www.samajalive.in
Sunday, December 14, 2025
16.1 C
Bhubaneswar

ଆଞ୍ଚଳିକ ଦଳ ରଣନୀତି ଫିକା: ବିଜେଡି ଦଶା ଭୋଗିଲା ଆପ୍

ଭୁବନେଶ୍ବର : କାଳ ହେଲା ଅତ୍ୟଧିକ ଆତ୍ମବିଶ୍ବାସ। ଯେଉଁ କାରଣରୁ ଓଡ଼ିଶାରେ ବିଜୁ ଜନତା ଦଳ ପରାଭବ ଭୋଗିଥିଲା, ସେଇ କାରଣରୁ ଆମ୍ ଆଦ୍‌ମୀ ପାର୍ଟିକୁ ପରାଜିତ ହେବାକୁ ପଡ଼ିଲା। ଉଭୟ ବିଜେଡି ଓ ଆପ୍ ଆଞ୍ଚଳିକ ଦଳ ହିସାବରେ ଦୁର୍ନୀତି ହଟାଇବାର ସ୍ଲୋଗାନ ଦେଇ ବିକାଶକୁ ପ୍ରସଙ୍ଗ କରି କ୍ଷମତାକୁ ଆସିଥିଲେ। କିନ୍ତୁ ଦୀର୍ଘ ବର୍ଷ କ୍ଷମତାରେ ରହିବା ଭିତରେ ଦଳର ମୁଖିଆଙ୍କ ମନମୁଖି ଏକଚାଟିଆ ନିଷ୍ପତ୍ତି ଦଳକୁ ଲୋକଙ୍କଠାରୁ ଦୂରେଇ ନେଲା ଏବଂ ଲୋକେ ମୁହଁ ଫେରାଇ ନେଲେ। ଓଡ଼ିଶାରେ ଦୀର୍ଘ ୨୪ ବର୍ଷ ପରେ ବିଜେଡିର ପତ୍ତନ ହୋଇଥିବାବେଳେ ଦିଲ୍ଲୀରେ ୧୧ ବର୍ଷ ପରେ ଆପ କ୍ଷମତାଚ୍ୟୁତ ହୋଇଛି।

ଉଭୟ ଦଳ ସେମାନଙ୍କ ଶାସନ କାଳରେ ବିକାଶ ଉପରେ ଧ୍ୟାନ ଦେଇଥିଲେ ହେଁ ବିକାଶ ପଛରେ ଦୁର୍ନୀତି ଓ ଅନିୟମିତତା ବି ରହିଥିଲା। ଓଡ଼ିଶାରେ ବିଜେଡି ସରକାର ଅଣଓଡ଼ିଆ ପ୍ରଶାସକଙ୍କ ରାଜୁତି ପାଇଁ ଲୋକଙ୍କ କ୍ରୋଧର ଶିକାର ହେଲା। ଦଳର ନେତା, ମନ୍ତ୍ରୀଙ୍କ ଅପେକ୍ଷା ଅମଲାତନ୍ତ୍ର ଅଧିକ ମାତ୍ରାରେ ସକ୍ରିୟ ରହିଲା। ବିଜେପି ଏହି ମଉକାରେ ନିର୍ବାଚନ କାଳରେ ଓଡ଼ିଆ ଅସ୍ମିତାକୁ ପ୍ରସଙ୍ଗ କରି ଲୋକଙ୍କ ସମର୍ଥନ ହାସଲ କଲା ଏବଂ କ୍ଷମତାକୁ ଆସିଲା। ଦିଲ୍ଲୀରେ କେଜରିୱାଲ ସରକାର ଦୁର୍ନୀତିମୁକ୍ତ ଶାସନ ଓ ବିକାଶ ନାରା ଦେଇ କ୍ଷମତାକୁ ଆସିଥିଲା। ମାତ୍ର ବିକାଶ ଅପେକ୍ଷା ଦିଲ୍ଲୀ ସରକାର ଅବକାରୀ ଦୁର୍ନୀତି ପାଇଁ ବେଶୀ ନିନ୍ଦିତ ହେଲା। ଏଠାରେ ପ୍ରଦୂଷଣ ରୋକିବାରେ ମଧ୍ୟ ଆପ୍ ବିଫଳ ହେଲା। ଯେଉଁ ସାଧାରଣ ଲୋକ ଆଶାଠୁ ଅଧିକ ସମର୍ଥନ ଦେଇ କେଜରିୱାଲଙ୍କୁ କ୍ଷମତାସୀନ କରାଇଥିଲେ ସେଇ ଜନତା ଆପ୍‌ ସରକାରକୁ ବିଦା କରିଦେଲେ। ଏପରିକି ସରକାର ଗଢ଼ିବା ପୂର୍ବରୁ ଆନ୍ଦୋଳନ ସମୟରେ କେଜରିୱାଲଙ୍କ ସମର୍ଥକ ଥିବା ଆନ୍ନା ହଜାରେଙ୍କ ଭଳି ବହୁ ସ୍ବାଭିମାନୀ ତାଙ୍କଠାରୁ ଦୂରେଇ ଗଲେ ଏବଂ ଅନେକ ତାଙ୍କର ଶତ୍ରୁ ପାଲଟିଗଲେ।

