ଆଜି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି

ମୁମ୍ବଇ : ମହାରାଷ୍ଟ୍ରର ସରକାର ଗଠନ ନେଇ ଲାଗି ରହିଥିବା ଅଚଳାବସ୍ଥା ଆଜି ଦୂର ହେବ। ରାଜ୍ୟର କାମଚଳା ମୁଖ୍ୟମନ୍ତ୍ରୀ ତଥା ଶିବସେନା ମୁଖ୍ୟ ଏକନାଥ ସିନ୍ଦେ କହିଛନ୍ତି​‌ ଯେ ଆଜି ଏନଡିଏ ବା ମହାୟୁତି ମେଣ୍ଟ ଏହାର ମୁଖ୍ୟମନ୍ତ୍ରୀ ପଦ ପାଇଁ ନାମ ଘୋଷଣା କରିବ। ଏହା ସହିତ ମେଣ୍ଟ ମଧ୍ୟରେ ସରକାରର ଗୁରୁତ୍ବପୂର୍ଣ୍ଣ ବିଭାଗର ବଣ୍ଟନ କରାଯିବ। ସିନ୍ଦେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ପଦ ପାଇଁ ନାମ ଚୂଡାନ୍ତ ହୋଇଯାଇଛି। ଏହା କେବଳ ଘୋଷଣା କରାଯିବ। ମୁଖ୍ୟମନ୍ତ୍ରୀ ପଦ ପାଇଁ ପ୍ରଧାନମନ୍ତ୍ରୀ, ସ୍ବରାଷ୍ଟ୍ର ମନ୍ତ୍ରୀ ଓ ବିଜେପି ରାଷ୍ଟ୍ରୀୟ ସଭାପତି ଯେଉଁ ନାମ ଚୂଡାନ୍ତ କରିଛନ୍ତି ତାକୁ ସେ ନିଃସର୍ତ୍ତ ସମର୍ଥନ ଘୋଷଣା କରିସାରିଛନ୍ତି। ବିଜେପି ନେତା ସୁଧୀର ମୁଙ୍ଗାତିୱାର କହିଛନ୍ତି ଯେ କେନ୍ଦ୍ରୀୟ ନେତାଙ୍କ ସହ ହୋଇଥିବା ବୈଠକରେ ମୁଖ୍ୟମନ୍ତ୍ରୀ ନାମ ଚୂଡାନ୍ତ ହୋଇଛି। ଏହି ନାମକୁ ଏବେ ବିଧିବଦ୍ଧ ଘୋଷଣା କରାଯିବାକୁ ବାକି ରହିଛି। ସୋମବାର ମୁଖ୍ୟମନ୍ତ୍ରୀ ପଦ ପାଇଁ ନାମ ଘୋଷଣା କରାଯିବା ପରେ ଡିସେମ୍ବର ୫ରେ ନୂଆ ସରକାର ଶପଥ ଗ୍ରହଣ କରିବ। ଶୁକ୍ରବାର ଠାରୁ ପୈତୃକ ଗ୍ରାମ ସତାରା ଜିଲାର ଡାରେ ଗ୍ରାମକୁ ଚାଲିଯାଇଥିବା ସିନ୍ଦେ ରବିବାର ମୁମ୍ବଇ ଫେରିଆସିଛନ୍ତି। ସିନ୍ଦେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ ସମୟରେ ଯେଉଁ କାମ ଚାପ ରହିଥିଲା ସେଥିପାଇଁ ସେ ଅସୁସ୍ଥ ହୋଇପଡିଲେ। ଏବେ ସେ ସୁସ୍ଥ ହେଉଛନ୍ତି। ଅଢେଇ ବର୍ଷର ମୁଖ୍ୟମନ୍ତ୍ରୀ କାର୍ଯ୍ୟକାଳ ମଧ୍ୟରେ ସେ କେବେହେଲେ ଛୁଟି ନେଇ ନାହାନ୍ତି।
