www.samajalive.in
Monday, December 8, 2025
24.1 C
Bhubaneswar

ହିନ୍ଦୀ ପଢ଼ାଇବେ ଇଞ୍ଜିନିୟର

କଟକ : ଶିକ୍ଷା ବିଭାଗର ବିଚିତ୍ର ନୀତି- ବିଦ୍ୟାଳୟରେ ହିନ୍ଦୀ ପଢ଼ାଇବେ ଇଞ୍ଜିନିୟର। ଶିକ୍ଷକ ନିଯୁକ୍ତି ପାଇଁ ପ୍ରକାଶିତ ବିଜ୍ଞପ୍ତିରେ ସ୍ନାତକ ଡିଗ୍ରୀଧାରୀଙ୍କୁ ଆବେଦନର ସୁଯୋଗ ରହିଛି ଏବଂ ହିନ୍ଦୀ ଶିକ୍ଷକ ପାଇଁ ଇଞ୍ଜିନିୟରିଂ ଶିକ୍ଷାଧାରୀମାନେ ଆବେଦନ କରିପାରିବେ ବୋଲି କୁହାଯାଇଛି। ସବୁ ବର୍ଗର ସ୍ନାତକଙ୍କୁ କିପରି ଯେକୌଣସି ଶିକ୍ଷାଦାନର ସୁବିଧା ଦିଆଯିବ ତାହାକୁ ନେଇ ପ୍ରଶ୍ନ ଉଠିଛି। ଶିକ୍ଷକ ନିଯୁକ୍ତି ନିମନ୍ତେ ଶହ ଶହ ଆଶାୟୀ ଅପେକ୍ଷାରେ ଅଛନ୍ତି। ସେମାନଙ୍କୁ ନିଯୁକ୍ତି ମିଳିପାରୁନାହିଁ। ଏଭଳି ସ୍ଥିତିରେ ରାଜ୍ୟରେ ହିନ୍ଦୀ ଶିକ୍ଷକ ନିଯୁକ୍ତି ପାଇଁ ଆବେଦନ କରିବାକୁ ଆଶାୟୀଙ୍କ ଅଭାବ ଥିବା ଓଡ଼ିଶା କର୍ମଚାରୀ ପ୍ରବରଣ ଆୟୋଗ ପକ୍ଷରୁ ପ୍ରକାଶ ପାଇଥିବା ସଂଶୋଧିତ ବିଜ୍ଞପ୍ତିରୁ ଜଣାପଡ଼ୁଛି। ଏଲ୍‌‌ଟିଆର‌ ପଦ ପୂରଣ ପାଇଁ ପ୍ରକାଶିତ ବିଜ୍ଞପ୍ତିରେ ବିଏ ରେ ହିନ୍ଦୀ ବିଷୟ ସହ ବିଏଡ୍‌ କରିଥିବା ବାଧ୍ୟତାମୂଳକ ବୋଲି ଦର୍ଶାଯାଇଥିଲା; କିନ୍ତୁ କିଛି ଦିନ ପୂର୍ବେ ଏହି ଶିକ୍ଷାଗତ ଯୋଗ୍ୟତା ମାନଦଣ୍ଡକୁ ପରିବର୍ତ୍ତନ କରାଯାଇଛି। ବି.ଟେକ ଏବଂ ବିବିଏ ଭଳି ବିଭିନ୍ନ ବୃତ୍ତିଗତ ପାଠ୍ୟକ୍ରମରେ ସ୍ନାତକ ଡିଗ୍ରୀ ହାସଲ କରିଥିବା ଏବଂ ବିଏଡ୍‌ କରିଥିବା ଆଶାୟୀ ମଧ୍ୟ ହିନ୍ଦୀ ଶିକ୍ଷକ ହୋଇପାରିବେ। ସେମାନଙ୍କୁ ଆବେଦନ କରିବାକୁ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଛି; ଯାହାକୁ ନେଇ ବହୁ ଆଶାୟୀ ଏବଂ ହିନ୍ଦୀ ଶିକ୍ଷକ ସଂଘ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ସ୍ନାତକରେ ହିନ୍ଦୀ ନ ପଢ଼ି କିଭଳି ହିନ୍ଦୀ ଶିକ୍ଷକ ହୋଇପାରିବେ ବୋଲି ପ୍ରଶ୍ନ ଉଠିଛି। ପୂର୍ବରୁ ହିନ୍ଦୀ ଶିକ୍ଷକ ପରୀକ୍ଷାରେ ହିନ୍ଦୀ ବିଷୟରେ ଶିକ୍ଷା ଗ୍ରହଣ କରିଥିବା ପ୍ରାର୍ଥୀଙ୍କୁ ଆବେଦନ ପାଇଁ ଅନୁମତି ସହ ମନୋନୟନ କରାଯାଉଥିଲା; ହେଲେ ଏବେ କେଉଁ ଆଧାରରେ ବୃତ୍ତିଗତ ପାଠ୍ୟକ୍ରମର ପିଲାଙ୍କୁ ଅନୁମତି ଦିଆଗଲା ବୋଲି ସେମାନେ ପ୍ରଶ୍ନ କରିଛନ୍ତି। ଯଦି ଆଶାୟୀଙ୍କ ଅଭାବ ରହିଛି ବୋଲି ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ଅନୁଭବ କରୁଛନ୍ତି, ତା’ହେଲେ ଶିକ୍ଷାଗତ ଯୋଗ୍ୟତାରେ ୫୦ ପ୍ରତିଶତ ନମ୍ବର ବ୍ୟବସ୍ଥାକୁ ହ୍ରାସ କରାଯାଇପାରିଲେ ବହୁ ଆଶାୟୀ ଆବେଦନ କରିପାରିବେ ବୋଲି କହିବା ସହ ଏ ଦିଗରେ ନିର୍ଦେଶାଳୟ ସ୍ପଷ୍ଟୀକରଣ ରଖିବାକୁ ଦାବି ହୋଇଛି।
ସୂଚନାଯୋଗ୍ୟ ଯେ, ଓଏସଏସ‌ସି ପକ୍ଷରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ୬୦୨୫ ଏଲ୍‌‌ଟିଆର‌ ପଦ ପୂରଣ ନିମନ୍ତେ ନିଯୁକ୍ତି ପରୀକ୍ଷା କରିବାକୁ ଗତ ଜାନୁଆରୀ ୨ରେ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ଫେବୃଆରୀ ୫ ତାରିଖ ପର୍ଯ୍ୟନ୍ତ ଆଶାୟୀମାନେ ଏହି ପରୀକ୍ଷା ପାଇଁ ଆବେଦନ କରିପାରିବେ। ପୂର୍ବରୁ ଆବେଦନରେ ପଦ ସଂରକ୍ଷଣ ବ୍ୟବସ୍ଥା ଏବଂ ଓଡ଼ିଆ ବିଷୟରେ ମାନଦଣ୍ଡକୁ ନେଇ ବିବାଦ ଦେଖାଦେଇଥିଲା। ହିନ୍ଦୀ ଶିକ୍ଷକ ପଦ ଆବେଦନ ନିମନ୍ତେ ଶିକ୍ଷାଗତ ଯୋଗ୍ୟତା ଏବଂ ଦିବ୍ୟାଙ୍ଗକୁ ପାଇଁ ପଦ ସଂରକ୍ଷଣ ବ୍ୟବସ୍ଥାକୁ ସଂଶୋଧିତ କରାଯାଇ ଗତ ୯ ତାରିଖରେ ସାନି ବିଜ୍ଞପ୍ତି ଜାରି ହୋଇଥିଲା। ଏଥିରେ ତ୍ରୁଟି ଥିବାବେଳେ ମାଧ୍ୟମିକ ଶିକ୍ଷା ନିର୍ଦେଶକ ଗତ ୧୫ ତାରିଖରେ ଏକ ସ୍ପଷ୍ଟୀକରଣ ଓଏସଏସସି ସମ୍ପାଦକଙ୍କୁ ଚିଠି ଦ୍ବାରା କରିଥିଲେ। ଯେଉଁଥିରେ ହିନ୍ଦୀ ଶିକ୍ଷକ ନିମନ୍ତେ ସ୍ନାତକରେ ୫୦ ପ୍ରତିଶତ ନମ୍ବର ସହ ରାଷ୍ଟ୍ରଭାଷା ପ୍ରଚାର ସମିତିରୁ ରାଷ୍ଟ୍ରଭାଷା ରତ୍ନ, ଓଡ଼ିଶା ରାଷ୍ଟ୍ରଭାଷା ସମିତିରୁ ଶାସ୍ତ୍ରୀ ଏବଂ ହିନ୍ଦୀ ଶିକ୍ଷା ସମିତିରୁ ସ୍ନାତକ ମଧ୍ୟରୁ ଗୋଟିଏ ଯୋଗ୍ୟତା ଥିବା ଆବଶ୍ୟକ ବୋଲି ଦର୍ଶାଯାଇଛି। ଏଥିସହ କେନ୍ଦ୍ରୀୟ ହିନ୍ଦୀ ସଂସ୍ଥାନରୁ ହିନ୍ଦୀ ଶିକ୍ଷଣ ପରାଙ୍ଗତ, ବିଏଚଏଡ୍‌, ବିଏଡ୍‌ ମଧ୍ୟ ଗୋଟିଏ ଶିକ୍ଷାଗତ ଯୋଗ୍ୟତା ଥିବା ବାଧ୍ୟତାମୂଳକ ବୋଲି ଏହି ସଂଶୋଧିତ ବିଜ୍ଞପ୍ତିରେ ଲେଖାହୋଇଛି। ବିଟେକ, ବିଇ, ବିବିଏ ଏବଂ ବିସିଏର ଭଳି ବୃତ୍ତିଗତ ପାଠ୍ୟକ୍ରମକୁ ସ୍ନାତକ ଯୋଗ୍ୟତା ଭାବେ ସାମିଲ କରାଯାଇଛି। ତେବେ ପୂର୍ବରୁ ହିନ୍ଦୀ ଶିକ୍ଷକ ନିଯୁକ୍ତିରେ ସ୍ନାତକର ହିନ୍ଦୀରେ ଅନର୍ସ କିମ୍ବା ଇଚ୍ଛାଧୀନ ପତ୍ର ସହ ବିଏଡ୍‌ ଆବଶ୍ୟକ ହେଉଥିଲା; ମାତ୍ର ଏବେ ଓଏସଏସସିରେ ଏହି ସଂଶୋଧିତ ବିଜ୍ଞପ୍ତି ଦ୍ବନ୍ଦ୍ବ ସୃଷ୍ଟି କରିଥିବା ହିନ୍ଦୀ ଭାଷାବିତ୍‌ଙ୍କ ପକ୍ଷରୁ ଅସନ୍ତୋଷ ପ୍ରକାଶ ପାଇଛି।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories