ଖୋର୍ଦ୍ଧା : ଜିଲା ମୁଖ୍ୟଦପ୍ତରରେ ଥିବା ଏକାଧିକ ସରକାରୀ କାର୍ଯ୍ୟାଳୟରେ ସପ୍ତାହର ଅଧିକାଂଶ ସମୟରେ ଚାବିପଡ଼ୁଥିବାରୁ ଏଠାକୁ ବିଭିନ୍ନ କାର୍ଯ୍ୟ ହାସଲ ଲାଗି ଜିଲାର ବିଭିନ୍ନ ସ୍ଥାନରୁ ଆସୁଥିବା ଲୋକେ ବହୁବିଧ ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି। ଏଭଳି ସ୍ଥିତିରେ ଜିଲା ମୁଖ୍ୟାଳୟରେ କାର୍ଯ୍ୟ କରୁଥିବା ଉପନିୟୋଜନ କାର୍ଯ୍ୟାଳୟ, ବୈଧ ମାପବିଜ୍ଞାନ କାର୍ଯ୍ୟାଳୟ ଓ ଜିଲା ଖାଉଟି ସୁରକ୍ଷା ବିବାଦ ସମାଧାନ ମଞ୍ଚ କାର୍ଯ୍ୟାଳୟ ଆଦି ବିଭିନ୍ନ ସମୟରେ ଚାବିପଡ଼ି ବନ୍ଦ ରହୁଥିବା ଲକ୍ଷ୍ୟ କରାଯାଇଛି। ଅନ୍ୟପକ୍ଷରେ ଏଥିନେଇ ବୁଦ୍ଧିଜୀବୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପରିଲକ୍ଷିତ ହୋଇଛି।
ପଲଟଣ ପଡ଼ିଆ ଇଲାକାରେ ଦୀର୍ଘବର୍ଷ ଧରି ଏକ ଭଡ଼ାଘରେ ଚାଲିଥିବା ଉପନିୟୋଜନ କାର୍ଯ୍ୟାଳୟ ସପ୍ତାହର ସବୁ ସମୟରେ ଚାବି ପଡ଼ିଥିବା ଦେଖିବାକୁ ମିଳିଛି। ଏହାର ପରିସର ଲଟାବୁଦାମୟ ହୋଇ ଜରାଜୀର୍ଣ୍ଣ ସ୍ଥିତିରେ ରହିଥିବାରୁ ଏଠାରେ ଉକ୍ତ କାର୍ଯ୍ୟାଳୟ ଚାଲୁ ହେଉଛି କି ନାହିଁ ସେଥିନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ ଚାକିରି ଅନ୍ବେଷଣରେ ଆସୁଥିବା ଯୁବକ ଯୁବତୀମାନେ ଏଠାକୁ ବହୁସଂଖ୍ୟାରେ ନିଜ ନାମ ପଞ୍ଜୀକରଣ କରିବାକୁ ଆସୁଥିଲେ ହେଁ ସେମାନେ ହତାଶ ହୋଇ ଫେରୁଥିବା ଲକ୍ଷ୍ୟ କରାଯାଇଛି। ଏହାଛଡ଼ା ଉକ୍ତ କାର୍ଯ୍ୟାଳୟ ସମେତ ଏହାର ସମ୍ମୁଖ ଭାଗରେ ଥିବା ଫାଟକରେ ଚାବି ପକା ଯାଉଥିବାବେଳେ ଫାଟକ ନିକଟରେ କୌଣସି ବିଜ୍ଞପ୍ତି ଫଳକ ନଥିବାରୁ ଏହି କାର୍ଯ୍ୟାଳୟ କେତେବେଳେ ଖୋଲୁଛି, କେତେବେଳେ ବନ୍ଦ ରହୁଛି, ସେଥିନେଇ ସ୍ପଷ୍ଟ କିଛି ଜଣାପଡ଼ୁନି। ଏଭଳି ସ୍ଥିତିରେ ଜିଲାପାଳଙ୍କ କାର୍ଯ୍ୟାଳୟ ସହ ଯୋଗାଯୋଗ କରିବାରେ ଦାୟିତ୍ବରେ ଥିବା ଅଧିକାରୀ ଉକ୍ତ କାର୍ଯ୍ୟାଳୟ ସପ୍ତାହର କେବଳ ମଙ୍ଗଳବାର ଖୋଲୁଥିବା ଦର୍ଶାଇଥିଲେ। ସେହିପରି କର୍ମଜୀବୀ ମହିଳା ନିବାସ (ପୁରୁଣା ଜିଲାପାଳଙ୍କ କାର୍ଯ୍ୟାଳୟ)ର ପ୍ରଥମ ମହଲାରେ ବୈଧ ମାପବିଜ୍ଞାନ ବିଭାଗର ସହକାରୀ ନିୟନ୍ତ୍ରକଙ୍କ କାର୍ଯ୍ୟାଳୟ ଚାଲିଥିଲେ ହେଁ ତାହା ଅଧିକାଂଶ ସମୟ ଚାବିରେ ଶୋଭାପାଉଥିବା ଲକ୍ଷ୍ୟ କରାଯାଇଛି। ସହରରେ ଗ୍ରାହକଙ୍କୁ ଠକିବା ଲାଗି ବ୍ୟବସାୟୀମାନେ ବହୁବିଧ ନୀତି ଆପଣାଉଥିବାବେଳେ ସେମାନଙ୍କୁ ଧରିବାରେ ସରକାରୀ ନିୟନ୍ତ୍ରକଙ୍କ କୋହଳ ମନୋଭାବ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ଏବେ ବି ଅଧିକାଂଶ ପରିବା ବ୍ୟବସାୟୀ ସାମଗ୍ରୀ ଓଜନ କରିବା ବେଳେ ସଠିକ୍ ବଟକରା ପରିବର୍ତ୍ତେ ପଥର, ସିମେଣ୍ଟ ଖଣ୍ଡ, ବୋଲ୍ଟ ଆଦି ବ୍ୟବହାର କରୁଥିବା ଦେଖିବାକୁ ମିଳିଛି। ସେହିପରି ବିଭିନ୍ନ ଦୋକାନରେ ବ୍ୟବହୃତ ବୈଦ୍ୟୁତିକ ଓଜନକୁ ନିୟମିତ ସମୟ ବ୍ୟବଧାନରେ ବିଭାଗୀୟ ଅଧିକାରୀଙ୍କ ଦ୍ବାରା ଯାଞ୍ଚ କରାଯାଉ ନଥିବାରୁ ସେମାନେ ଖାଉଟିଙ୍କୁ ମନଇଚ୍ଛା ଠକି ଚାଲିଛନ୍ତି । ଏଭଳି ସ୍ଥିତିରେ ସହକାରୀ ନିୟନ୍ତ୍ରକ ଚଢ଼ଉ କରିବା ପରିବର୍ତ୍ତେ ତାଙ୍କ କାର୍ଯ୍ୟାଳୟ ଅଧିକାଂଶ ସମୟ ବନ୍ଦ ରହୁଥିବାରୁ ଅସାଧୁ ବ୍ୟବସାୟୀମାନେ ଠକେଇରେ ସକ୍ରିୟ ହୋଇପଡ଼ିଛନ୍ତି। ଏଥିନେଇ ସହକାରୀ ନିୟନ୍ତ୍ରକଙ୍କ କାର୍ଯ୍ୟାଳୟର ବଡ଼ବାବୁଙ୍କ ସହ ଯୋଗାଯୋଗ କରିବାରେ ଏହି କାର୍ଯ୍ୟାଳୟ ଉଭୟ ଖୋର୍ଦ୍ଧା ଓ ନୟାଗଡ଼ ଜିଲା ଦାୟିତ୍ବରେ ଥିବା ଏବଂ କର୍ମଚାରୀ ସଂଖ୍ୟା କମ୍ ଥିବାରୁ ଚଢ଼ଉ କରିବାକୁ ଚାଲିଯିବାରେ କାର୍ଯ୍ୟାଳୟ ବନ୍ଦ ରହୁଥିବା କହିଛନ୍ତି। ଅନ୍ୟପକ୍ଷରେ ସେହି କର୍ମଜୀବୀ ମହିଳା ନିବାସର ଉପର ମହଲାରେ ୨୦୧୫ ମସିହାରେ ଜିଲା ଖାଉଟି ସୁରକ୍ଷା ବିବାଦ ସମାଧାନ ମଞ୍ଚ କାର୍ଯ୍ୟାଳୟକୁ ତତ୍କାଳୀନ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ସଞ୍ଜୟକୁମାର ଦାସବର୍ମା, ତତ୍କାଳୀନ ଆଇନ ଓ ପଞ୍ଚାୟତିରାଜ ମନ୍ତ୍ରୀ ଅରୁଣକୁମାର ସାହୁ ଓ ପୂର୍ବତନ ନଗର ଉନ୍ନୟନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ ପ୍ରମୁଖଙ୍କ ଉପସ୍ଥିତିରେ ଉଦ୍ଘାଟିତ ହୋଇଥିଲେ ହେଁ ତାହା ପ୍ରାୟ ଉଦ୍ଘାଟନ ପରଠାରୁ ବନ୍ଦ ରହିଥିବା ପରିଲକ୍ଷିତ ହୋଇଛି। ଏହାର ସମ୍ମୁଖ ଭାଗ ଅଳନ୍ଧୁମୟ ହୋଇ ଜରାଜୀର୍ଣ୍ଣ ସ୍ଥିତିରେ ଥିବାରୁ ଏହି କାର୍ଯ୍ୟାଳୟ ଆଦୌ ଖୋଲୁ ନଥିବା ଜଣାପଡ଼ିଛି। ଏହାଛଡ଼ା ଖାଉଟିଙ୍କ ବିଦାଦର ସମାଧାନ ଲାଗି ଏହା କେବେ ଖୋଲୁଛି, ସେଥିନେଇ କିଛି ସ୍ପଷ୍ଟ ସୂଚନା ମଧ୍ୟ ଏଠାରେ ନାହିଁ। ଏଣୁ ଏଥିପ୍ରତି ଜିଲାପାଳ ଯତ୍ନବାନ ହେବାକୁ ଦାବି କରାଯାଇଛି।



