‘ହାଇବ୍ରିଡ ମଡେଲ’ ଆଧାରରେ ହେବ ଚମ୍ପିଆନ୍ସ ଟ୍ରଫି

ସମାଜ ଡିଜିଟାଲ ଡେସ୍କ: ‘ହାଇବ୍ରିଡ ମଡେଲ’ ଆଧାରରେ ଆୟୋଜନ ହେବ ଚମ୍ପିଆନ୍ସ ଟ୍ରଫି। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି) ଏଥିପାଇଁ ମଞ୍ଜୁରୀ ପ୍ରଦାନ କରିଛି। ଏହାଫଳରେ ଟୁର୍ଣ୍ଣାମେଣ୍ଟ ପାକିସ୍ତାନ ଏବଂ ଦୁବାଇରେ ଆୟୋଜନ କରାଯିବ। ଏହାକୁ ନେଇ ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ(ବିସିସିଆଇ) ଏବଂ ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି) ମଧ୍ୟରେ ବୁଝାମଣା ହୋଇଛି। ୨୦୨୫ରେ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଟିମ ଏହାର ସମସ୍ତ ମ୍ୟାଚ ଦୁବାଇରେ ଖେଳିବ। ଅନ୍ୟ ସମସ୍ତ ମ୍ୟାଚ ପାକିସ୍ତାନରେ ଖେଳାଯିବ।

ହାଇବ୍ରିଡ ମଡେଲ ଆଧାରରେ ବିସିସିଆଇ ଏବଂ ପିସିବି ମଧ୍ୟରେ ସହମତି ହୋଇଛି ଯେ, ୨୦୨୬ରେ ଭାରତରେ ହେବାକୁ ଥିବା ଟି-୨୦ ବିଶ୍ଵକପର ଲିଗ୍‌ ମ୍ୟାଚ ପାଇଁ ପାକିସ୍ତାନ ଭାରତ ଆସିବ ନାହିଁ। ସେସବୁ ମ୍ୟାଚକୁ ପାକିସ୍ତାନ କଲୋମ୍ବୋରେ ଖେଳିବ। ଚମ୍ପିଆନ୍ସ ଟ୍ରଫିର ହାଇବ୍ରିଡ ମଡେଲ ପାଇଁ ପିସିବିକୁ କୌଣସି କ୍ଷତିପୂରଣ ଦିଆଯିବ ନାହିଁ। ସୂଚନାଯୋଗ୍ୟ, ଚମ୍ପିଆନ୍ସ ଟ୍ରଫି ଲାଗି ଭାରତ ସରକାର ଟିମ ଇଣ୍ଡିଆକୁ ପାକିସ୍ତାନକୁ ଯିବାକୁ ଅନୁମତି ଦେଇ ନ ଥିଲା। ଏଭଳି ସ୍ଥିତିରେ ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଦଳ ଖେଳିବାକୁ ହେଲେ ହାଇବ୍ରିଡ ମଡେଲ ଏକମାତ୍ର ବିକଳ୍ପ ଥିଲା। ବିସିସିଆଇ ପକ୍ଷରୁ ଆଇସିସିକୁ ଚିଠି ଦ୍ଵାରା ଏ ସମ୍ପର୍କରେ ଅବଗତ କରାଇ ଦିଆଯାଇଥିଲା। ତେବେ ପିସିବି ହାଇବ୍ରିଡ ମଡେଲ ଅଧାରରେ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବ ନାହିଁ ବୋଲି ଆଇସିସି ବୈଠକରେ ଜୋର ଦେଇ କହିଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ନିଜ ନିଷ୍ପତ୍ତି ବଦଳାଇଥିଲା।

Comments are closed.