ନୂଆଦିଲ୍ଲୀ : ବର୍ଷକ ପୂର୍ବେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ବିରୋଧରେ ଗଣମାଧ୍ୟମ ସମ୍ମୁଖକୁ ଆସି ଚର୍ଚ୍ଚିତ ହୋଇଥିବା ଓ ନିକଟରେ ଅବସର ନେଇଥିବା ଜଷ୍ଟିସ କୁରିଏନ୍ ଯୋଶେଫ ଗୁରୁବାର ଝଡ଼ ସୃଷ୍ଟି କରିଛନ୍ତି। କଂଗ୍ରେସ ଓ ବାମପନ୍ଥୀ ଦଳଙ୍କ ପକ୍ଷରୁ ତାଙ୍କୁ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବାକୁ ପ୍ରବର୍ତ୍ତା ଯାଇଥିଲା ଓ ଏଥିପାଇଁ ୪ ପସନ୍ଦର ଆସନ ଯଚା ଯାଇଥିଲା। ଏହାକୁ ସେ ସମ୍ଭ୍ରମତାର ସହିତ ପ୍ରତ୍ୟାଖ୍ୟାନ କରିଥିଲେ ଓ ରାଜନୀତି ପ୍ରତି ତାଙ୍କର ସାମାନ୍ୟ ସ୍ପୃହା ନାହିଁ ବୋଲି ଜବାବ ଦେଇଥିବା କହିଛନ୍ତି ଜଷ୍ଟିସ ଯୋଶେଫ। ଏକ ଇଲେକ୍ଟ୍ରୋନିକ୍ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଜଷ୍ଟିସ ଯୋଶେଫ ତାଙ୍କର କୌଣସି ରାଜନୈତିକ ଆସ୍ପର୍ଦ୍ଧା ନାହିଁ ଏବଂ ଏ ନେଇ ଯେଉଁ ଚର୍ଚ୍ଚା ଚାଲିଛି ସେ ସବୁ ବିଭ୍ରାନ୍ତିକର ବୋଲି ସ୍ପଷ୍ଟ କରିଛନ୍ତି।
ଜଷ୍ଟିସ ଯୋଶେଫ କହିଛନ୍ତି ଯେ ଅବସର ପରେ କଂଗ୍ରେସ ଏବଂ ସିପଆଇ(ଏମ୍) ନେତୃତ୍ବାଧୀନ ବାମପନ୍ଥୀ ମେଣ୍ଟ ସରକାର ପକ୍ଷରୁ ତାଙ୍କୁ ନିଜ ରାଜ୍ୟ କେରଳରୁ ଆଗାମୀ ଲୋକସଭା ନିର୍ବାଚନ ପାଇଁ ଟିକଟ ଯଚା ଯାଇଥିଲା। କୋଟ୍ଟାୟମ, ଏର୍ଣ୍ଣାକୁଲମ, ତ୍ରିଶୁର ଓ ଚାଲାକୁଡି ଯେ କୌଣସି ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହେବାକୁ ତାଙ୍କୁ ଉଭୟ ପକ୍ଷ ପ୍ରସ୍ତାବ ଦେଇଥିଲେ।
ଗତ ନଭେମ୍ବରରେ ଅବସର ନେଇଥିବା ଜଷ୍ଟିସ ଯୋଶେଫଙ୍କର ଜଣେ ପ୍ରତିଭାବାନ୍ ଓ ସ୍ବଚ୍ଛ ନ୍ୟାୟମୂର୍ତ୍ତି ଭାବେ ସୁନାମ ରହିଛି। ଏହାକୁ ଆଧାର କରି ରାଜ୍ୟବାସୀ ମଧ୍ୟ ତାଙ୍କର ରାଜନୀତି ପ୍ରବେଶକୁ ସମର୍ଥନ କରୁଛନ୍ତି। ତାଙ୍କ ଭଳି ଜଣେ ଧର୍ମନିରପେକ୍ଷ ବ୍ୟକ୍ତିତ୍ବ ରାଜ୍ୟରେ ବିଜେପିକୁ ସଠିକ ମୁକାବିଲା କରିପାରିବେ ବୋଲି ଲୋକେ ଭାବୁଛନ୍ତି। ଏହି ପରିପ୍ରେକ୍ଷୀରେ ତାଙ୍କର ପ୍ରାର୍ଥିତ୍ବକୁ ଉପରୋକ୍ତ ଦୁଇ ଦଳ ପ୍ରୋତ୍ସାହିତ କରୁଥିଲେ। ଏହାର ଉତ୍ତରରେ ଜଷ୍ଟିସ ଯୋଶେଫ କହିଥିଲେ ଯେ ‘ମୋ ପାଇଁ କେଉଁଠୁ ପ୍ରାର୍ଥୀ ହେବେ ବଡ଼ କଥା ନୁହେଁ; ବରଂ ରାଜନୀତି ପ୍ରତି ଆଗ୍ରହ ନ ଥିବା ହିଁ ଗୁରୁତ୍ବପୂର୍ଣ୍ଣ। ଅବସର ସମୟେର ମୋର ରାଜନୈତିକ ଇଚ୍ଛା ସମ୍ପର୍କରେ ଅନେକ ମୋତେ ପ୍ରଶ୍ନ କରିଥିଲେ ଏବଂ ଏ କ୍ଷେତ୍ରରେ ମୁଁ ସେତେବେଳେ ଯେଉଁ ମତ ଦେଇଥିଲି ଏବେ ବି ସେଥିରେ ଦୃଢ଼ ରହିଛି।’
ଗତ ଅଗଷ୍ଟ ମାସରେ କେରଳ ବନ୍ୟା ପୀଡ଼ିତଙ୍କୁ ସହାୟତା ପାଇଁ ନିବେଦନ କରି ସେ ବିଭିନ୍ନ ମହଲରେ ପ୍ରଶଂସିତ ହୋଇଥିଲେ। ସୁପ୍ରିମକୋର୍ଟ ଓ ଦିଲ୍ଲୀ ହାଇକୋର୍ଟର ଆଇନଜୀବୀଙ୍କୁ ଏକାଠି କରି ରିଲିଫ ସାମଗ୍ରୀ ସଂଗ୍ରହ କରିଥିଲେ ଓ କେରଳକୁ ପଠାଇଥିଲେ। ପାଣ୍ଠି ସଂଗ୍ରହ ପାଇଁ ଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସେ ‘ୱି ସାଲ୍ ଓଭରକମ୍…’ ଶୀଷର୍କ ସଙ୍ଗୀତ ଗାନ ପୂର୍ବକ ଦୃଷ୍ଟି ଆକର୍ଷଣ କରିଥିଲେ। ଅବସର ପରେ ସେ ଦିଲ୍ଲୀରେ ଅବସ୍ଥାନ କରିବା ସହ ନିଜ ପେସାରେ ସକ୍ରିୟ ଅଛନ୍ତି।
ମୋତେ ଟିକଟ ଯାଚିଥିଲେ କଂଗ୍ରେସ ଓ ବାମପନ୍ଥୀ: ଜଷ୍ଟିସ ଯୋଶେଫ
Popular Categories



