www.samajalive.in
Sunday, December 14, 2025
16.1 C
Bhubaneswar

୨୦୧୯ ବଜେଟ: କୃଷକ, ଶ୍ରମିକ ଓ ମଧ୍ୟବିତ୍ତଙ୍କୁ ଉପହାର

ନୂଆଦିଲ୍ଲୀ: ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ସରକାର କାମଚଳା ବଜେଟ୍‍ ଉପସ୍ଥାପନ କରିଛନ୍ତି। କେନ୍ଦ୍ରରେ କ୍ଷମତାସୀନ ମୋଦୀ ସରକାର ତାଙ୍କର ଶେଷ ବଜେଟ୍‍ରେ କୃଷକ, ଶ୍ରମିକ ଓ ମଧ୍ୟବିତ୍ତଙ୍କ ଶ୍ରଦ୍ଧାଭାଜନ ହେବା ପାଇଁ ପ୍ରୟାସ କରିଛନ୍ତି। ଏଥିସହିତ ଗତ ସାଢ଼େ ଚାରିବର୍ଷ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ସଫଳତାର ବର୍ଣ୍ଣନା ସହିତ ୨୦୩୦ରେ ସମୃଦ୍ଧ ଭାରତର ପରିକଳ୍ପନା କରିଛନ୍ତି।
ଚାଷୀଙ୍କ ଅର୍ଥନୈତିକ ସୁରକ୍ଷାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ‘ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା’ ଘୋଷଣା କରିଛନ୍ତି। ଏହି ଯୋଜନା ଅଧୀନରେ ୨ ହେକ୍ଟରରୁ କମ୍‍ ଚାଷ ଜମି ଥିବା କୃଷକଙ୍କୁ ଏଣିକି ବାର୍ଷିକ ୬ ହଜାର ଟଙ୍କା ଲେଖାଏଁ ମିଳିବ। ଏହି ଟଙ୍କା ସିଧାସଳଖ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ତିନିଟି କିସ୍ତିରେ ଯିବ। ୨୦୧୮, ଡିସେମ୍ବର ୧ ତାରିଖରୁ ପିଛିଲା ଭାବେ ଏହା ଲାଗୁ ହେବ। ଏହାଦ୍ୱାରା ୧୨ କୋଟି କୃଷକ ପରିବାର ଉପକୃତ ହେବେ ଏବଂ ଏଥିପାଇଁ କେନ୍ଦ୍ର ସରକାର ଚଳିତ ଆର୍ଥିକ ବର୍ଷରେ ୭୫ ହଜାର କୋଟି ଟଙ୍କାର ଅତିରିକ୍ତ ବୋଝ ବହନ କରିବେ। କେବଳ ସେତିକି ନୁହେଁ, ଶସ୍ୟ ଋଣ ଉପରେ କେନ୍ଦ୍ର ସରକାର ବଡ଼ ଧରଣର ସୁଧ ରିହାତି ଘାଷଣା କରିଛନ୍ତି। ଦୈବୀ ଦୁର୍ବିପାକରେ କ୍ଷତିଗ୍ରସ୍ତ ଚାଷୀଙ୍କ କୃଷି ଋଣ ଉପରେ ୨% ସୁଧ ଛାଡ଼ କରାଯିବ। ଯେଉଁ ଚାଷୀମାନେ ଠିକ୍‍ ସମୟରେ ଋଣ ପରିଶୋଧ କରିଥିବେ ସେମାନଙ୍କୁ ଅତିରିକ୍ତ ୩% ସୁଧ ଛାଡ଼ କରାଯିବ। ଅର୍ଥାତ୍‍ ଚାଷୀମାନେ ୫% ପର୍ଯ୍ୟନ୍ତ ସୁଧ ଛାଡ଼ର ସୁବିଧା ପାଇପାରିବେ। କୃଷି ସହିତ ପଶୁପାଳନ ଓ ମତ୍ସ୍ୟଚାଷକୁ ମଧ୍ୟ କେନ୍ଦ୍ର ସରକାର ଗୁରୁତ୍ୱ ଦେଇଛନ୍ତି। ପଶୁପାଳନ ଉପରେ ନିର୍ଭର କରୁଥିବା ଚାଷୀଙ୍କ ପାଇଁ ‘ରାଷ୍ଟ୍ରୀୟ ଗୋକୁଳ ଯୋଜନା’ର ବ୍ୟୟ ବରାଦକୁ ୭୫୦ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। ଏଥିସହିତ ଦେଶରେ ଗୋସମ୍ପଦର ସୁରକ୍ଷା ଓ ଉନ୍ନତି ପାଇଁ ‘ରାଷ୍ଟ୍ରୀୟ କାମଧେନୁ ଯୋଜନା’ ଘୋଷଣା କରାଯାଇଛି। ମତ୍ସ୍ୟ ଉତ୍ପାଦନ ବା ମତ୍ସ୍ୟଜୀବୀଙ୍କ ଉନ୍ନତି ଓ ବିକାଶ ପାଇଁ ମଧ୍ୟ କେନ୍ଦ୍ର ସରକାର ସମାନ ଦୃଷ୍ଟି ଦେଇଛନ୍ତି। ଏଣିକି ମତ୍ସ୍ୟଚାଷୀଙ୍କୁ କୃଷକଙ୍କ ସହିତ ସମାନ ସମ୍ମାନ ମିଳିବ ଓ କିସାନ କ୍ରେଡିଟ୍‍ କାର୍ଡରେ ମିଳୁଥିବା ସମସ୍ତ ସୁବିଧା ସୁଯୋଗ ମତ୍ସ୍ୟଚାଷୀଙ୍କୁ ମିଳିବ। ସେମାନଙ୍କୁ ୨% ସୁଧ ରିଆତିରେ ଋଣ ଯୋଗାଇ ଦିଆଯିବ।
ସେହିପରି ଉଭୟ ସଂଗଠିତ ଓ ଅଣସଂଗଠିତ କ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକଙ୍କ ପାଇଁ ମୋଦୀ ସରକାର ‘ପ୍ରଧାନମନ୍ତ୍ରୀ ଶ୍ରମଯୋଗୀ ମାନଧନ ଯୋଜନା’ ଅଧୀନରେ ପେନ୍‍ସନ୍‍ ଘୋଷଣା କରିଛନ୍ତି। ମାସିକ ୧୫ ହଜାର ଟଙ୍କା କିମ୍ବା ତାଠାରୁ କମ ପାଉଥିବା ଶ୍ରମିକମାନେ ୬୦ ବର୍ଷ ପରେ ମାସିକ ୩ ହଜାର ଟଙ୍କା ଲେଖାଏଁ ପେନ୍‍ସନ୍‍ ପାଇବେ। ଏଥିପାଇଁ କିନ୍ତୁ ସେମାନଙ୍କୁ ମାସିକ ୧୦୦ ଟଙ୍କା ଲେଖାଏଁ ଜମା କରିବାକୁ ପଡ଼ିବ। ଶ୍ରମିକଙ୍କ ମୃତ୍ୟୁ ଅନୁକମ୍ପା ରାଶି ୨.୫ ଲକ୍ଷ ଟଙ୍କାରୁ ୬ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି।
ଆସନ୍ନ ନିର୍ବାଚନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଆୟକର ଦାତା ବା ମଧ୍ୟବିତ୍ତ ବର୍ଗକୁ ଅସନ୍ତୁଷ୍ଟ କରିବାକୁ ଚାହିଁନାହାନ୍ତି। ତେଣୁ ଆୟକର ଛାଡ଼ ସୀମାକୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ଅର୍ଥାତ୍‍ ବାର୍ଷିକ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ କରୁଥିବା ବ୍ୟକ୍ତିଙ୍କୁ ଆୟକର ଦେବାକୁ ପଡ଼ିବ ନାହିଁ। ଏଥିସହିତ ଷ୍ଟାଣ୍ଡାର୍ଡ ଡିଡକସନ୍‍ ୪୦ ହଜାର ଟଙ୍କାରୁ ୫୦ ହଜାର ଟଙ୍କାକୁ ବୃଦ୍ଧି ପାଇଥିବା ବେଳେ ବ୍ୟାଙ୍କ ଓ ଡାକଘରେ ଜମା ଉପରେ ମିଳୁଥିବା ୪୦ ହଜାର ଟଙ୍କା ପର୍ଯ୍ୟନ୍ତ ସୁଧ ଆୟ ଉପରେ ଟିଡିଏସ୍‍ କଟିବ ନାହିଁ। ପୂର୍ବରୁ ୧୦ ହଜାର ଟଙ୍କାର ସୁଧ ଆୟ ଉପରେ ଟିଡିଏସ୍‍ କଟୁଥିଲା। ସେହିପରି ଅନ୍ୟାନ୍ୟ ନିର୍ଦ୍ଦିଷ୍ଟ କ୍ଷେତ୍ରରେ ୧.୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନିବେଶ ଉପରେ ଆୟ କର ଛାଡ଼ ସୁବିଧା ମିଳିପାରିବ।
କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍‍ଲୀ ଚିକିତ୍ସା ପାଇଁ ଆମେରିକାରେ ଥିବାରୁ ତାଙ୍କ ସ୍ଥାନରେ କେନ୍ଦ୍ର ରେଳ ମନ୍ତ୍ରୀ ପୀୟୂଷ ଗୋଏଲ୍‍ ବଜେଟ ଉପସ୍ଥାପନ କରିଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories