କ୍ଷମତା ଆଳରେ ସୀମା ଟପୁଛି ସିବିଆଇ

ଡେସ୍କ: କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା-ସିବିଆଇ ତଦନ୍ତ ଆଳରେ କ୍ଷମତାର ଅପବ୍ୟବହାର କରୁଛି। ପୂର୍ବରୁ ଏ ନେଇ ଅନେକ ଘଟଣା ଘଟିଥିଲେ ମଧ୍ୟ ଦୁଇ ଦିନ ତଳେ ଘଟିଥିବା ଘଟଣା ଏହା ସ୍ପଷ୍ଟ କରୁଛି ଯେ ସିବିଆଇ ତଦନ୍ତ ଆଳରେ ଯେମିତି ବି ବ୍ୟବହାର କରିପାରିବ, କୌଣସି ରୋକଠୋକ ନାହିଁ। କେବଳ ସେତିକି ନୁହେଁ, ସିବିଆଇ ଅଧିକାରୀ ରାଜ୍ୟର ଜଣେ ବରିଷ୍ଠ ଆଇଏଏସ ଅଧିକାରୀଙ୍କୁ ଠେଲାପେଲା କରିବା ସହ ସାମ୍ବାଦିକମାନଙ୍କୁ ଗେଟ ବାହାରକୁ ଠେଲି ଠେଲି ବାହାରକୁ ବାହାର କରିଦେଇଥିଲେ।
ରାଜ୍ୟର ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀ ବିଷ୍ଣୁପଦ ସେଠିଙ୍କ ଘରେ ସିବିଆଇ ଅଧିକାରୀ ପହଂଚିବା ପରେ ଆରମ୍ଭ ହୋଇଥିଲା ଖୋଳତାଡ଼। ଯଦି ସେଦିନ ସାମ୍ବାଦିକ ମାନେ ସେଠାରେ ନ ଥାନ୍ତେ, ହୁଏତ ସିବିଆଇ ଅଧିକାରୀଙ୍କ ଏଭଳି ବ୍ୟବହାର ସମ୍ପର୍କରେ ବାହାରକୁ ଜଣାପଡ଼ିନଥାନ୍ତା। ସାମ୍ବାଦିକ ମାନେ ଆଇଏଏସ ବିଷ୍ଣୁପଦ ସେଠୀଙ୍କୁ ସିବିଆଇ ତଦନ୍ତ ସମ୍ପର୍କରେ ପଚାରୁଥିବା ବେଳେ, ସିବିଆଇ ଇନ୍ସପେକ୍ଟର ଜଣଙ୍କ ବଡ ପାଟି କରି ବିଷ୍ଣୁପଦ ସେଠୀଙ୍କୁ କହିବାକୁ ଦେଉନଥିଲେ ଓ ଦାବି ଦେବାକୁ ଚେଷ୍ଟା କରିଥିଲେ। ଜଣେ ଅଧସ୍ତନ କର୍ମଚାରୀଙ୍କୁ ବ୍ୟବହାର କରିବା ଭଳି ସେ ବିଷ୍ଣୁପଦଙ୍କୁ ବ୍ୟବହାର କରିଥିଲେ। ସେତିକିରେ କିନ୍ତୁ କଥା ସରି ନ ଥିଲା। ଆଉ ଜଣେ ସିବିଆଇ ଇନ୍ସପେକ୍ଟର ଆଇଏଏସ ବିଷ୍ଣୁପଦ ସେଠୀଙ୍କ କାନ୍ଧରେ ହାତ ରଖିବାକୁ ମଧ୍ୟ ପଛାଇନଥିଲେ। ନିଜେ ବିଷ୍ଣୁପଦ ତାଙ୍କ କାନ୍ଧକୁ କିଭଳି ସମ୍ପୃକ୍ତ ଇନ୍ସପେକ୍ଟର ଠେଲି ଦେଉଛନ୍ତି ତାହା କହୁଥିଲେ ମଧ୍ୟ ସେ ବାରମ୍ବାର ହାତ ରଖୁଥିଲେ।
ଏଠି ପ୍ରଶ୍ନ ଉଠୁଛି ଯେ ଗଣମାଧ୍ୟମ କାହାକୁ କଣ ପଚାରିବି, ସେଥିପାଇଁ କଣ ସିବିଆଇର ଅନୁମତି ଆବଶ୍ୟକ କି? ଜଣେ ବରିଷ୍ଠ ଆଇଏଏସ ଅଧିକାରୀ ଗଣମାଧ୍ୟମକୁ ବାଇଟ ଦେଉଥିବା ବେଳେ ସାମାନ୍ୟ ଜଣେ ସିବିଆଇ ଅଧିକାରୀ ଅଯଥା କଥା କହିବା ଓ ରୋକିବା ଯଥାର୍ଥ କି?
ଅନ୍ୟପକ୍ଷରେ ସେହିଦିନ ଆଇଏଏସ ବିଷ୍ଣୁପଦ ସେଠୀଙ୍କ ଘରକୁ ବାଇଟ ଆଣିବା ପାଇଁ ଯାଇଥିବା ସାମ୍ବାଦିକମାନଙ୍କୁ ମଧ୍ୟ ସିବିଆଇ ଅଧିକାରୀ ଖରାପ ବ୍ୟବହାର କରିବାକୁ ପଛାଇନଥିଲେ। ସାମ୍ବାଦିକମାନେ ବାରମ୍ବାର କହୁଥିଲେ, ଆମେ ବାହାରକୁ ଯାଉଛୁ କିନ୍ତୁ ସିବିଆଇ ଅଧିକାରୀ ମାନେ ସେମାନଙ୍କ ବୁମ ଓ କ୍ୟାମେରାକୁ ଠେଲି ଠେଲି ଗେଟ ବାହାରକୁ ନେଇଯାଇଥିଲେ। ସିବିଆଇର ଏଭଳି ବ୍ୟବହାରରେ ସାମ୍ବାଦିକମାନେ ଆଶ୍ଚର୍ଯ୍ୟ ହୋଇଥିଲେ। ତେବେ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ କୁହାଯାଉଥିବା ଗଣମାଧ୍ୟମ ପ୍ରତି ସିବିଆଇର ଏଭଳି ବ୍ୟବହାର ଅତ୍ୟନ୍ତ ନିନ୍ଦନୀୟ ବୋଲି ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି।
Comments are closed.