରି ନାହିଁ କେବଳ ଜିଲାଗୁଡିକରେ ନିର୍ବାଚନ ମଣ୍ଡଳୀ ହ୍ରାସ କିମ୍ବା ବୃଦ୍ଧି ହୋଇଥିଲା। ତେଣୁ ରାଜ୍ୟ ପାଇଁ ଏହା ଏକ ଗୁରୁତ୍ୱହୀନ ବିଷୟ ଥିଲା। କେବଳ ଜିଲା ମଧ୍ୟରେ ହାଲୁକା ପ୍ରତିବାଦ ଥିଲା। ରାଜ୍ୟର ଅନ୍ୟ କେତେକ ଜିଲାରେ ମଧ୍ୟ ଏଭଳି ଦାବି ଉତ୍ଥାପନ ହୋଇଥିଲା। ୨୦୨୬ ମସିହା ପରେ ଘୋଷିତ ହେବାକୁ ଥିବା ଜନଗଣନା ସମଗ୍ର ଓଡ଼ିଶା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇପାରେ ତେଣୁ ଆଗାମୀ ଜନଗଣନା କାର୍ଯ୍ୟକ୍ରମକୁ ରାଜ୍ୟସ୍ତରରେ ସଠିକ୍ ଭାବେ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ସରକାର ଓ ରାଜ୍ୟବାସୀ ତତ୍ପର ହେବା ଆବଶ୍ୟକତା ରହିଛି। ଅତୀତର ଜନଗଣନା କାର୍ଯ୍ୟକ୍ରମଗୁଡିକୁ ଅବଲୋକନ କଲେ ଏ କଥା ସ୍ପଷ୍ଟ ଯେ, ଓଡ଼ିଶାରେ ଜନଗଣନା କାର୍ଯ୍ୟକ୍ରମରେ ନିଜର ଏବଂ ପରିବାରର ଅନ୍ୟମାନଙ୍କ ତଥା ବ୍ୟବସ୍ଥା ସହ ଯୋଡି ହୋଇ ନଥିବା ଆଖପାଖର ଲୋକଙ୍କ ନାମ ଓ ସଂଖ୍ୟାକୁ ସାମିଲ କରିବା ପାଇଁ ସେତେଟା ଆଗ୍ରହ ପ୍ରକାଶ ପାଇ ନଥାଏ। ଜନ୍ମ ନିୟନ୍ତ୍ରଣ ହାରରେ ରାଜ୍ୟମାନଙ୍କ ମଧ୍ୟରେ ତାରତମ୍ୟ ଯୋଗୁଁଁ ନିର୍ବାଚନମଣ୍ଡଳୀ ସଂଖ୍ୟା ବୃଦ୍ଧିକୁ ପ୍ରାୟ ୫୦ ବର୍ଷରୁ ଊର୍ଦ୍ଧ୍ବ ବର୍ଷ ଧରି ସ୍ଥିର ରଖାଯିବା ପରେ ଆଗାମୀ ସୀମାନିର୍ଦ୍ଧାରଣରେ ଏହା ବୃଦ୍ଧି କରାଯିବା ସମ୍ଭାବନା ରହିଛି। ଜନ୍ମ ନିୟନ୍ତ୍ରଣ ଜନସଂଖାକୁ ପ୍ରଭାବିତ କରିଥାଏ ଓ ଜନସଂଖ୍ୟା ରିପୋର୍ଟକୁ ନେଇ ନିର୍ବାଚନମଣ୍ଡଳୀ ସୀମା ପୁନଃନିର୍ଦ୍ଧାରଣ କରାଯାଇଥାଏ। ଦେଶବ୍ୟାପୀ ନିର୍ବାଚନ ମଣ୍ଡଳୀ ସଂଖ୍ୟା ବୃଦ୍ଧି ହେଲେ ରାଜ୍ୟମାନେ ପ୍ରଭାବିତ ହେବେ। ତେଣୁ ରାଜ୍ୟମାନଙ୍କ ମଧ୍ୟରେ ପ୍ରତିକ୍ରିୟା ଦେଖାଦେବା ସ୍ୱାଭାବିକ।
ଆଗାମୀ ଦିନରେ ହେବାକୁ ଥିବା ନିର୍ବାଚନ ମଣ୍ଡଳୀ ସୀମା ପୁନଃନିର୍ଦ୍ଧାରଣ ସମ୍ପର୍କରେ ବିଚାର ବିମର୍ଶ ପାଇଁ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନଙ୍କ ନେତୃତ୍ୱରେ ଚେନ୍ନାଇ ଠାରେ ନିଷ୍ପକ୍ଷ ସୀମା ନିର୍ଦ୍ଧାରଣ ଦାବି ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜନସଂଖ୍ୟାକୁ ଆଧାର କରି ନିର୍ବାଚନ ମଣ୍ଡଳୀ ପୁନର୍ଗଠନ କରାଗଲେ କେତେକ ରାଜ୍ୟର ଆସନ ସଂଖ୍ୟା ଆନୁପାତିକ ଭାବରେ ହ୍ରାସ ପାଇବ। ଜାତୀୟ ସ୍ୱାର୍ଥ୍ୟ ଦୃଷ୍ଟିରୁ ଜନସଂଖ୍ୟାକୁ ନିୟନ୍ତ୍ରଣ କରିବା ପାଇଁ ଯେଉଁ କେତେକ ରାଜ୍ୟ ଅତୀତରେ ଆନ୍ତରିକତାର ସହ କାର୍ଯ୍ୟ କରି ସଫଳତା ଲାଭ କଲେ ସେହି ରାଜ୍ୟମାନେ କ୍ଷତିଗ୍ରସ୍ତ ହେବେ ଏବଂ ଯେଉଁ ରାଜ୍ୟମାନେ ଆନ୍ତରିକତାର ସହ କାର୍ଯ୍ୟ କରିନାହାନ୍ତି ସେମାନେ ପୁରସ୍କୃତ ହେବେ। ଏହା ପକ୍ଷପାତିତା ହେବ। ତେଣୁ ଜନସଂଖ୍ୟାକୁ କେବଳ ଆଧାର କରି ଆଗାମୀ ନିର୍ବାଚନ ମଣ୍ଡଳୀ ପୁନର୍ଗଠନ କରା ନଯାଉ କିମ୍ବା ନିର୍ବାଚନମଣ୍ଡଳୀ ସଂଖ୍ୟାକୁ ପୁଣି ସ୍ଥିର ରଖାଯାଉ ବୋଲି ଏମାନଙ୍କର ଯୁକ୍ତି। ଏହି ବୈଠକରେ ଅଣ ବିଜେପି ଶାସିତ ରାଜ୍ୟର କେତେକ ମୁଖ୍ୟମନ୍ତ୍ରୀ ଓ ବିଭିନ୍ନ ରାଜନୈତିକ ଦଳ ଯୋଗଦେଇ ନିଜ ନିଜର ସମର୍ଥନ ଜ୍ଞାପନ କରିଥିଲେ। ଓଡ଼ିଶାର ଦୁଇ ବିରୋଧୀ ଦଳ ବିଜୁ ଜନତା ଦଳ ଓ କଂଗ୍ରେସ ଏହି ବୈଠକରେ ଯୋଗ ଦେଇ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଷ୍ଟାଲିନଙ୍କ ବିଚାର ସହ ଏକମତ ହୋଇଛନ୍ତି। ଦେଶର ଶାସକ ଦଳ ଏହାକୁ ସାକାରାତ୍ମକ ଦୃଷ୍ଟିରୁ ଗ୍ରହଣ କରିନାହଁି। ଓଡ଼ିଶାର ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସମାଲୋଚନା କରି ନଈ ନ ଦେଖୁଣୁ ଲଙ୍ଗଳା ବୋଲି ବିରୋଧୀଙ୍କୁ ଆକ୍ଷେପ କରିଛନ୍ତି; କିନ୍ତୁ ନିଷ୍ପକ୍ଷ ନିର୍ବାଚନମଣ୍ଡଳୀ ପୁନର୍ଗଠନ ଦାବି ଓଡ଼ିଶା ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ ଓ ଏହା ନଈ ନଦେଖୁଣୁ ଲଙ୍ଗଳା କି ବେଳ ଥାଉ ଥାଉ ବନ୍ଧ ବାନ୍ଧରେ କୁମର ତାହା ଆଲୋଚନା ସାପେକ୍ଷ। କେବଳ ରାଜନୈତିକ ଦୃଷ୍ଟିକୋଣରୁ ବିରୋଧୀଙ୍କ ସବୁ ଦାବିକୁ ବିଚାର କରି ଆକ୍ଷେପ କଲେ ଓଡ଼ିଶାକୁ ବହୁମୂଲ୍ୟ ଦେବାକୁ ପଡ଼ିପାରେ। ଅବଶ୍ୟ ଜନଗଗଣନା ଆରମ୍ଭ ହୋଇନଥିବା ବେଳେ ଷ୍ଟାଲିନଙ୍କ ନେତୃତ୍ୱରେ ହୋଇଥିବା ବୈଠକ କେବଳ ଏକ ପୂର୍ବାନୁମାନକୁ ନେଇ ଅନୁଷ୍ଠିତ ହୋଇଥିବା ଆଲୋଚନା ହେଉଛି।
ପ୍ରଥମେ ୨୦୦୮ ମସିହାରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ୨୦୦୨ ସୀମା ନିର୍ଦ୍ଧାରଣ ଆଇନକୁ ଲାଗୁ କରାଯିବା ପରେ ୨୦୦୯ ମସିହା ସାଧାରଣ ନିର୍ବାଚନରେ ଏହାକୁ ସମଗ୍ର ଦେଶରେ ଲାଗୁ କରାଯାଇଥିଲା। ଦେଶର ସାଧାରଣ ନିର୍ବାଚନ ସହିତ ଓଡ଼ିଶା ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିବାରୁ ୨୦୦୯ ମସିହାରେ ଓଡ଼ିଶା ବିଧାନସଭା ନିର୍ବାଚନରେ ଏହାକୁ ଲାଗୁ କରାଯାଇଥିଲା। ୨୦୦୨ ସୀମା ନିର୍ଦ୍ଧାରଣ ଆଇନରେ ଦେଶର ୫୪୩ ସଂସଦୀୟ କ୍ଷେତ୍ର ଓ ରାଜ୍ୟ ବିଧାନସଭା ନିର୍ବାଚନ ମଣ୍ଡଳୀଗୁଡିକର ସମୁଦାୟ ସଂଖ୍ୟାକୁ ପୂର୍ବପରି ଅପରିବର୍ତ୍ତିତ ରଖାଯାଇ କେବଳ ନିର୍ବାଚନ ମଣ୍ଡଳୀଗୁଡିକର ଭୌେଗାଳିକ ସୀମାକୁ ପୁନଃନିର୍ଦ୍ଧାରଣ କରାଯାଇଥିଲା ଓ ଚକ୍ରାନୁକ୍ରମରେ ନିର୍ବାଚନ ମଣ୍ଡଳୀଗୁଡିକୁ ସଂରକ୍ଷଣ କରାଯାଇଥିଲା ତେଣୁ ଜିଲାଗୁଡିକର ବିଧାନସଭା ନିର୍ବାଚନ ମଣ୍ଡଳୀ ସଂଖ୍ୟାରେ କେବଳ ପରିବର୍ତ୍ତନ ହୋଇଥିଲା। କରୋନା ଜନିତ ସ୍ଥିତି ଯୋଗୁଁଁ ୨୦୨୧ ମସିହା ଜନଗଣନା ଆରମ୍ଭହୋଇ ପାରି ନାହିଁ। ଏହାକୁ ଯଦି ବିଳମ୍ବରେ ଆରମ୍ଭ କରାଯାଏ ଏବଂ ୨୦୨୬ ମସିହା ପରେ ଚୂଡାନ୍ତ ଜନଗଣନା ରିପୋର୍ଟ ବୋଲି ଘୋଷଣା କରାଯାଏ ଓ ନିର୍ବାଚନ ମଣ୍ଡଳୀ ପୁନର୍ଗଠନ ଆଇନକୁ ସଂସଦରେ ପାରିତ କରାଯାଏ ତାହାହେଲେ ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ନିର୍ବାଚନ ମଣ୍ଡଳୀଗୁଡିକ ପୁନର୍ଗଠନ ହେବା ସମ୍ଭାବନାକୁ ଏଡାଇ ଦେଇ ହେବ ନାହିଁ; ନଚେତ୍ ୨୦୩୧ ମସିହା ଜନଗଣନାକୁ ଭିତ୍ତି କରି ନିର୍ବାଚନ ମଣ୍ଡଳୀ ପୁନର୍ଗଠନ ହେବା ଏକରକମ ନିଶ୍ଚିତ। ଅବଶ୍ୟ ଏହା ଦେଶର ସଂସଦ ଓ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଉପରେ ନିର୍ଭର କରୁଛି।
ଓଡ଼ିଶାର ଜନସଂଖ୍ୟା ଅଭିବୃଦ୍ଧି ହାର ଜାତୀୟ ଅଭିବୃଦ୍ଧି ହାର ଠାରୁ ନିମ୍ନରେ ରହିଛି। ଓଡ଼ିଶା ଏ କ୍ଷେତ୍ରରେ ସଫଳତା ପାଇଛି। ଯଦି କେବଳ ଜନସଂଖ୍ୟାକୁ ଆଧାର କରି ନିର୍ବାଚନ ମଣ୍ଡଳୀ ପୁନର୍ଗଠନ କରାଯାଏ ତାହାହେଲେ ଦକ୍ଷିଣ ଭାରତୀୟ ରାଜ୍ୟ ଭଳି ଓଡ଼ିଶା ମଧ୍ୟ କ୍ଷତିଗ୍ରସ୍ତ ହେବା ସୁନିଶ୍ଚିତ। ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ବିଷୟକୁ ନେଇ ଓଡ଼ିଶା ଏବେଠୁ ଚିନ୍ତା କରିବା ଆବଶ୍ୟକତା ରହିଛି, ନଚେତ୍ ରାଜ୍ୟକୁ ବହୁମୂଲ୍ୟ ଦେବାକୁ ହେବ।
ନିର୍ବାଚନ ମଣ୍ଡଳୀ ପୁର୍ନଗଠନରେ ନିରପେକ୍ଷତା ଲୋଡା
Popular Categories



