www.samajalive.in
Friday, December 5, 2025
26.1 C
Bhubaneswar

‘ବାବୁଜୀ ସେବା ଓ ତ୍ୟାଗର ମୂର୍ତ୍ତିମନ୍ତ ପ୍ରତୀକ’

କଟକ : ବାବୁଜୀ ଜଣେ ନୀତିନିଷ୍ଠ ରାଜନୀତିଜ୍ଞ ଥିଲେ। ରାଜନୀତିରେ ସମାଜ ସେବା କରିବାକୁ ଲକ୍ଷ୍ୟ ରଖୁଥିଲେ। ସମାଜ ସଂସ୍କାର କ୍ଷେତ୍ରରେ ତାଙ୍କ ପ୍ରମୁଖ ଭୂମିକା ରହିଥିଲା। ଯେତେବେଳେ ଓଡ଼ିଶାରେ ବିପତ୍ତି ଦେଖାଦେଇଛି; ସେତେବେଳେ ସେ ଲୋକଙ୍କ ସହ ଛିଡ଼ା ହୋଇଛନ୍ତି। ସେ ସଶରୀରେ ନାହାନ୍ତି ସତ; ହେଲେ ତ୍ୟାଗ ଓ ସାଧନାରେ ଆଜି ବି ସେ ଜୀବିତ ରହିଛନ୍ତି। ବାବୁଜୀ ସେବା ଓ ତ୍ୟାଗର ମୂର୍ତ୍ତିମନ୍ତ ପ୍ରତୀକ ଥିଲେ ବୋଲି ବିଶିଷ୍ଟ ଚିକିତ୍ସକ ଡା.ଶିଶୁ ଶଙ୍କର ମିଶ୍ର କହିଛନ୍ତି। ଲୋକସେବକ ମଣ୍ଡଳ ଓ ‘ସମାଜ’ ପକ୍ଷରୁ ବକ୍ସିବଜାରସ୍ଥିତ ଗୋପବନ୍ଧୁ ଭବନ ପରିସରରେ ବୁଧବାର ସ୍ବାଧୀନତା ସଂଗ୍ରାମୀ ତଥା ‘ସମାଜ’ର ପୂର୍ବତନ ସମ୍ପାଦକ ପଦ୍ମଭୂଷଣ ଡ.ରାଧାନାଥ ରଥଙ୍କ ୨୭ତମ ଶ୍ରାଦ୍ଧୋତ୍ସବ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ଡା.ମିଶ୍ର ଉପରୋକ୍ତ ମତ ଦେଇଥିଲେ। ସେ କହିଥିଲେ ଯେ, ଓଡ଼ିଶାରେ ସାମ୍ବାଦିକତା କଥା ଚିନ୍ତା କଲେ ପଣ୍ଡିତ ଗୋପବନ୍ଧୁ ଦାସଙ୍କୁ ବୁଝାଏ। ତାଙ୍କ ଦ୍ବାରା ପ୍ରତିଷ୍ଠିତ ‘ସମାଜ’କୁ ପରିପୁଷ୍ଟ କରିବାରେ ଯାହାଙ୍କର ନୀରବ ସାଧନା ରହିଥିଲା ସେ ହେଉଛନ୍ତି ଡ.ରାଧାନାଥ ରଥ। ‘ସମାଜ’ ସୃଷ୍ଟି ହୋଇ ବହୁ ଦିଗକୁ ବିସ୍ତାରିତ ହୋଇପାରିଛି। ଏଥିରେ ଡ.ରଥଙ୍କ ବଳିଷ୍ଠ ଭୂମିକା ରହିଥିଲା। ଯେ ପର୍ଯ୍ୟନ୍ତ ଓଡ଼ିଆ ଅଛନ୍ତି ସେ ପର୍ଯ୍ୟନ୍ତ ‘ସମାଜ’ ରହିଥିବ ବୋଲି ମୁଖ୍ୟ ବକ୍ତା ଡା.ମିଶ୍ର ମତ ଦେଇଥିଲେ। ମୁଖ୍ୟ ଅତିଥି ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନ୍‌ଗୋ କହିଲେ, ପଦ୍ମଭୂଷଣ ଡ.ରାଧାନାଥ ରଥ ବିବିଧ ପ୍ରତିଭାର ଅଧିକାରୀ ଥିଲେ। ଲୋକଙ୍କ ସେବା କରିବା ତାଙ୍କ ଜୀବନର ଲକ୍ଷ୍ୟ ଥିଲା। କେବଳ ନିରପେକ୍ଷ ଖବର ପରିବେଷଣ ପାଇଁ ନୁହେଁ: ଲୋକମାନେ ସେବାମୂଳକ କାର୍ଯ୍ୟ ପାଇଁ ‘ସମାଜ’ ଉପରେ ଭରସା କରିଥାନ୍ତି। ଏହାକୁ ଆଗକୁ ନେବାରେ ଡ.ରଥ ହେଉଛନ୍ତି ପଣ୍ଡିତ ଗୋପବନ୍ଧୁଙ୍କ ଶ୍ରେଷ୍ଠ ଦାୟଦ। ତାଙ୍କର ବହୁବିଧ ସେବା ମନୋବୃତ୍ତି ଏବଂ କାର୍ଯ୍ୟ ଯୋଗୁଁ ‘ସମାଜ’ ଦୀର୍ଘାୟୁ ହୋଇପାରିଛି ବୋଲି କହିଥିଲେ। ‘ସମାଜ’ର ସମ୍ପାଦକ ତପନ କୁମାର ମିଶ୍ର ସଭାରେ ସଭାପତିତ୍ବ କରି ଡ.ରାଧାନାଥ ରଥଙ୍କ ଜୀବନାଦର୍ଶ ଉପରେ ଆଲୋକପାତ କରିଥିଲେ। ଯୁଗ୍ମ ମୁଖ୍ୟ ପରିଚାଳକ ପ୍ରିୟବ୍ରତ ମହାନ୍ତି ଧନ୍ୟବାଦ ଦେଇଥିଲେ। ସେହିଭଳି ପୂର୍ବାହ୍ଣରେ ସ୍ଥାନୀୟ ଗଡ଼ଗଡ଼ିଆ ଘାଟସ୍ଥିତ ମହାନଦୀରେ ତିଳତର୍ପଣ ଅର୍ପଣ କରାଯିବା ସହ ଡ. ରାଧାନାଥ ରଥଙ୍କ ପ୍ରତିମୂର୍ତ୍ତିରେ ବହୁ ବିଶିଷ୍ଟ ବ୍ୟକ୍ତି ମାଲ୍ୟାର୍ପଣ କରିଥିଲେ। ଏକ ସର୍ବଧର୍ମ ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇଥିଲା। ‘ସମାଜ’ର ପୂର୍ବତନ ସମ୍ପାଦକ ଡ.ପ୍ରମୋଦ ମହାପାତ୍ର, ପୂର୍ବତନ କାର୍ଯ୍ୟବାହୀ ସମ୍ପାଦକ ଡ.ସତ୍ୟ ରାୟ, ମହାନଗର ଶାନ୍ତି କମିଟି ସଭାପତି ଦେବେନ୍ଦ୍ର ସାହୁ, ସମ୍ପାଦକ ଭିକାରି ଦାସ, ସମାଜସେବୀ କିଶୋର ଜେନା, ଅରବିନ୍ଦ ରାଉତରାୟ, ଦୀପାୟନ ପଟ୍ଟନାୟକ, ସାହିତ୍ୟିକ ସଞ୍ଜିତ ପଟ୍ଟନାୟକ, ଭୁବନାନନ୍ଦ ମହାନ୍ତି, ଗୋବିନ୍ଦ ଚନ୍ଦ୍ର ଭୂୟାଁ, ଆଇନଜୀବୀ ସୁରେନ୍ଦ୍ର ନାଥ କର, ସମାଜସେବୀ ଶରତ ସାହୁଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଓ ‘ସମାଜ’ର କର୍ମଚାରୀ ଉପସ୍ଥିତ ଥିଲେ। ରାଧାନାଥଙ୍କ ଜୟନ୍ତୀ ଏବଂ ଶ୍ରାଦ୍ଧୋତ୍ସବକୁ ରାଜ୍ୟସ୍ତରରେ ପାଳନ ନିମନ୍ତେ ଓଡ଼ିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତି ବିଭାଗ ନିକଟରେ ଦାବି ଉପସ୍ଥାପନ କରିବାକୁ ସଭାରେ ମତ ପ୍ରକାଶ ପାଇଥିଲା। ଉମେଶ ମିଶ୍ର ଗୀତା ପାଠ କରିଥିବାବେଳେ ସୟଦ ଇମ୍‌ତିଆଜ ଅଲ୍ଲୀ କୋରାନ, ଇଦୁ କୁମାରୀ ବାଇବେଲ୍, ଇନ୍ଦୁଲତା ସାହୁ ଓ ରମାକାନ୍ତ ମଣ୍ଡଳ ସର୍ବୋଦୟ ସଙ୍ଗୀତ ଗାନ କରିଥିଲେ।

Hot this week

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

Related Articles

Popular Categories