ଅଲ୍ଲୁଙ୍କ ଗିରଫ ପରେ ଏମିତି କହିଲେ ମୃତା ମହିଳାଙ୍କ ସ୍ଵାମୀ

ସମାଜ ଡିଜିଟାଲ ଡେସ୍କ: ଡିସେମ୍ବର ୪ ତାରିଖ ରାତିରେ ପୁଷ୍ପା-୨ ଚଳଚ୍ଚିତ୍ରର ସ୍କ୍ରିନିଂ ସମୟରେ ହାଇଦ୍ରାବାଦର ସନ୍ଧ୍ୟା ସିନେମା ହଲ ବାହାରେ ଦଳାଚକଟା ଘଟି ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ପୁଲିସ ପ୍ରାୟ ୯ ଦିନ ପରେ ଅଭିନେତା ଅଲ୍ଲୁ ଅର୍ଜୁନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ମହିଳାଙ୍କ ମୃତ୍ୟୁ ପାଇଁ ପୁଲିସ ଅଲ୍ଲୁଙ୍କୁ ଦୟୀ କରି ଗିରଫ କରିବା ଘଟଣା ସାରା ଦେଶରେ ପ୍ରତିକ୍ରିୟା ସୃଷ୍ଟି କରିଛି। ଅଲ୍ଲୁଙ୍କ ପ୍ରଶଂସକମାନଙ୍କୁ ବିବ୍ରତ ମଧ୍ୟ କରିଛି। ଏପରି କି ଖୋଦ ମୃତା ମହିଳାଙ୍କ ସ୍ଵାମୀ ମଧ୍ୟ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ଗଣମାଧ୍ୟମକୁ ସେ କହିଛନ୍ତି, ଅଲ୍ଲୁ ଅର୍ଜୁନଙ୍କୁ ଗିରଫ କରାଯିବା ଘଟଣା ସେ ଗଣମାଧ୍ୟମରୁ ଜାଣିବାକୁ ପାଇଲେ। ଏହି ଘଟଣାରେ ଅଲ୍ଲୁଙ୍କର କୌଣସି ସମ୍ପୃକ୍ତି ନାହିଁ। ତାଙ୍କୁ ଗିରଫ କରାଯିବା ଦୁର୍ଭାଗ୍ୟଜନକ। ଯଦି ଦରକାର ପଡ଼େ ସେ ମାମଲା ପ୍ରତ୍ୟାହାର କରିନେବେ।

ସୂଚନାଯୋଗ୍ୟ, ଘଟଣା ପରେ ଅଲ୍ଲୁ ଅର୍ଜୁନ ଦୁଃଖ ପ୍ରକାଶ କରିବା ସହିତ ମୃତା ମହିଳାଙ୍କ ପରିବାରକୁ ଭେଟି ସମବେଦନା ଜଣାଇଥିଲେ। ଏହା ସହିତ ସେ ୨୫ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରିଥିଲେ।

Comments are closed.