www.samajalive.in
Sunday, December 14, 2025
15.1 C
Bhubaneswar

ପୁଣି ଗାଁ ମାଟିକୁ ଶବ ହୋଇ ଫେରିଲା ଦାଦନ ଶ୍ରମିକ

କଲମପୁର: କଳାହାଣ୍ଡି ଜିଲାରେ ଶେଷ ହେଉନି ଦାଦନ ଦୁଃଖ। କେତେବେଳେ ଇଟା ଭାଟିରେ ବନ୍ଧକ ପଡ଼ି ନିର୍ଯାତିତ ହେଉଛି ତ ପୁଣି କେତେବେଳେ ହାତ ଗୋଡ କଟା ଅବସ୍ଥାରେ ଘରକୁ ଫେରୁଛି। ଆଉ କେତେବେଳେ ନିଖୋଜ ହେଇଯାଉଛି। ନହେଲେ ଶବ ହୋଇ ଫେରୁଛି ଦାଦନ ଶ୍ରମିକ। ଇତି ମଧ୍ୟରେ ପୁଣି ଜଣେ ଯୁବ ଦାଦନ ଶ୍ରମିକଙ୍କ ମୃତଦେହ ଗାଁକୁ ଫେରିବା ଘଟଣା ସାଧାରଣରେ ଆଲୋଡନ ସୃଷ୍ଟି କରିଛି। ଅଧିକ ରୋଜଗାର କରିବା ଆଶାରେ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଇଥିବା ଜଣେ ଯୁବ ଦାଦନ ଶ୍ରମିକଙ୍କ ମୃତଦେହ ବୁଧବାର ବିଳମ୍ବିତ ରାତିରେ ଜନ୍ମ ମାଟି ବାଲିଛଡାକୁ ଫେରିଛି। ଶୋକାକୂଳ ପରିବେଶରେ ହାତୀ ନଦୀ କୂଳ ଗାଁ ଶ୍ମଶାନରେ କରାଯାଇଛି ଦାହ ସଂସ୍କାର।

ସୂଚନା ଅନୁସାରେ, ବାଲିଛଡା ଗ୍ରାମର ୧୯ ବର୍ଷିୟ ଶରତ ବେମାଲ ଗତ ଦୁଇ ମାସ ତଳେ ଅଧିକ ରୋଜଗାର କରିବା ଆଶାରେ ନିଜ ସାଥି ଶ୍ରମିକଙ୍କ ସହ ଚେନ୍ନଇର ବାନାଗରମ ଅଞ୍ଚଳରେ ଥିବା ସିର୍କି ନାମକ ଏକ ନିର୍ମାଣ କମ୍ପାନୀରେ ଶ୍ରମିକ ଭାବେ ନିୟୋଜିତ ହେଇଥିଲା। କମ୍ପାନୀ ପକ୍ଷରୁ ସିମେଣ୍ଟ ପିଲର ସବୁ ନିର୍ମାଣ କରି ହାଇଡ୍ରା ସହାୟତାରେ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥାଏ। ଗତ ସୋମବାର ଦିନ ଏକ ହାଇଡ୍ରାରେ ସିମେଣ୍ଟ ପିଲର ସ୍ଥାନାନ୍ତର କରାଯାଉଥିବାବେଳେ ହଠାତ୍‌‌ ହାଇଡ୍ରାର ତାର ଛିଣ୍ଡି ପଡ଼ିଥିଲା ଏବଂ ନିକଟରେ ଥିବା ଶରତଙ୍କ ଉପରେ ସିମେଣ୍ଟ ପିଲର ପଡ଼ିଯାଇଥିଲା। ଫଳରେ ଶରତ ଗୁରୁତର ଭାବେ ଆହତ ହୋଇଥିଲେ। ତାଙ୍କୁ ଉଦ୍ଧାର କରି ନିକଟସ୍ଥ ଏକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏହାପରେ କମ୍ପାନୀ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଶବ ବ୍ୟବଚ୍ଛେଦ କରାଇବା ସହ ଶରତଙ୍କ ଗାଁ ବାଲିଛଡାକୁ ମୃତଦେହ ପଠାଇଥିଲେ। କିନ୍ତୁ ବର୍ତମାନ ପର୍ଯ୍ୟନ୍ତ ମୃତକର ପରିବାରକୁ କୌଣସି ଆନୁସଙ୍ଗିକ ସହାୟତା ପ୍ରଦାନ କରାଯାଇ ନାହିଁ। ରୋଜଗାରିଆ ପୁଅକୁ ହରାଇ ଏବେ ଆସହାୟ ହୋଇପଡ଼ିଛି ପରିବାର।

