ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ

ପିପିଲି: ଏକ ବିବାହ ଭୋଜିରେ ଜଣେ ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ସେ ବିପଦମୁକ୍ତ ଥିବା ଜଣାପଡ଼ିଛି। ଆକ୍ରମଣର ଶିକାର ହୋଇଥିବା ଶିକ୍ଷକଙ୍କ ନାମ ରାମଚନ୍ଦ୍ର ସ୍ୱାଇଁ ଓ ତାଙ୍କ ଘର ପିପିଲି ଥାନା ଅନ୍ତର୍ଗତ ମାଧିପୁର ଗ୍ରାମରେ ହୋଇଥିବାବେଳେ ସେ ଏକ ଘରୋଇ କୋଚିଂ ସେଣ୍ଟରର ମୁଖ୍ୟ ହୋଇଥିବା ସୂଚନା ମିଳିଛି। ବୁଧବାର ରାତିରେ ପିପିଲି ପୌରାଞ୍ଚଳ ଅନ୍ତର୍ଗତ ବ୍ଲକଛକ ନିକଟରେ ଥିବା ଏକ ବିବାହ ମଣ୍ଡପରେ ତାଙ୍କର ଜଣେ ସଂପର୍କୀୟାଙ୍କ ବିବାହ ଉତ୍ସବ ସମୟରେ ଏହି ଘଟଣା ଘଟିଛି। ରାତି ପ୍ରାୟ ୧୨ଟା ସମୟରେ ବରଯାତ୍ରୀ ଦଳ ଭୋଜି ଖାଉଥିବାବେଳେ ଜନୈକ ଯୁବକ ଗଣ୍ଡଗୋଳ ସୃଷ୍ଟି କରିଥିବାବେଳେ ସେଠାରେ ଉପସ୍ଥିତ ଲୋକେ ଉକ୍ତ ଯୁବକଙ୍କୁ ବୁଝାସୁଝା କରି ସେଠାରୁ ବିଦା କରି ଦେଇଥିଲେ। ଏହାର ୧ଘଣ୍ଟା ପରେ ଉକ୍ତ ଯୁବକଙ୍କ ସମେତ ତାର ଅନ୍ୟ ୪/୫ଜଣ ସହଯୋଗୀ ଉକ୍ତ ମଣ୍ଡପରେ ପହଞ୍ଚି ସେଠାରେ ଉପସ୍ଥିତ ଥିବା ରାମଚନ୍ଦ୍ର ସ୍ୱାଇଁଙ୍କୁ ଏକ ଧାରୁଆ ଅସ୍ତ୍ରରେ ଅତର୍କିତ ଆକ୍ରମଣ କରିଥିବା ସୂଚନା ମିଳିଛି। ଏଥିରେ ରାମଚନ୍ଦ୍ରଙ୍କ ତଳିପେଟ, ପିଠି ଓ ବାମହାତରେ ଗୁରୁତର ଆଘାତ ଲାଗିଥିବା ବେଳେ ସେ ଜୀବନ ବିକଳରେ ଦୌଡ଼ି ଯାଇ ଏକ ଘର ମଧ୍ୟରେ ପଶି ଯାଇଥିଲେ। ଆକ୍ରମଣକାରୀମାନେ ସେଠାରୁ ଫେରାର୍ ହୋଇଯାଇଥିଲେ। ପରିବାର ଲୋକେ ରାମଚନ୍ଦ୍ରଙ୍କୁ ତୁରନ୍ତ ପିପିଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ଲାଗି ଭର୍ତ୍ତି କରିଥିବାବେଳେ ଅବସ୍ଥା ଗୁରୁତର ଥିବାରୁ ପରେ ତାଙ୍କୁ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ତାଙ୍କର ଚିକିତ୍ସା ଚାଲିଥିବାବେଳେ ଏବେ ସେ ବିପଦମୁକ୍ତ ଥିବା ସୂଚନା ମିଳିଛି। ଏହି ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି। ତେବେ ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଏସଂପର୍କରେ ପିପିଲି ପୁଲିସରେ କୌଣସି ଲିଖିତ ଅଭିଯୋଗ ହୋଇନଥିବା ଜଣାଯାଇଛି।
Comments are closed.