କୁଲଡିହା ଜଙ୍ଗଲରେ ବୁଲୁଛି ‘ଯମୁନା’; ପାଦଦେଶର ତାଟି କବାଟ ବନ୍ଦ, ରାସ୍ତା ସିଲ୍‌‌

ନୀଳଗିରି: କୁଲଡିହା ଜଙ୍ଗଲରେ ଘୂରୁଛି ବାଘୁଣୀ ଯମୁନା। ଘଞ୍ଚ ଜଙ୍ଗଲ ଠାରୁ ଆରମ୍ଭ କରି ପାଦଦେଶ ପର୍ଯ୍ୟନ୍ତ ସେ ଯାତାୟାତ କରୁଛି। ଜଙ୍ଗଲ ପାଖରେ ଚରୁଥିବା ଗୋରୁ ଗାଈ, ଛେଳି ମେଣ୍ଢାକୁ ଝାମ୍ପିବା ଉଦେଶ୍ୟରେ ଏହି ବାଘୁଣୀ ଘୂରି ବୁଲୁଥିବା ପ୍ରଚାରିତ ହେବା ପରେ ପାଦଦେଶର ଲୋକେ ସନ୍ଧ୍ୟା ହେଲେ ତାଟି କବାଟ ପକାଇ ଦେଉଛନ୍ତି। ଆଜି କୁଲଡିହା ପାଦଦେଶ ଅଞ୍ଚଳ କଇମହୁଡ଼ିଠାରେ କେତେକ ଲୋକ ଏହି ବାଘକୁ ଦେଖିବା ପରେ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ଜୁରିଆତୋଟାରୁ ଯୋଡ଼ାଚୁଆ ରାସ୍ତାକୁ ବନ ବିଭାଗ ସିଲ୍‌‌ କରିଛି। ଏଥିପାଇଁ ପର୍ଯ୍ୟଟକମାନେ ଅସୁବିଧା ଭୋଗ କରୁଛନ୍ତି।
ଗତ ୭/୮ ଦିନ ପୂର୍ବେ ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟରୁ ଅଦୃଶ୍ୟ ହୋଇଥିବା ବାଘୁଣୀ ଯମୁନା ସେଠାରୁ ଖସି ଆସି ବାଲେଶ୍ୱର ଜିଲା ନୀଳଗିରିସ୍ଥିତ କୁଲଡିହା ଅଭୟାରଣ୍ୟ ଭିତରେ ପ୍ରବେଶ କରିଥିବା ଚର୍ଚ୍ଚା ହେଉଥିଲା। ଏହି ଘଟଣାକୁ ବନବିଭାଗ ପ୍ରଥମେ ଅସ୍ୱୀକାର କରିଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ରାଜ୍ୟ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ(ପିସିସିଏଫ) ୱାଇଲ୍ଡ ଲାଇଫ ଏହାକୁ ସ୍ବୀକାର କରିଥିଲେ। ବାଘୁଣୀଟି ଶିମିଳିପାଳରୁ କପ୍ତିପଦା ଓ ଝିଙ୍କପାହାଡ଼ି ରାସ୍ତାରେ ଏଠାକୁ ଚାଲି ଆସିଥିବାରୁ ବନବିଭାଗ ଅଧିକାରୀ ଓ କର୍ମଚାରୀ ବାରମ୍ବାର କୁଲଡିହା ଗସ୍ତ କରୁଥିଲେ। ସେହିପରି କୁଲଡିହା ଓ କପ୍ତିପଦା ସୀମାନ୍ତ ଅଞ୍ଚଳରେ ଥିବା ସନ୍ତସନ୍ତିଆ ସ୍ଥାନରେ ବାଘର ପାଦଚିହ୍ନକୁ କେତେକ ଅଞ୍ଚଳବାସୀ ଠାବ କରିଥିଲେ। ଏହି ବାଘୁଣୀ କୁଲଡିହା ଅଭୟାରଣ୍ୟର ପୁରୁଣାପାଣି, ପଞ୍ଚାର୍ଜୁନ ଆଦି ଅଞ୍ଚଳରେ ବିଚରଣ କରୁଥିବା ଯୋଗୁଁ ଜୁରିଆତୋଟାରୁ ଯୋଡ଼ାଚୁଆ ରାସ୍ତାକୁ ବିଭାଗ ସିଲ୍‌‌ କରିଛି। ଏଯାବତ ଏହା ହଟା ଯାଇ ନଥିବାରୁ ସେହି ଅଞ୍ଚଳରେ ପର‌୍ୟ୍ୟଟକଙ୍କ ପରିଭ୍ରମଣରେ ବାଧା ସୃଷ୍ଟି ହୋଇଛି। ଆଜି ଏହି ବାଘୁଣୀ ଯମୁନାକୁ କେତେକ ଲୋକ କଇମହୁଡ଼ି ଜଙ୍ଗଲରେ ଦେଖିବା ଖବର କ୍ଷୀପ୍ର ଗତିରେ ପ୍ରଚାରିତ ହୋଇଥିଲା। ବାଘୁଣୀ ଭୟରେ କଇମହୁଡ଼ି, ଜାମୁନା, ରିଶିଆ, ହାତୀକୁଟ, ଶାଗନାଳ, ବାରୁଡ଼ିହି, ଜିଘିଆ ପ୍ରଭୃତି ଅଞ୍ଚଳରେ ଲୋକେ ମୁହଁଅନ୍ଧାର ପୂର୍ବରୁ ତାଟି କବାଟ ପକାଇ ଦେଉଥିବା ସୂଚନା ମିଳିଛି। ବନବିଭାଗ ପକ୍ଷରୁ ଏହି ବାଘକୁ ଠାବ କରି ଟ୍ରାଙ୍କୁଲାଇଜ ଜରିଆରେ ପୁନଃଶ୍ଚ ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟକୁ ନେବା ବ୍ୟବସ୍ଥା କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

Comments are closed.