ନବନିର୍ମିତ ଗୃହକୁ ସ୍ଥାନାନ୍ତର ହେଲା ବିଇଓ କାର୍ଯ୍ୟାଳୟ
ପିପିଲି: ପିପିଲି ବ୍ଲକରେ କାର୍ଯ୍ୟରତ ଶିକ୍ଷକ, ଶିକ୍ଷୟିତ୍ରୀମାନଙ୍କର ଦୀର୍ଘ ବର୍ଷର ସ୍ୱପ୍ନ ସାକାର ହୋଇଛି। ବିଳମ୍ବରେ ହେଲେ ମଧ୍ୟ ଶେଷରେ ନବନିର୍ମିତ ନିଜସ୍ୱ ଗୃହକୁ ସ୍ଥାନାନ୍ତର ହୋଇଛି ପିପିଲି ମଣ୍ଡଳ ଶିକ୍ଷା ଅଧିକାରୀ (ବିଇଓ)ଙ୍କ କାର୍ଯ୍ୟାଳୟ। ନବନିର୍ମିତ ଅତ୍ୟାଧୁନିକ କୋଠାରେ ଏବଂ ସମସ୍ତ ସ୍ଥାୟୀ ବ୍ୟବସ୍ଥା ମଧ୍ୟରେ ଏବେ ଚାଲିଛି ବିଇଓ କାର୍ଯ୍ୟାଳୟ। ଗମନାଗମନର ସମସ୍ତ ସୁବିଧା ଥିବା ପିପିଲି ବ୍ଲକ କାର୍ଯ୍ୟାଳୟ ନିକଟରେ ଓ ରାସ୍ତାକଡ଼ରେ ଅବସ୍ଥିତ ଏହି କାର୍ଯ୍ୟାଳୟକୁ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀମାନେ ଏବେ ସୁବିଧାରେ ଯାତାୟତ କରିପାରୁଛନ୍ତି।
ସୂଚନା ଥାଉକି, ଗତ ୨୦୦୦ ମସିହାରେ ପିପିଲିର ତତ୍କାଳୀନ ବିଧାୟକ ଯୁଧିଷ୍ଠୀର ସାମନ୍ତରାୟଙ୍କ ଉଦ୍ୟମକ୍ରମେ ପିପିଲି ଓ ଡେଲାଙ୍ଗ ବ୍ଲକକୁ ନେଇ ପ୍ରଥମ କରି ପିପିଲି ବ୍ଲକ କାର୍ଯ୍ୟାଳୟ ପରିସରରେ ଏକ ଅସ୍ଥାୟୀ ସରକାରୀ କୋଠାରେ ଜିଲା ଶିକ୍ଷା ନିରୀକ୍ଷକ(ଡିଆଇ)ଙ୍କ କାର୍ଯ୍ୟାଳୟ ଖୋଲିଥିଲା। ପରେ ଉକ୍ତ କାର୍ଯ୍ୟାଳୟକୁ ପିପିଲିର ହାଟଛକଠାରେ ଥିବା ଗ୍ରାମ୍ୟ ଉନ୍ନୟନ ବିଭାଗର ଏକ ପୁରୁଣା ସରକାରୀ ଡାକବଙ୍ଗଳାକୁ ସ୍ଥାନାନ୍ତର କରାଯାଇଥିଲା। ୨୦୧୩ ମସିହାରେ ଜିଲା ଶିକ୍ଷା ନିରୀକ୍ଷକ(ଡିଆଇ)ଙ୍କ କାର୍ଯ୍ୟାଳୟ ବନ୍ଦ ହୋଇଯିବା ସହ ସେଠାରେ ପିପିଲି ମଣ୍ଡଳ ଶିକ୍ଷା ଅଧିକାରୀ (ବିଇଓ)ଙ୍କ କାର୍ଯ୍ୟାଳୟ ଚାଲିଥିଲା। ମାତ୍ର ୩ଟି ଛୋଟ ଘର ମଧ୍ୟରେ ଉକ୍ତ କାର୍ଯ୍ୟାଳୟ ଚାଲିଥିବାବେଳେ ସେଠାକୁ ଆସୁଥିବା ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ପାଇଁ ବସିବାକୁ ସ୍ଥାନର ଅଭାବ ଥିଲା। କାର୍ଯ୍ୟାଳୟର ଆସବାବପତ୍ର ରଖିବାକୁ ମଧ୍ୟ ଆବଶ୍ୟକ ସ୍ଥାନ ନଥିଲା। ତେବେ, ୨୦୧୯ ମସିହା ଫଣି ବାତ୍ୟାରେ ଉକ୍ତ ଡାକବଙ୍ଗଳାର ଆଜବେଷ୍ଟସ ଉଡିଯିବା ସହ ଘର ଭାଙ୍ଗି ଯିବା ପରେ ବିଇଓଙ୍କ କାର୍ଯ୍ୟାଳୟକୁ ସେଠାରୁ ତରବରିଆ ଭାବେ ୮ କିଲୋମିଟର ଦୂରରେ ଥିବା ପୋଡାଗୁଣ ପ୍ରକଳ୍ପ ଉପ୍ରା ବିଦ୍ୟାଳୟ ପରିସରରେ ବିଆର୍ସିସିଙ୍କ କାର୍ଯ୍ୟାଳୟକୁ ସ୍ଥାନାନ୍ତର କରାଯାଇଥିଲା। ସେଠାକୁ ଗମନାଗମନର କୌଣସି ସ୍ୱତନ୍ତ୍ର ସୁବିଧା ନଥିବା ଯୋଗୁଁଁ ଶିକ୍ଷକ ଶିକ୍ଷୟିତ୍ରୀମାନେ ଜରୁରୀ କାର୍ଯ୍ୟରେ ସେଠାକୁ ଯିବାରେ ନାନା ସମସ୍ୟାର ସମ୍ମୁଖିନ ହୋଇଥିଲେ। ବନ୍ୟା ସମୟରେ ଉକ୍ତ ପୋଡାଗୁଣ ସ୍ଥିତ ଅସ୍ଥାୟୀ ବିଇଓଙ୍କ କାର୍ଯ୍ୟାଳୟ ସଂପୂର୍ଣ୍ଣ ଜଳବନ୍ଦୀ ହୋଇ ରହୁଥିବାବେଳେ ଅଣ୍ଟେ ପାଣିରେ ପଶି ସେଠାକୁ ଶିକ୍ଷକମାନେ ଯାଉଥିଲେ। ଓଡ଼ିଶା ପ୍ରାଥମିକ ଶିକ୍ଷକ ସଂଘର ଆନ୍ଦୋଳନ ଫଳରେ ପିପିଲିରେ ବିଇଓଙ୍କ ସ୍ଥାୟୀ କାର୍ଯ୍ୟାଳୟ ନିର୍ମାଣ ହେବା ପର୍ଯ୍ୟନ୍ତ ଉକ୍ତ ଅସ୍ଥାୟୀ କାର୍ଯ୍ୟାଳୟକୁ ୨୦୨୨ ମସିହାରେ ପିପିଲିର ଜବାହର ବିଦ୍ୟାପୀଠକୁ ସ୍ଥାନାନ୍ତର କରାଯାଇଥିଲା।
ଗତ ୨୦୨୩ ଫେବୃଆରୀ ୨୨ ତାରିଖରେ ପିପିଲି ପୌରାଞ୍ଚଳ ଅନ୍ତର୍ଗତ ବ୍ଲକଛକ ନିକଟରେ ମଣ୍ଡଳ ଶିକ୍ଷା ଅଧିକାରୀଙ୍କ ଏକ ଅତ୍ୟାଧୁନିକ ସ୍ଥାୟୀ କାର୍ଯ୍ୟାଳୟ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। ୯୯ଲକ୍ଷ ୩୫ହଜାର ୯୩୬ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ଆରମ୍ଭ କରାଯାଇଥିବା ଏହି କୋଠାରେ ୧କୋଟିରୁ ଊର୍ଦ୍ଧ୍ବ ଟଙ୍କା ବ୍ୟୟ ହୋଇଥିବା ସୂଚନା ମିଳିଛି। ତେବେ ଗତ ୨୦୨୩ ଡିସେମ୍ବର ମାସ ସୁଦ୍ଧା ଏହାର ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ହୋଇଥିବା ବେଳେ ଗତ ୨୦୨୪ ମସିହା ମାର୍ଚ୍ଚ ୧୫ ତାରିଖରେ ଏହାକୁ ଉଦ୍ଘାଟନ କରାଯାଇଥିଲା। ଦୀର୍ଘ ମାସ ତଳୁ ସଂପୂର୍ଣ୍ଣ ହୋଇଥିବା ଉକ୍ତ କୋଠାକୁ ବିଇଓଙ୍କ କାର୍ଯ୍ୟାଳୟ ସ୍ଥାନାନ୍ତର ହେବାରେ ବିଳମ୍ବ ଘଟିବା ସଂପର୍କରେ ବାରମ୍ବାର ‘ସମାଜ’ରେ ଖବର ପ୍ରକାଶ ପାଇବା ପରେ ଏ ଦିଗରେ ପ୍ରଶାସନର ତତ୍ପରତା ପ୍ରକାଶ ପାଇଥିଲା। ବିଦ୍ୟୁତ୍ ସଂଯୋଗ ଜନିତ ସମସ୍ୟା ଯୋଗୁଁଁ ଏହି କାର୍ଯ୍ୟାଳୟ କାର୍ଯ୍ୟକ୍ଷମ ହେବାରେ ବିଳମ୍ବ ଘଟୁଥିବା ଯୋଗୁଁଁ ଏବେ ଅସ୍ଥାୟୀ ଭାବେ ବିଦ୍ୟୁତ୍ ସଂଯୋଗ କରାଯିବା ପରେ ସେଠାକୁ କାର୍ଯ୍ୟାଳୟ ସ୍ଥାନାନ୍ତର କରାଯାଇଛି। ତେବେ ଉକ୍ତ କାର୍ଯ୍ୟାଳୟ ପରିସରରେ ଗାଡି ରଖିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ସହ କାର୍ଯ୍ୟାଳୟ ଗୃହ ଓ ପାଚେରୀ ମଧ୍ୟରେ ଥିବା ଖାଲକୁ ମାଟିରେ ପୋତାଯିବା ପାଇଁ ଶିକ୍ଷକଙ୍କ ମହଲରୁ ଦାବି ହୋଇଛି।
Comments are closed.