ନୂଆ ସରକାରରେ ବିଜେପି ପାଖରେ ମୁଖ୍ୟମନ୍ତ୍ରୀ ପଦ ରହିବାକୁ ଯାଉଥିବାବେଳେ ଶିବସେନା ଓ ଏନସିପିକୁ ଉପମୁଖ୍ୟମନ୍ତ୍ରୀ ପଦ ମିଳିବ। ଏପରିସ୍ଥଳେ ସିନ୍ଦେ ଉପମୁଖ୍ୟମନ୍ତ୍ରୀ ହେବାକୁ ଅନିଚ୍ଛା ପ୍ରକାଶ କରିଛନ୍ତି। ତେଣୁ ସିନ୍ଦେଙ୍କ ପୁଅ ତଥା ଲୋକସଭା ସାଂସଦ ଶ୍ରୀକାନ୍ତ ସିନ୍ଦେ ଉପମୁଖ୍ୟମନ୍ତ୍ରୀ ହେବା ନେଇ ଚର୍ଚ୍ଚା ହେଉଛି। ପୁଅ ଶ୍ରୀକାନ୍ତ ଉପମୁଖ୍ୟମନ୍ତ୍ରୀ ହେବା ଓ ଶିବସେନା ନୂଆ ସରକାରରେ ଗୃହ ବିଭାଗ ଦାବି କରିବା ସମ୍ପର୍କରେ ସାମ୍ବାଦିକମାନେ ଏକନାଥଙ୍କୁ ପ୍ରଶ୍ନ କରିଥିଲେ। ଉତ୍ତରରେ ଏକନାଥ କହିଛନ୍ତି ଯେ ଆମେ ତିନି ଦଳ ଏକାଠି ବସି ସରକାରର ରୂପରେଖ ସମ୍ପର୍କରେ ଆଲୋଚନା କରିବୁ। କାହାକୁ କେଉଁ ବିଭାଗ ମିଳିବ ତାହା ବୈଠକରେ ସ୍ଥିର ହେବ। ଗଣମାଧ୍ୟମରେ ଏବେ ଯେଉଁସବୁ ଆଲୋଚନା ହେଉଛି ତାହା କେବଳ ଆନୁମାନିକ ଏହାର କୌଣସି ସତ୍ୟତା ନାହିଁ। ନଭେମ୍ବର ୨୮ରେ ନୂଆଦିଲ୍ଲୀରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଓ ବିଜେପି ସଭାପତି ଜେପି ନଡ୍ଡାଙ୍କ ସହିତ ମହାୟୁତି ମେଣ୍ଟର ତିନି ନେତାଙ୍କର ବୈଠକ ହୋଇଥିଲା। ବୈଠକରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ନାମ ଏକ ପ୍ରକାର ଚୂଡାନ୍ତ ହୋଇଥିବା ଜଣାଯାଇଛି। ମାତ୍ର ସରକାର ଗଠନର ଔପଚାରିକ ଘୋଷଣା ମହାୟୁତି ମେଣ୍ଟ ପକ୍ଷରୁ ଘୋଷଣା କରାଯିବାକୁ କୁହାଯାଇଛି। ଏଥିପାଇଁ ଶୁକ୍ରବାର ବୈଠକ ହେବାକୁ ଥିବାବେଳେ ଏକନାଥ ସିନ୍ଦେ ନିଜ ପୈତୃକ ଗ୍ରାମକୁ ଚାଲିଯାଇଥିଲେ। ଫଳରେ ମେଣ୍ଟ ନେତାଙ୍କ ବୈଠକ ହୋଇପାରି ନାହିଁ। ସୋମବାର ବୈଠକ ବସି ସରକାର ଗଠନ ସମ୍ପର୍କରେ ଘୋଷଣା ହେବ। ଡିସେମ୍ବର ୫ରେ ନୂଆ ସରକାର ଶପଥ ଗ୍ରହଣ କରିବା ନେଇ ବିଜେପି ରାଜ୍ୟ ସଭାପତି ଚନ୍ଦ୍ରଶେଖର ବାୱାନକୁଲେ ଶନିବାର ଠାରୁ ଘୋଷଣା କରିସାରିଛନ୍ତି। ନଭେମ୍ବର ୨୦ରେ ହୋଇଥିବା ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ମହାୟୁତି ମେଣ୍ଟ ୨୩୦ଟି ଆସନରେ ବିଜୟୀ ସରକାର ଗଠନ କରିବାକୁ ଦାବିଦାର ହୋଇଛି। ନଭେମ୍ବର ୨୩ରେ ନିର୍ବାଚନ ଫଳ ଘୋଷଣା ହୋଇଥିବାବେଳେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ସରକାର ଗଠନ ହୋଇପାରି ନାହିଁ।

kalyan agarbati

Comments are closed.