ଭାରତର ଷ୍ଟାର୍ଟଅପ୍ ସାମର୍ଥ୍ୟ ବିଶ୍ୱ ପାଇଁ ଭବିଷ୍ୟତର ଉଦ୍ୟୋଗ ବିକାଶ କେନ୍ଦ୍ର
୧,୫୭,୦୬୬ ଷ୍ଟାର୍ଟଅପ୍ ମଧ୍ୟରୁ ୭୩ ହଜାର ଷ୍ଟାର୍ଟଅପ୍ ମହିଳା ନିର୍ଦ୍ଦେଶକଙ୍କ ଦ୍ୱାରା ପରିଚାଳିତ
ସମାଜ ଡିଜିଟାଲ ଡେସ୍କ: ଭାରତ ବିଶ୍ୱର ସବୁଠାରୁ ସକ୍ରିୟ ଷ୍ଟାର୍ଟଅପ୍ ଇକୋସିଷ୍ଟମ ଭାବରେ ଉଭା ହୋଇଛି। ସବୁଠୁ ଅଧିକ ଷ୍ଟାର୍ଟଅପ୍ ଥିବା ଦେଶମାନଙ୍କ ମଧ୍ୟରେ ଭାରତ ତୃତୀୟ ସ୍ଥାନ ହାସଲ କରିଛି । ୧୦୦ରୁ ଅଧିକ ୟୁନିକର୍ଣ୍ଣ ସହ ଭାରତର ଷ୍ଟାର୍ଟଅପ୍ ପରିଦୃଶ୍ୟ ବ୍ୟାପକ ଉଦ୍ଭାବନ ଏବଂ ଉଦ୍ୟୋଗଶୀଳତାର ଭବିଷ୍ୟତକୁ ଆକାର ଦେଉଛି। ଭାରତରେ ଷ୍ଟାର୍ଟଅପ୍ ଇଣ୍ଡିଆ ଅଭିଯାନ ଅଧୀନରେ ଅତି କମରେ ଜଣେ ମହିଳା ନିର୍ଦ୍ଦେଶକ ଥିବା ୭୩,୦୦୦ରୁ ଅଧିକ ସ୍ୱୀକୃତିପ୍ରାପ୍ତ ଷ୍ଟାର୍ଟଅପ୍ ରହିଛି। ଏଗୁଡ଼ିକର ସଂଖ୍ୟା ସରକାରଙ୍କ ଦ୍ୱାରା ସମର୍ଥିତ ୧,୫୭,୦୬୬ ଷ୍ଟାର୍ଟଅପ୍ ମଧ୍ୟରୁ ପ୍ରାୟ ଅଧା ଭାଗକୁ ପ୍ରତିନିଧିତ୍ୱ କରିଥାଏ ଏବଂ ଉଦ୍ଭାବନ ଓ ଆର୍ଥିକ ବିକାଶରେ ମହିଳାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିଥାଏ।
ବିଗତ ଏକ ଦଶନ୍ଧି ମଧ୍ୟରେ ଭାରତରେ ଉଦ୍ୟୋଗ ପ୍ରତିଷ୍ଠାକୁ ନେଇ ଜନଭାବନାରେ ବ୍ୟାପକ ପରିବର୍ତ୍ତନ ଆସିଛି। ବେଙ୍ଗାଲୁରୁ, ହାଇଦ୍ରାବାଦ, ମୁମ୍ବାଇ ଏବଂ ଦିଲ୍ଲୀ-ଏନସିଆର ଭଳି ସହର ନବୀନ ଉଦ୍ଭାବନର ପ୍ରାଣକେନ୍ଦ୍ର ପାଲଟିଛି। ଶସ୍ତା ଇଣ୍ଟରନେଟର ବ୍ୟାପକ ଉପଲବ୍ଧତା ଏବଂ ଯୁବ ଓ ସକ୍ରିୟ କର୍ମଚାରୀ ଆଧାର ସହିତ ଆର୍ଥିକ ପ୍ରଯୁକ୍ତି, ଶିକ୍ଷା ପ୍ରଯୁକ୍ତି, ସ୍ୱାସ୍ଥ୍ୟ ପ୍ରଯୁକ୍ତି ଏବଂ ଇ-କମର୍ସ ସମେତ ବିଭିନ୍ନ କ୍ଷେତ୍ରରେ ଷ୍ଟାର୍ଟଅପଗୁଡ଼ିକର ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିଛି। ଷ୍ଟାର୍ଟଅପ୍ ଇଣ୍ଡିଆର ‘ଇଣ୍ଡିଆନ୍ ଷ୍ଟାର୍ଟଅପ୍ ଇକୋସିଷ୍ଟମ୍ ରିପୋର୍ଟ’ ଅନୁଯାୟୀ, ଭାରତର ଷ୍ଟାର୍ଟଅପଗୁଡ଼ିକ ସ୍ଥାନୀୟ ଏବଂ ବିଶ୍ୱସ୍ତରୀୟ ସମସ୍ୟାର ସମାଧାନ ପାଇଁ କୃତ୍ରିମ ବୁଦ୍ଧିମତ୍ତା ବା କୃତ୍ରିମ ବୁଦ୍ଧିମତ୍ତା(ଏଆଇ), ବ୍ଲକ୍ ଚେନ ଏବଂ ଆଇଓଟି ଭଳି ଆଧୁନିକ ଜ୍ଞାନକୌଶଳର ଉପଯୋଗ କରିଛନ୍ତି।
ଷ୍ଟାର୍ଟଅପଗୁଡ଼ିକର ରୂପାନ୍ତରଣକାରୀ ସମ୍ଭାବନାକୁ ସ୍ୱୀକାର କରି ଭାରତ ସରକାର ଉଦ୍ୟୋଗଜଗତକୁ ସମର୍ଥନ ଓ ପ୍ରୋତ୍ସାହନ ଯୋଗାଇ ଦେବା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି। ୨୦୧୬ରେ ଆରମ୍ଭ ହୋଇଥିବା ପ୍ରମୁଖ ଯୋଜନା ଷ୍ଟାର୍ଟଅପ୍ ଇଣ୍ଡିଆ ଅଭିଯାନ ଏହି ପ୍ରୟାସରେ ମୂଳଦୁଆ ପାଲଟିଛି। ୨୫ ଡିସେମ୍ବର ୨୦୨୪ ସୁଦ୍ଧା ଶିଳ୍ପ ଏବଂ ଆଭ୍ୟନ୍ତରୀଣ ବାଣିଜ୍ୟ ପ୍ରୋତ୍ସାହନ ବିଭାଗ (ଡିପିଆଇଆଇଟି) ଦ୍ୱାରା ୧୫୭,୦୬୬ଟି ଷ୍ଟାର୍ଟଅପକୁ ସ୍ୱୀକୃତି ମିଳିଛି ଏବଂ ଏହାର ପୋର୍ଟାଲରେ ୭୫୯,୩୦୩ ଉପଭୋକ୍ତା ପଞ୍ଜୀକୃତ ହୋଇଛନ୍ତି।
ଏହି ଅଭିଯାନରେ ସରଳ ଅନୁପାଳନ, ସ୍ୱପ୍ରମାଣିକରଣ, ସିଙ୍ଗଲ ୱିଣ୍ଡୋ ମଞ୍ଜୁରୀ ସହିତ ଅମଲାତନ୍ତ୍ରିକ ବାଧାଗୁଡ଼ିକୁ ଦୂର କରିବାକୁ ପଦକ୍ଷେପ ନିଆଯାଇଛି ଫଳରେ ବ୍ୟବସାୟିକ ସୁଗମତା ପ୍ରୋତ୍ସାହନ ମିଳୁଛି । ଏହି ଯୋଜନାରେ ପଞ୍ଜିକୃତ ହେଉଥିବା ଷ୍ଟାର୍ଟଅପ୍ ଗୁଡ଼ିକୁ କ୍ରମାଗତ ତିନୋଟି ଆର୍ଥିକ ବର୍ଷ ପାଇଁ ଟିକସ ଛାଡ଼ ସୁବିଧା ପ୍ରଦାନ କରାଯାଉଛି । ଷ୍ଟାର୍ଟଅପ୍ଗୁଡ଼ିକ ପାଇଁ ଏଫଏଫଏସ୍ ପାଣ୍ଠି ଯୋଜନାରେ ୧୦ହଜାର କୋଟି ଟଙ୍କାର ପ୍ରାରମ୍ଭିକ ପାଣ୍ଠିଯୋଗାଣ ସୁବିଧା ଦିଆଯାଇଛି । ବାୟୋଟେକ୍ନୋଲୋଜି, କୃଷି ଏବଂ ଅକ୍ଷୟ ଶକ୍ତି ଭଳି ଉଦ୍ୟୋଗ କ୍ଷେତ୍ର ପାଇଁ ନିର୍ଦ୍ଦିଷ୍ଟ ନୀତି ପ୍ରସ୍ତୁତ କରାଯାଇଛି।
