ନାବାଳିକା ଦୁଷ୍କର୍ମକାରୀକୁ ୨୦ବର୍ଷ ଜେଲ୍
କେନ୍ଦୁଝରଗଡ଼: ନାବାଳିକା ଦୁଷ୍କର୍ମକାରୀକୁ ଦୋଷୀ ସାବ୍ୟସ୍ତ କରି ଅତିରିକ୍ତ ଜିଲାଜଜ୍ ତଥା ସ୍ପେଶାଲ ଜଜ୍ କେନ୍ଦୁଝର ୨୦ବର୍ଷ ଜେଲ୍ ଦଣ୍ଡାଦେଶ କରିଛନ୍ତି। ସାଲେପୁର ଥାନା ଅଧିନ ତରାଟ ଗ୍ରାମର ରାଜେନ୍ଦ୍ର ବାରିକ (୩୧) କଟକ ଗ୍ରାମାଞ୍ଚଳ ଥାନା ନେମାଳ ନିକଟ ଘଣ୍ଟାଳୋ ଠାରେ ଭଡାଘରେ ରହୁଥିବା ବେଳେ କଟକ ଶିଖରଚଣ୍ଡି ନିକଟରେ ଅବସ୍ଥାନ କରି ଆସୁଥିବା ଏକ ପରିବାର ସହ ସମ୍ପର୍କରେ ଆସି ନିୟମିତ ଯାତାୟାତ କରୁଥିଲେ। ପରବର୍ତ୍ତି ସମୟରେ ଉକ୍ତ ପରିବାରର ମହିଳାଙ୍କ ସହ ଅନୈତିକ ସମ୍ପର୍କରେ ଲିପ୍ତ ହେବାସହ ଏ ସମ୍ପର୍କରେ ମହିଳାଙ୍କ ସ୍ୱାମୀ ଜାଣିବାରୁ ସେ ଘର ଛାଡି ପଳାଇଥିଲେ। ସ୍ୱାମୀ ଘର ଛାଡି ପଳାଇବାରୁ ପରିବାର ଚଳାଇବା କଷ୍ଟସାଧ୍ୟ ହେବାରୁ ସମ୍ପୃକ୍ତ ମହିଳା ନିଜର ୧୨ବର୍ଷର ଝିଅ ଓ ଦୁଇ ଶିଶୁପୁତ୍ରକୁ ସଙ୍ଗରେ ଧରି ରାଜେନ୍ଦ୍ରଙ୍କ ସହ ଆସି କେନ୍ଦୁଝର ସହର ଉପକଣ୍ଠ ଡିମ୍ବୋ ଗ୍ରାମରେ ପ୍ରଥମେ ଅବସ୍ଥାନ କରୁଥିଲେ। ପରବର୍ତ୍ତି ସମୟରେ ସମ୍ପୃକ୍ତ ମହିଳା ରାଜେନ୍ଦ୍ରଙ୍କ ସହ ନିଜର ଛୁଆପିଲାଙ୍କୁ ଧରି କେନ୍ଦୁଝର ସହରର ପବିତ୍ରଡିହା ନିକଟରେ ଏକ ପାଲ ଟାଣି ଅବସ୍ଥାନ କରୁଥିଲେ। ମହିଳାଙ୍କ ଦୁଇ ଶିଶୁ ପୁତ୍ର ଜରି ଗୋଟାଇ ପରିବାର ବୋଝ ଉଠାଇବା ଚାଇଲ୍ଡଲାଇନ ନଜରକୁ ଆସିବା ପରେ ଉକ୍ତ ଦୁଇ ଶିଶୁ ପୁତ୍ରଙ୍କୁ ଚାଇଲ୍ଡଲାଇନ ଉଦ୍ଧାର କରି ସେଲଟର ହୋମକୁ ପଠାଇ ଦେଇଥିଲେ। ଏହାପରେ ସମ୍ପୃକ୍ତ ମହିଳା ନାବାଳିକା ଝିଅକୁ ନେଇ ରାଜେନ୍ଦ୍ରଙ୍କ ସହ ଗୋଟିଏ ପାଲତଳେ ରହି ଆସୁଥିବା ବେଳେ ରାଜେନ୍ଦ୍ର ୧୨ବର୍ଷର ନାବାଳିକାକୁ ବଳାତ୍କାର କରିବା ସହ ଏ ସମ୍ପର୍କରେ କାହାରି ଆଗରେ ପ୍ରକାଶ କଲେ ହତ୍ୟାକରିବା ଧମକ ଦେଇଥିଲା। ରାଜେନ୍ଦ୍ରର ଅତ୍ୟାଚାର ଦିନକୁଦିନ ବଢ଼଼ିଚାଲିବାରୁ ଶେଷରେ ପୀଡିତା ନାବାଳିକା ଜଣକ ପରିବାର ଛାଡି ଧୋବାଡିହାସ୍ଥିତ କରଞ୍ଜିଆ ବସ୍ଷ୍ଟାଣ୍ଡ ନିକଟରେ ବୁଲୁଥିବା ଦେଖି ୨୨ ଅଗଷ୍ଟ ୨୦୧୭ରେ ଚାଇଲ୍ଡଲାଇନ ଉଦ୍ଧାର କରି ଜିଲା ଶିଶୁ ମଙ୍ଗଳ ସମିତିରେ ହାଜର କରିବା ସହ ବଣିଆପାଟସ୍ଥିତ ଓପନହାଉସ୍କୁ ପଠାଇ ଦେଇଥିଲେ। ଏ ସମ୍ପର୍କରେ ଟାଉନ ଥାନାରେ ୭ ନଭେମ୍ବର ୨୦୧୭ରେ ମାମଲା ରୁଜୁ ହେବାପରେ ଅଭିଯୁକ୍ତ ରାଜେନ୍ଦ୍ରକୁ ଗିରଫ କରି ପୁଲିସ କୋର୍ଟ ଚାଲାଣ କରିଥିଲା। ଏହି ମାମଲାରେ ମୋଟ ୨୦ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତିକରି ଅତିରିକ୍ତ ଜିଲାଜଜ୍ ତଥା ସ୍ପେଶାଲ ଜଜ୍ କେନ୍ଦୁଝର ମୋନାଲିସା ମହାନ୍ତି ମଙ୍ଗଳବାର ଚୂଡାନ୍ତ ଶୁଣାଣୀ କରି ଅଭିଯୁକ୍ତ ରାଜେନ୍ଦ୍ରକୁ ଦୋଷୀ ସାବ୍ୟସ୍ତ କରି ୨୦ବର୍ଷ ଜେଲ ଓ ୫ହଜାର ଟଙ୍କା ଜୋରିମାନା ଏବଂ ଜୋରିମାନା ଅନାଦେୟ ଅଧିକ ୧ବର୍ଷ ସଶ୍ରମ କାରାଦଣ୍ଡ ଭୋଗିବାକୁ ଆଦେଶ କରିଛନ୍ତି। ଏଥିସହ ପୀଡିତାଙ୍କୁ ୧୦ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ ନିମନ୍ତେ ଜିଲା ଆଇନ ସେବା ପ୍ରାଧିକରଣକୁ ନିର୍ଦ୍ଦେଶ କରିଛନ୍ତି। ପୀଡିତାଙ୍କ ପକ୍ଷରୁ ସ୍ପୋଶାଲ ପି.ପି. ଗଣେଶପ୍ରସାଦ ମହାପାତ୍ର ମକଦ୍ଦମା ପରିଚାଳନା କରୁଥିଲେ।
Comments are closed.