ଫୁଲବାଣୀ: ସାରା ରାଜ୍ୟରେ କିଛିଦିନ ହେଲା ଲଗୁଚାପ ପ୍ରଭାବରେ ବର୍ଷା ଲାଗି ରହିଥିବା ବେଳେ ଏହି ଲଗାଣ ବର୍ଷା ବିଶେଷ କରି ଚାଷୀ ମାନଙ୍କ ଉପରେ ଦାଉ ସାଧିଛି। ଅନେକ ଜାଗାରେ ଏହି ଲଗୁଚାପ ବର୍ଷାରେ ଚାଷ ଜମି ମାନଙ୍କରେ ପାଣି ପଶିଯାଇ ଏକର ଏକର ଧାନ ଫସଲ ନଷ୍ଟ ହୋଇଯାଇଛି। କିଛି ଜାଗାରେ ଖଳା ମାନଙ୍କରେ ରଖା ଯାଇଥିବା ଚାଷୀଙ୍କ କଷ୍ଟ ଉପାର୍ଜିତ ଧାନ ଭିଜିଯାଇ ଗଜା ହେଲାଣି। କେବଳ ଧାନ ଫସଲ ନୁହଁ ଏହି ଲଗାଣ ବର୍ଷା ପରିବା ଚାଷୀ ମାନଙ୍କର ମଧ୍ୟ ମେରୁଦଣ୍ଡ ଭାଙ୍ଗି ଦେଇଛି। ବର୍ଷାରେ ଏକରଏକର ଜମିରେ ଚାଷ ହୋଇଥିବା ପନିପରିବା ପଚିସଢ଼ି ନଷ୍ଟ ହେବାସହ କୁଇଣ୍ଟାଲ ପରିମାଣର ପନିପରିବା ପଡ଼ିରହିଛି। ଏହି ଲଘୁଚାପ ବର୍ଷାର ପ୍ରଭାବ କନ୍ଧମାଳ ଜିଲ୍ଲାରେ ମଧ୍ୟ୍ୟ ଦେଖିବାକୁ ମିଳିଛି ଓ ବିଶେଷକରି ପନିପରିବା ଚାଷର ପେଣ୍ଠସ୍ଥଳୀ କୁହାଯାଉଥିବା ଜିଲ୍ଲାର ଫିରିଙ୍ଗିଆ ବ୍ଲକ ରତଙ୍ଗ ପଞ୍ଚାୟତରେ ବର୍ଷା ପ୍ରଭାବରେ ବ୍ୟାପକ ଫସଲ ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି। ଗୋଟେ ପଟେ ଫସଲ ନଷ୍ଟ ହେବା ଦ୍ୱାରା ଚାଷୀ ମାନଙ୍କୁ ବହୁ କ୍ଷତି ସହିବାକୁ ପଡ଼ିଥିବା ବେଳେ ଅନ୍ୟପଟେ ଋଣ ଶୁଝିବା ଚିନ୍ତାରେ ଚାଷୀ ହତାଶ ହୋଇପଡ଼ିଛନ୍ତି। ଯାହାପାଇଁ ସରକାରୀ ସାହାଯ୍ୟକୁ ଚାଷୀ ମାନେ ଚାହିଁ ରହିଥିବା ବେଳେ ଫସଲ ନଷ୍ଟ ହୋଇଥିବା ଚାଷୀମାନଙ୍କୁ ସରକାର ସହାୟତା ରାଶି ଯୋଗାଇ ଦେବା ପାଇଁ କୁଟିବାରି ଗାଁର ଚାଷୀ ଶୁକଦେବ ପଧାନ, ବାସୁଦେବ ପଧାନ, ପିତ ପିଧାନ, ଗୋକୁଳ ପଧାନ, ରୁକ୍ମଣ ବେହେରା, ସିମାଞ୍ଚଳ ପଧାନ, ପ୍ରବୀଣ ପଧାନ, ଚରଣ ନାୟକ, ଯୁଗଳ ପଧାନ, ପ୍ରତାପ ପଧାନ, ସୁବାସ ପଧାନ ଙ୍କ ସହ ଅନ୍ୟ ଚାଷୀ ଦାବି କରିଛନ୍ତି।
Popular Categories



