ନୂଆଦିଲ୍ଲୀ : ସୈନ୍ୟବାହିନୀରେ ଲିଙ୍ଗଗତ ପ୍ରଭେଦ ନାହିଁ। ଏହା ପ୍ରମାଣ କରିବା ଉଦ୍ଦେଶ୍ୟରେ ଜଣେ ମହିଳା ଏଥର ଜନରାଜ୍ୟ ଦିବସ ପରେଡରେ ପୁରୁଷ ବାହିନୀର ନେତୃତ୍ବ ନେବାକୁ ସ୍ଥିର ହୋଇଛି। ପ୍ରଥମ ଥର ପାଇଁ ଲେଫ୍ଟନାଣ୍ଡ କମାଣ୍ଡର ଭାବନା କସ୍ତୁରୀ ଏହି ଗୌରବର ଅଧିକାରିଣୀ ହେବାକୁ ଯାଉଛନ୍ତି। ସମ୍ପ୍ରତି ପଦାତିକ ବାହିନୀର ସର୍ଭିସ କର୍ପ୍ସ (ଏଏସ୍ସି)ରେ କଣ୍ଟିଞ୍ଜେଣ୍ଟ କମାଣ୍ଡର ଭାବେ ଭାବନା କାର୍ଯ୍ୟରତ। ସର୍ଭିସ କର୍ପ୍ସର ୧୪୪ ଜଣ ଯବାନ ଓ ଦୁଇ ଜଣ କନିଷ୍ଠ କମିସନ୍ଡ ଅଫିସର (ଜେସିଓ) ମଧ୍ୟ ଚଳିତ ବର୍ଷ ପରେଡରେ ଅଂଶଗ୍ରହଣ କରୁଛନ୍ତି। ଏହା ଐତିହାସିକ ବୋଲି କହିଛନ୍ତି ଭାବନା। ଚଳିତ ବର୍ଷ ପରେଡରେ ‘ନାରୀ ଶକ୍ତି’ର ପ୍ରଦର୍ଶନ ସ୍ବରୂପ ପ୍ରଥମ ଥର ପାଇଁ ସର୍ବାଧିକ ମହିଳା ଯବାନ ଅଂଶଗ୍ରହଣ କରୁଥିବା ପ୍ରକାଶ। ଆସାମ ରାଇଫଲ୍ସର ଏକ ମହିଳା ବାହିନୀ ଅଂଶଗ୍ରହଣ କରିବ। ଏହାର ନେତୃତ୍ବ ନେବେ ଗୋଟିଏ ସନ୍ତାନର ଜନନୀ ୩୦ବର୍ଷୀୟା ମେଜର ଖୁସ୍ବୁ କନୱାର। ସେହିଭଳି ସିଗନାଲ କର୍ପ୍ସର ୨୮ବର୍ଷୀୟା କ୍ୟାପଟେନ୍ ଶିଖା ସୁରଭୀ ପ୍ରଥମ ଥର ପାଇଁ ପୁରୁଷଙ୍କ ସହିତ ଦୁଃସାହସିକ ମୋଟର ଗାଡ଼ି ଚଳନା ପ୍ରଦର୍ଶନ କରିବେ। ପରେଡରେ ନୌବାହିନୀ ନାବିକ କଣ୍ଟିଞ୍ଜେଣ୍ଟର ନେତୃତ୍ବ ନେବେ ଲେଫ୍ଟନାଣ୍ଟ ଅମ୍ବିକା ସୁଧାକରନ୍। ଆଉ ଜଣେ ମହିଳା ଅଧିକାରୀ କ୍ୟାପଟେନ୍ ଭାବନା ସିୟାଲ ଟ୍ରାନ୍ସପୋର୍ଟେବ୍ଲ ସାଟେଲାଇଟ ଟର୍ମୀନାଲ କଣ୍ଟିଞ୍ଜେଣ୍ଟର ନେତୃତ୍ବ ନେବେ। ଏହା ବ୍ୟତୀତ ଚଳିତ ବର୍ଷ ପରେଡରେ ପ୍ରଥମ ଥର ପାଇଁ ଗୋର୍ଖା ବ୍ରିଗେଡ଼ ଓ ଅଜାଦ ହିନ୍ଦ୍ ଫୌଜ ସହିତ ଏକ ଶଙ୍ଖ ବାହିନୀ ଅଂଶଗ୍ରହଣ କରିବେ।
Popular Categories



