ସରିଲା ସଂସଦର ଶୀତ ଅଧିବେଶନ; ଲୋକସଭା ୫୪%, ରାଜ୍ୟସଭା ୪୦% କାର୍ଯ୍ୟ କଲା

ନୂଆଦିଲ୍ଲୀ: ସଂସଦର ଶୀତ ଅଧିବେଶନ ଶୁକ୍ରବାର ଶେଷ ହୋଇଛି। ନଭେମ୍ବର ୨୫ରେ ଆରମ୍ଭ ହୋଇଥିବା ଏହି ଅଧିବେଶନରେ ଲୋକସଭା ୫୪.୫ଧ ଓ ରାଜ୍ୟସଭା ୪୦ଧ ସମୟ କାର୍ଯ୍ୟ କରିଛି। ଅବଶିଷ୍ଟ ସମୟ ଶାସକ ଓ ବିରୋଧୀଙ୍କ ହୋହଲ୍ଲା ଯୋଗୁଁ ନଷ୍ଟ ହୋଇଛି। ଅଧିବେଶନର କାର୍ଯ୍ୟକାଳ ନଷ୍ଟ ହେବାକୁ ନେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରନ ରିଜିଜୁ ଦୁଃଖ ପ୍ରକାଶ କରିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ରିଜିଜୁ କହିଛନ୍ତି ଯେ ସଂସଦ ଅଧିବେଶନର କାର୍ଯ୍ୟ ସମୟ ଦିନକୁ ଦିନ ହ୍ରାସ ପାଇବା ନିଶ୍ଚିତ ରୂପେ ଦୁଃଖଦାୟକ। ଏଥିପାଇଁ ସେ ବିରୋଧୀ ଦଳଗୁଡିକୁ ଦାୟୀ କରିଛନ୍ତି। ବିରୋଧୀ ଦଳଗୁଡିକ ସଂସଦୀୟ ପରମ୍ପରା ଓ କାର୍ଯ୍ୟରେ ପ୍ରତିବନ୍ଧକ ସୃଷ୍ଟି କରୁଛି​ ବୋଲି ସେ କହିଛନ୍ତି। ସଂସଦର ଆଗାମୀ ଅଧିବେଶନଗୁଡିକରେ ଗୃହରେ ଏପରି ଅଚଳାବସ୍ଥା ସୃଷ୍ଟି ନ କରିବାକୁ ସେ ବିରୋଧୀ ଦଳଗୁଡିକୁ ନିବେଦନ କରିଛନ୍ତି। ଅନ୍ୟପକ୍ଷରେ ଅଧିବେଶନର ଶେଷ ଦିନରେ ବିରୋଧୀ ଦଳର ସାଂସଦମାନେ ବିଜୟ ଚୌକରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସମ୍ବିଧାନ ପ୍ରଣେତା ବାବା ସାହେବ ଆମ୍ବେଦକରଙ୍କ ସମ୍ପର୍କରେ ଦେଇଥିବା ମନ୍ତବ୍ୟ ପାଇଁ ବିରୋଧୀ ସଦସ୍ୟମାନେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଇସ୍ତଫା ସହିତ କ୍ଷମା ପ୍ରାର୍ଥନା ଦାବି କରିଥିଲେ। ଆମ୍ବେଦକରଙ୍କୁ ନେଇ ଗୁରୁବାର ସଂସଦ ଭବନ ପରିସରରେ ଶାସକ ଓ ବିରୋଧୀ ଦଳ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଏହି ଧସ୍ତାଧସ୍ତିରେ ବିଜେପି ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ଓ ମୁକେଶ ରାଜପୁତ ଆହତ ହୋଇଥିଲେ। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ମଧ୍ୟ ଏହି ଧସ୍ତାଧସ୍ତିରେ ଆହତ ହୋଇଥିବା ଅଭିଯୋଗ କରିଛନ୍ତି। ଏହା ପୂର୍ବରୁ ଗୌତମ ଅଦାନୀ ପ୍ରସଙ୍ଗରେ ଆଲୋଚନା ଦାବି କରି ବିରୋଧୀ ଇଣ୍ଡି ମେଣ୍ଟର ସଦସ୍ୟମାନେ ଉଭୟ ଗୃହରେ ହୋହଲ୍ଲା କରିଥିଲେ। ସେହିପରି ଶାସକ ଦଳ ସଦସ୍ୟମାନେ ସୋନିଆ ଗାନ୍ଧୀ ଓ ଜର୍ଜ ସୋରୋସଙ୍କ ପ୍ରସଙ୍ଗ ଉପରେ ଆଲୋଚନା ଦାବି କରି ହୋହଲ୍ଲା କରିଥିଲେ। ଶାସକ ଓ ବିରୋଧୀଙ୍କ ମଧ୍ୟରେ ଏପରି ଆରୋପ ପ୍ରତ୍ୟାରୋପକୁ ନେଇ ସଂସଦର ପ୍ରାୟ ଅଧା ସମୟ ନଷ୍ଟ ହୋଇଛି।
ଏହି ଅଧିବେଶନରେ ବିରୋଧୀ ଦଳଗୁଡିକ ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଜଗଦୀପ ଧନକଡଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ନୋଟିସ ଦେଇଥିଲେ। ମାତ୍ର ଧାର‌୍ୟ୍ୟ ସମୟ ୧୪ଦିନ ପୂର୍ବରୁ ନୋଟିସ ଦିଆଯାଇ ନଥିବାରୁ ଏହାକୁ ଅଗ୍ରାହ୍ୟ କରିଦିଆଯାଇଥିଲା।

Comments are closed.