- Advertisement -

ଓଡ଼ିଶାରେ ସମସ୍ତେ କହୁଥିଲେ ନବୀନ ଅପରାଜେୟ। ମାତ୍ର ସେ ଏକକାଳୀନ ଦୁଇଟି ଆସନରୁ ପ୍ରତିଦ୍ବନ୍ଦ୍ବିତା କରି ଜିତିବାର ଦମ୍ଭ ରଖିଥିଲେ ବି ଗୋଟିକରୁ ହାରି ଯାଇଥିଲେ। ଏ ଘଟଣା ଦଳୀୟ ରଣନୀତିକୁ ଶକ୍ତ ଧକ୍କା ଦେଇଥିଲା। ଅନୁରୂପ ଭାବେ ଆପ ମୁଖିଆ କେଜରିୱାଲ ଅଧିକ ଆତ୍ମବିଶ୍ବାସରେ ଫସିଗଲେ। ଅନ୍ୟକୁ ଜିତାଇବା ତ ଦୂରର କଥା ନିଜେ ଶକ୍ତ ପରାଜୟ ବରଣ କଲେ। ଓଡ଼ିଶାରେ ବିଜେଡି ବିଜେପିର ହାତ ଛାଡ଼ିବା ପରେ ୨୦୦୯ରୁ ୨୦୧୯ ତିନିଟି ନିର୍ବାଚନରେ ନିରଙ୍କୁଶ ଭାବେ କ୍ଷମତାକୁ ଦଖଲ କରିଥିଲା। ୨୦୨୪ ନିର୍ବାଚନରେ ବିଜେଡି ଏହାର ବିଜୟ ଯାତ୍ରାକୁ ଅବ୍ୟାହତ ରଖିବ ବୋଲି ଧରି ନେଇଥିଲା। କିନ୍ତୁ ବିଜେଡି ସରକାର ବିରୋଧରେ ଯେ ଏକ ଅନ୍ତଃସ୍ରୋତ ବହୁଥିଲା ତାହା କ୍ଷମତା କେନ୍ଦ୍ର କିମ୍ବା ଦଳକୁ ପରିଚାଳନା କରୁଥିବା ନେତା ଓ ପ୍ରଶାସକ ଜାଣିପାରି ନଥିଲେ। ଏପରିକି ଗତ ନିର୍ବାଚନରେ ଦଳର ସବୁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନବୀନଙ୍କ ଅପେକ୍ଷା ତାଙ୍କ ସହାୟକ ଓ ହାତଗଣତି ନେତା ତଥା ପ୍ରଶାସନିକ ଅଧିକାରୀ ନେଉଥିଲେ। ନବୀନ ନିର୍ବାଚନ ସଭାକୁ ନଯିବାରୁ ଦଳକୁ ବହୁ କ୍ଷତି ସହିବାକୁ ପଡ଼ିଲା। ନେତା ଭାବୁଥିଲେ ଯାହାକୁ ଟିକଟ ଦେଲେ ବି ଜିତିଯିବେ। ତେଣୁ ଅନ୍ୟ ଦଳ ତୁଳନାରେ ବିଜେଡିରୁ ଟିକଟ ପାଇବାକୁ ଅଧିକ ଲବି ଲକ୍ଷ୍ୟ କରାଯାଇଥିଲା। କେତେକ ନବାଗତ ଓ ଦଳ ଡିଆଁ ଟିକଟ ହାତେଇ ନେଇଥିଲେ ବି ନିର୍ବାଚନରେ ଜିତିପାରି ନଥିଲେ।

ଠିକ୍ ସେହିପରି ଆପ୍ ବିଭିନ୍ନ ମାମଲାରେ ଛନ୍ଦି ହେବା ପରେ ବି ଦଳର ମୁଷ୍ଟିମେୟ ନେତା ଏଥିପ୍ରତି ସେତେଟା ଗୁରୁତ୍ବ ଦେଉ ନଥିଲେ। ଦଳ ସଜାଡ଼ିବା ପରିବର୍ତ୍ତେ ବିରୋଧୀଙ୍କ ମୁକାବିଲା ପାଇଁ ଅଧିକ ସମୟ ଦେଉଥିଲେ। କେଜରିୱାଲଙ୍କ ଭାବମୂର୍ତ୍ତି, ଭାଷଣ ଓ ଶାରୀରିକ ପରିଭାଷା ବି ବଦଳି ଯାଇଥିଲା। ସାଧାରଣ ଲୋକଙ୍କ କଥା ପାସୋରି ଯାଇଥିଲେ ଏବଂ ଏଥର ତାଙ୍କ ଭାଷଣ ଭୋଟରଙ୍କୁ ଛୁଇଁପାରି ନଥିଲା। ଦଳୀୟ ନେତା ବିଭିନ୍ନ ମାମଲାରେ ଫସି ଯାଇଥିବାବେଳେ କିଛି ନେତା ସ୍ବାର୍ଥକୁ ଅଗ୍ରାଧିକାର ଦେଇଥିଲେ। ବିଜେପି ଏଠାରେ ନିଜର ସଙ୍ଗଠନକୁ ମଜଭୁତ କରିବା ସହିତ ଆପ୍‌ ଯେଉଁସବୁ କ୍ଷେତ୍ରରେ ବିଫଳ ହୋଇଛି ସେସବୁକୁ ପ୍ରସଙ୍ଗ କରି ଭୋଟରଙ୍କ ନିକଟକୁ ଯାଇଥିଲା। ନିର୍ବାଚନ ରଣନୀତିକୁ ଶାଣିତ କରିଥିଲା। ଆପ୍‌ ଯେ ଦିଲ୍ଲୀ ପାଇଁ ବିପଦ ସେ ବାର୍ତ୍ତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କଠାରୁ ଆରମ୍ଭ କରି ଦଳୀୟ ନେତା ପ୍ରଚାର କରିଥିଲେ। ଏଭଳି ସ୍ଥିତିରେ କେଜରିୱାଲ ତାଙ୍କ ଭାବମୂର୍ତ୍ତିକୁ ସଜାଡ଼ିବା ପାଇଁ ସମୟ ପାଇ ନଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories