ଗଞ୍ଜେଇ ଚୋରା ଚାଲାଣବେଳେ ମାଡିବସିଲା ଅବକାରୀ ବିଭାଗ, ୫୦ କେଜି ଗଞ୍ଜେଇ ସହ କାର ଜବତ

ପାଟଣା : କେନ୍ଦୁଝର ଜିଲା ଘଟଗାଁ ବ୍ଲକ ଅନ୍ତର୍ଗତ ୨୦ନମ୍ବର ଜାତୀୟ ରାଜପଥର ଢେଙ୍କିକୋଟ ଫାଣ୍ଡି ଅଞ୍ଚଳ ସାନ ମସିଣାବିଲା ପେଟ୍ରୋଲ ପମ୍ପ ନିକଟରୁ ବିପୁଳ ପରିମାଣର ଗଞ୍ଜେଇ ସହ ଏକ କାରକୁ ଜବତ କରିଛି ଅବକାରୀ ବିଭାଗ। ମିଳିଥିବା ସୂଚନା ଅନୁଯାୟୀ ଓଡି ୦୨- କ୍ୟୁ -୮୫୭୪ ନମ୍ବର ଥିବା ଧଳା ରଙ୍ଗର ଏକ ହୋଣ୍ଡାଇ ଭର୍ଣ୍ଣା କାରରେ ଚୋରା ଗଞ୍ଜେଇ ନେଇ ଚାଲାଣ କରିବାକୁ ଯାଉଥିବାବେଳେ କୌଣସି ସୂତ୍ରରୁ ଖବର ପାଇ ମିଳିତ ଭାବେ ଘଟଗାଁ ଏବଂ ସଦର ଅବକାରୀ ବିଭାଗ ଉକ୍ତ କାରର ପିଛା କରିଥିଲେ। ଏହି ସମୟରେ ସାନ ମସିଣାବିଲା ପେଟ୍ରୋଲ ପମ୍ପ ନିକଟରେ କାରର ଡ୍ରାଇଭର ଏବଂ ଜଣେ ଗଞ୍ଜେଇ ମାଫିଆ ଗାଡିଟିକୁ ସେଠାରେ ଛାଡି ଦେଇ ଅବକାରୀ ବିଭାଗକୁ ଚକମା ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।
ଘଟଣାସ୍ଥଳରୁ ଗଞ୍ଜେଇ ସହ ଏହି କାରକୁ ଜବତ କରି ଘଟଗାଁ ଅବକାରୀ ବିଭାଗ କାର୍ଯ୍ୟାଳୟକୁ ଅଣାଯାଇଛି। ୫୦କେଜିରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ ହୋଇଥିବାବେଳେ ଏହାର ଆନୁମାନିକ ମୂଲ୍ୟ ୫ଲକ୍ଷ ଟଙ୍କା ହେବ ବୋଲି ଘଟଗାଁ ଅବକାରୀ ଥାନା ଅଧିକାରୀ ଗିରିଜା ଶଙ୍କର ଜେନା ସୂଚନା ଦେଇଛନ୍ତି। ଦେବଗଡ଼ରୁ ହାଟଡିହି ଏବଂ ଭଦ୍ରକ ଅଞ୍ଚଳକୁ ଏହି ଗଞ୍ଜେଇ ଚାଲାଣ ହେବାର ଥିଲା ବୋଲି ଜଣାପଡିଛି। ତେବେ ଏନେଇ ଅବକାରୀ ବିଭାଗ ଏକ ମାମଲା ରୁଜୁ କରି ଏତେ ପରିମାଣର ଗଞ୍ଜେଇ ଚୋରା ଚାଲାଣ ପଛରେ କାହାର ହାତ ଅଛି ସେନେଇ ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛି। ଏହି ଚଢାଉରେ ଘଟଗାଁ ଅବକାରୀ ଥାନା ଅଧିକାରୀ ଗିରିଜା ଶଙ୍କର ଜେନା, ସଦର ଅବକାରୀ ଥାନା ଅଧିକାରୀ ସ୍ୱାଭିମାନ ବଡଜେନାଙ୍କ ସମେତ ଅନ୍ୟ କର୍ମଚାରୀମାନେ ସାମିଲ ଥିଲେ।
Comments are closed.