ଅଟଳ ଇନୋଭେସନ ମିଶନ (ଏଆଇଏମ୍) ଏବଂ ନେସନାଲ ଇନିସିଏଟିଭ୍ ଫର୍ ଡେଭଲପିଂ ଆଣ୍ଡ୍ ହାର୍ନେସ୍ ଇନୋଭେସନ୍ (ନିଧି) ଭଳି ପଦକ୍ଷେପ ଉଦ୍ଭାବକମାନଙ୍କୁ ଭିତ୍ତିଭୂମି ଏବଂ ଆର୍ଥିକ ସହାୟତା ପ୍ରଦାନ କରିଥାଏ। ୨୦୨୧ରେ ଆରମ୍ଭ ହୋଇଥିବା ସମୃଦ୍ଧ (Startup Accelerator of MeitY for Product Innovation, Development, and Growth-SAMRIDH) ଯୋଜନାର ଲକ୍ଷ୍ୟ ହେଉଛି ଚାରି ବର୍ଷ ମଧ୍ୟରେ ୯୯ କୋଟି ଟଙ୍କା ବ୍ୟୟବରାଦ ସହିତ ୩୦୦ ସଫ୍ଟୱେର୍ ଉତ୍ପାଦ ଷ୍ଟାର୍ଟଅପକୁ ସହାୟତା ଯୋଗାଇ ଦେବା।ବ୍ୟବସାୟ ବଢ଼ାଇବା ପାଇଁ ପ୍ରତି ଷ୍ଟାର୍ଟଅପ ପିଛା ୪୦ ଲକ୍ଷ ଟଙ୍କା ଦିଆଯିବାକୁ ଲକ୍ଷ୍ୟ ରଖାଯାଇଛି।
ଷ୍ଟାର୍ଟଅପ୍ ଗୁଡ଼ିକ ଭାରତର ଆର୍ଥିକ ବିକାଶରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଛନ୍ତି । ଷ୍ଟାର୍ଟଅପ୍ ଗୁଡ଼ିକ ସମଗ୍ର ଦେଶରେ ୧୬ ଲକ୍ଷରୁ ଅଧିକ ନିଯୁକ୍ତି ସୃଷ୍ଟି କରିଛନ୍ତି। ଗ୍ଲୋବାଲ ଭେଞ୍ଚର କ୍ୟାପିଟାଲ (ଭିସି) ଏବଂ ପ୍ରାଇଭେଟ୍ ଇକ୍ୱିଟି (ପିଇ) ନିବେଶ ପାଇଁ ଭାରତ ଏକ ଆକର୍ଷଣୀୟ ସ୍ଥାନ ପାଲଟିଛି। ଗ୍ରାମାଞ୍ଚଳ ଆଧାରିତ ଷ୍ଟାର୍ଟଅପ୍ ଏବଂ ସାମାଜିକ ଉଦ୍ୟୋଗଗୁଡିକ ସ୍ୱାସ୍ଥ୍ୟସେବା, ଶିକ୍ଷା ଏବଂ କୃଷିକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ବ୍ୟବଧାନକୁ ଦୂର କରୁଛନ୍ତି ଏବଂ ଲକ୍ଷ ଲକ୍ଷ ଲୋକଙ୍କ ଜୀବନଧାରଣ ମାନରେ ଉନ୍ନତି କରୁଛନ୍ତି। ସରକାରଙ୍କ ସମର୍ଥିତ ନୀତି, ନିବେଶକ ଅନୁକୂଳ ପରିବେଶ ଏବଂ ନବସୃଜନକୁ ପ୍ରୋତ୍ସାହିତ କରିବା ଉପରେ ଧ୍ୟାନ ଦେବା ଭାରତକୁ ଷ୍ଟାର୍ଟଅପ୍ କ୍ଷେତ୍ରରେ ବିଶ୍ୱସ୍ତରରେ ଅଗ୍ରଣୀ ଦେଶ ଭାବେ ସ୍ଥାନିତ କରିଛି ।
Comments are closed.