କେନ୍ଦୁଝରଗଡ଼: ଜିଲା ମୁଖ୍ୟ ଚିକିତ୍ସାଳୟରେ ବହୁ ପ୍ରତୀକ୍ଷିତ ନୂତନ ଆଇସିୟୁକୁ ଗୁରୁବାର ଉଦ୍ଘାଟନ କରିଛନ୍ତି ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ। ଦୀର୍ଘ ଦିନ ଧରି କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଗୁରୁତର ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଦୃଷ୍ଟିରୁ ଉନ୍ନତ ଚିକିତ୍ସା ନିମନ୍ତେ ଏକ ଆଇସିୟୁ ପ୍ରତିଷ୍ଠା ପାଇଁ ଜନସାଧାରଣରେ ଦାବି ହୋଇ ଆସୁଥିଲା।
ଏ ନେଇ ବିଧାୟକ ଶ୍ରୀ ନାଏକ କହିଛନ୍ତି, କୌଣସି ବ୍ୟକ୍ତି ଯେପରି ଚିକିତ୍ସା ଅଭାବରୁ ସମସ୍ୟାର ସମ୍ମୁଖୀନ ନ ହୁଅନ୍ତି ସେଥିପ୍ରତି ରାଜ୍ୟ ସରକାର ଗୁରୁତ୍ବ ଦେଉଛନ୍ତି ଓ ଦୀର୍ଘ ଦିନ ଧରି କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଆଇସିୟୁର ଆବଶ୍ୟକତା ରହିଥିବାରୁ ଏହି ଆଇସିୟୁ ପ୍ରତିଷ୍ଠା କରାଯାଇଛି। ଏଥିରେ ସମସ୍ତ ଅତ୍ୟାଧୁନିକ ସେବା ଯୋଗାଇ ଦିଆଯିବ। ପର୍ଯ୍ୟାୟକ୍ରମେ ଅଧିକ ଶଯ୍ୟା ଏବଂ ଡାକ୍ତର ଓ କର୍ମଚାରୀ ସଂଖ୍ୟା ବୃଦ୍ଧି କରାଯିବ ବୋଲି ବିଧାୟକ ଶ୍ରୀ ନାଏକ କହିଛନ୍ତି।
ଏହି ଉଦଘାଟନୀ ଉତ୍ସବରେ ଜିଲା ମୁଖ୍ୟ ଚିକିତ୍ସା ତଥା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର କିଶୋର କୁମାର ପୃଷ୍ଟି ଓ ଧରଣୀଧର ଭେଷଜ ମହାବିଦ୍ୟାଳୟ କେନ୍ଦୁଝରର ଡିନ ପ୍ରଫେସର ଡାକ୍ତର ଚିନ୍ମୟୀ ମହାପାତ୍ରଙ୍କ ସମେତ ବହୁ ଡାକ୍ତର ଓ ମେଡିକାଲ କର୍ମଚାରୀ ଉପସ୍ଥିତ ଥିଲେ।



