କେନ୍ଦୁଝରଗଡ : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି କେନ୍ଦୁଝରର ଧରଣୀଧର ବିଶ୍ୱବିଦ୍ୟାଳୟଠାରେ ଆୟୋଜିତ ହୋଇଥିବା ଆନ୍ତଃ ବିଶ୍ଵବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତାକୁ ଉଦ୍ଘାଟନ କରିଛନ୍ତି। ଉଦଘାଟନୀ ଉତ୍ସବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଯେ, ଧରଣୀଧର ବିଶ୍ବବିଦ୍ୟାଳୟର ସ୍ୱଳ୍ପ କାର୍ଯ୍ୟକାଳ ମଧ୍ୟରେ ଆନ୍ତଃ ବିଶ୍ଵବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତା ପରି ଏକ ସମ୍ମାନଜନକ କାର୍ଯ୍ୟକ୍ରମ ଆୟୋଜନ କରିବା ନିଶ୍ଚିତ ଭାବେ ବିଶ୍ୱବିଦ୍ୟାଳୟର ଯାତ୍ରାରେ ଏକ ମାଇଲଖୁଣ୍ଟ ହୋଇ ରହିବ। ଏହି ଅବସରରେ ରାଜ୍ୟର ୧୩ ବିଶ୍ୱବିଦ୍ୟାଳୟରୁ ଭାଗନେଉଥିବା ପ୍ରତିଯୋଗୀମାନଙ୍କୁ ଖେଳରେ ଭଲ ପ୍ରଦର୍ଶନ କରିବା ପାଇଁ ଉତ୍ସାହିତ କରିଥିଲେ।
ସେ ତାଙ୍କ ଅଭିଭାଷଣରେ କହିଥିଲେ ଯେ, ଖେଳକୁଦର ଗୋଟିଏ ମହତ୍ବପୂର୍ଣ୍ଣ ଦିଗ ହେଉଛି ଖେଳୁଆଡ ମନୋଭାବ। ଖେଳକୁଦ ହେଉଛି ମଣିଷ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ। କେବଳ ପ୍ରତିଯୋଗୀତା ପାଇଁ ନୁହେଁ, ଶରୀରକୁ ସୁସ୍ଥ ଓ ଚଞ୍ଚଳ ରଖିବା ପାଇଁ କିଛି ନା କିଛି ଶାରୀରିକ ପରିଶ୍ରମ କରିବା ଆବଶ୍ୟକ। ରାଜ୍ୟର କ୍ରୀଡା ଭିତ୍ତିଭୂମି ବିକାଶ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଓଡିଶା ଆଜି କ୍ରୀଡା କ୍ଷେତ୍ରରେ ଦେଶର ଏକ ଆଗଧାଡିର ରାଜ୍ୟ। ପ୍ରକୃତରେ ଓଡିଶାକୁ ଭାରତର କ୍ରୀଡା ରାଜଧାନୀ ଭାବେ ଲୋକେ ଅଭିହିତ କରନ୍ତି। ଆଜି ଓଡିଶାରେ ବିଶ୍ଵସ୍ତରୀୟ କ୍ରୀଡା ଭିତ୍ତିଭୂମି ଅଛି, ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରର କ୍ରୀଡା ପ୍ରଶିକ୍ଷକ ଅଛନ୍ତି। ରାଜ୍ୟର ଉଦୀୟମାନ କ୍ରୀଡାବିତ୍ ମାନେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ କ୍ରୀଡା ପ୍ରତିଯୋଗିତାରେ ଭାଗନେଇ ରାଜ୍ୟ ପାଇଁ ଗୌରବ ଆଣି ଦେଉଛନ୍ତି।
ଆମ ରାଜ୍ୟର ପ୍ରତ୍ୟେକ ବ୍ଲକରେ ଭଲିବଲ, କ୍ରିକେଟ, ଫୁଟବଲ ଓ ଆଥଲେଟିକସ୍ ସମେତ ବିଭିନ୍ନ କ୍ରୀଡ଼ା ପାଇଁ ଅତ୍ୟାଧୁନିକ ସୁବିଧା ସୃଷ୍ଟି କରାଯିବ । କ୍ରୀଡାର ବିକାଶ ପାଇଁ ୫ ବର୍ଷ ମଧ୍ୟରେ ୪ ହଜାର ଏକ ଶହ ୨୪ କୋଟି ଟଙ୍କା ଖର୍ଚ୍ଚ କରାଯିବ । ୨୦୨୫-୨୬ ଆର୍ଥିକ ବର୍ଷରେ ବ୍ଳକସ୍ତରୀୟ ଷ୍ଟାଡିୟମର ବିକାଶ ପାଇଁ ୮ ଶହ ୨୫ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। କେନ୍ଦୁଝର, ସମ୍ବଲପୁର, ବ୍ରହ୍ମପୁର ଓ କୋରାପୁଟକୁ ସ୍ପୋର୍ଟସ ହବ୍ ରୂପେ ବିକାଶ କରାଯିବା ସହିତ ସାରା ରାଜ୍ୟରେ କ୍ରୀଡା କ୍ଷେତ୍ରରେ ବିଶ୍ବସ୍ତରୀୟ ସୁବିଧା ଉପଲବ୍ଧ କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଚଳିତ ବଜେଟରେ ଆମେ କ୍ରୀଡା ଏବଂ ଯୁବସେବା ବ୍ୟାପାର ବିଭାଗ ପାଇଁ ୧ ହଜାର ୩୧୯ କୋଟି ୭୯ ଲକ୍ଷ ଟଙ୍କାର ବ୍ୟୟ ବରାଦ କରିଛୁ। ପ୍ରତ୍ଯେକଟି ଟଙ୍କା ଆପଣଙ୍କ ପରି ଆମ ଓଡ଼ିଶାର ଯୁବ ଖେଳାଳୀଙ୍କ ପ୍ରତିଭାର ବିକାଶ ପାଇଁ ଖର୍ଚ୍ଚ ହେବ। ଆପଣମାନେ ଏହାର ଅଂଶୀଦାର ହୁଅନ୍ତୁ ଏବଂ ନିଜ ପାଇଁ ତଥା ରାଜ୍ୟ ଓ ଦେଶ ପାଇଁ ଗୌରବ ଆଣନ୍ତୁ ବୋଲି ସେ କହିଥିଲେ।
ଅନ୍ୟମାନଙ୍କ ମଧ୍ୟରେ କେନ୍ଦୁଝର ସାଂସଦ ଅନନ୍ତ ନାୟକ, ଚମ୍ପୁଆ ବିଧାୟକ ସନାତନ ମହାକୁଡ଼, ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ, ତେଲକୋଇ ବିଧାୟକ ଫକୀର ମୋହନ ନାଏକ, କେନ୍ଦୁଝର ଜିଲ୍ଲାପାଳ ଵିଶାଲ ସିଂହ, ଧରଣୀଧର ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ପ୍ରତାପ କୁମାର ମହାନ୍ତି ଓ କୁଳସଚିବ ଶଶିକାନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ପାଞ୍ଚ ଦିନ ବ୍ୟାପୀ ହେବାକୁ ଥିବା ଏହି ବିଶ୍ୱବିଦ୍ୟାଳୟ ସ୍ତରୀୟ କ୍ରୀଡ଼ା ମହାକୁମ୍ଭରେ ରାଜ୍ୟର ୧୨ ଗୋଟି ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଛନ୍ତି।