- Advertisement -

ଦିନକୁ ଦିନ ଦାଦନ ସମସ୍ୟା ଜଟିଳ ହେଉଛି। କିନ୍ତୁ ଜିଲା ଶ୍ରମ ବିଭାଗ ଆଦୌ ଗୁରୁତ୍ୱ ଦେଉନାହିଁ। ଗତ ସାଧାରଣ ନିର୍ବାଚନ ସମୟରେ ଦାଦନ ସମସ୍ୟା ରୋକିବା ନେଇ ସରକାରକୁ ଆସିଲେ ପଦକ୍ଷେପ ନିଆଯିବାର ବିଜେପି ପକ୍ଷରୁ ଘୋଷଣା କରାଯାଇଥିଲା। କିନ୍ତୁ ପରିତାପର ବିଷୟ ଶାସନ କ୍ଷମତାକୁ ଆସିବାର ଦୀର୍ଘ ଦୀର୍ଘ ୬ ମାସ ପୂର୍ଣ୍ଣ ହେଇସାରିଥିଲେ ମଧ୍ୟ ଦାଦନ ଶ୍ରମିକ ରୋକିବାରେ ସଫଳ ହୋଇନାହିଁ। ଗତ ୬ ମାସ ମଧ୍ୟରେ କେବଳ କଲମପୁର ଅଞ୍ଚଳରୁ ପ୍ରାୟ ୬ ଜଣ ଦାଦନଙ୍କ ଶୋଚନୀୟ ମୃତ୍ୟୁ ଘଟି ସାରିଛି। ଗତ ୨୦୨୩/୨୪ରେ ବ୍ଲକର ୧୮ ଜଣ ଦାଦନ ଶ୍ରମିକଙ୍କ ମୃତ୍ୟୁ ହେଇଥିଲା। ଇନ୍ଦ୍ରାବତୀ ଜଳ ସେଚନ ବିଭାଗ ଦ୍ୱାରା କଲମପୁର ଅଞ୍ଚଳରେ ଦୁଇ ଫସଲୀ ଚାଷ କରାଯାଉଛି। ବର୍ଷକ ୧୨ ମାସ ଚାଷୀଙ୍କୁ ଶ୍ରମିକଙ୍କ ଆବଶ୍ୟକତା ରହିଛି। ଦୈନିକ ୩ଶହ ଟଙ୍କା ମଜୁରୀ ହାରରେ ସକାଳ ସାଢେ ୮ରୁ ଅପରାହ୍ନ ୩ଟା। ପ୍ରାୟ ସାଢେ ୬ ଘଣ୍ଟାରେ ଜଣେ ଶ୍ରମିକ ରୋଜଗାର କରୁଛି। ଏଭଳି ସ୍ଥିତିରେ ଲୋକଙ୍କୁ ଶ୍ରମିକ ଅଭାବ ଥିବାବେଳେ କଲମପୁର ଅଞ୍ଚଳର ଶ୍ରମିକ କେଉଁ କାରଣରୁ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଉଛନ୍ତି ତାହା ତଦନ୍ତ ସାପେକ୍ଷ। ଶ୍ରମ ବିଭାଗ ଏହି କାରଣର ନିରାକରଣ କଲେ ହୁଏତ ଦାଦନ ସମସ୍ୟାର ସମାଧାନ ହୋଇପାରିବ ବୋଲି ଅଞ୍ଚଳବାସୀ କହିଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories