ପ୍ରସ୍ତାବ ଅନୁମୋଦନ ପରେ ତୁରନ୍ତ କାର୍ଯ୍ୟକାରୀ କରିବା ଲକ୍ଷ୍ୟ ରହିଛି: ନୀତି ଆୟୋଗ ମୁଖ୍ୟ କାର୍ଯ୍ୟ ନିର୍ବାହୀ
ଭିଜନ ଡକ୍ୟୁମେଣ୍ଟ୨୦୩୬ ଏବଂ ୨୦୪୭ ପ୍ରସ୍ତୁତି ସଂପର୍କିତ ବୈଠକ
ଭୁବନେଶ୍ୱର: ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଶତବାର୍ଷିକୀ ପାଳନ ପରିପ୍ରେକ୍ଷୀରେ ୨୦୩୬ ମସିହାସୁଦ୍ଧା ବିକଶିତ ଓଡ଼ିଶା ଏବଂ ୨୦୪୭ରେ ଦେଶ ସ୍ୱାଧୀନତାର ଶତବାର୍ଷିକ ପାଳନ କରାଯିବାକୁ ଥିବାରୁ ୨୦୪୭ ସୁଦ୍ଧା ବିକଶିତ ଭାରତର ଲକ୍ଷ୍ୟ ରଖି ପ୍ରସ୍ତାବିତ “ବିକଶିତ ଓଡ଼ିଶା ୨୦୩୬ଏବଂ ବିକଶିତ ଭାରତ ୨୦୪୭ ଭିଜନ ଡକ୍ୟୁମେଣ୍ଟ”ର ପ୍ରସ୍ତୁତି କାର୍ଯ୍ୟ ଅଗ୍ରଗତି ସଂପର୍କରେ ନୀତି ଆୟୋଗର ମୁଖ୍ୟ କାର୍ଯ୍ୟ ନିର୍ବାହୀ ବି.ଭି.ଆର ଶୁଭ୍ରମଣ୍ୟମ ଏବଂ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ସ୍ଥିତି ସମୀକ୍ଷା କରିଥିଲେ।
ଲୋକ ସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଥିବା ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓରଂଜନ କୁମାର ସିଂଙ୍କ ସମେତ ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ, କମିଶନର ତଥା ଶାସନ ସଚିବ, ନୀତି ଆୟୋଗ ଭିଜନ ଡକ୍ୟୁମେଣ୍ଟ ପ୍ରସ୍ତୁତି ଟିମ୍ ଏବଂ ରାଜ୍ୟ ଯୋଜନା ଓ ସଂଯୋଜନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।
ଏହି ଦୂରଦୃଷ୍ଟି ସମ୍ପନ୍ନ ଦସ୍ତାବିଜ ତଥା ମାର୍ଗର୍ଦର୍ଶିକା ପ୍ରସ୍ତୁତି ନିମନ୍ତେ ବିଭିନ୍ନ ବିଭାଗ, ପରାମର୍ଶ ପ୍ରଦାନକାରୀ ଅନୁଷ୍ଠାନ ଏବଂ ଭିଜନ ଡକ୍ୟୁମେଣ୍ଟ ୱେବ୍ପୋର୍ଟାଲ, ହ୍ୱାଟ୍ସ ଆପ୍ ଏବଂ ଇ-ମେଲ ଆଦି ଜରିଆରେ ଜନ ସାଧାରଣଙ୍କ ଠାରୁ ଗ୍ରହଣ କରାଯାଇଥିବା ପ୍ରସ୍ତାବ ଓ ମତାମତ ସଂପର୍କରେ ବୈଠକରେ ଆଲୋଚନା କରାଯାଇଥିଲା। ବୈଠକରୁ ଜଣାଯାଇଛି ଯେ, ବିଭିନ୍ନ ମାଧ୍ୟମରେ ଅଦ୍ୟାବଧି ୨୦୦୦ରୁ ଊର୍ଦ୍ଧ୍ୱ ପ୍ରସ୍ତାବ ଆସିଛି।
ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭିଜନ ଡକ୍ୟୁମେଣ୍ଟ ପ୍ରସ୍ତୁତି ପାଇଁ ଗତ ଅକ୍ଟୋବର୩୧ ତାରିଖରେ ଓ୍ୱେବ୍ ପୋର୍ଟାଲ-“ଓଡିଶା ଭିଜନ ୨୦୩୬ ଏବଂ ୨୦୪୭” ର ଶୁଭାରମ୍ଭ କରି ଜନସାଧାରଣ, ବୁଦ୍ଧିଜୀବି, ନୀତି ନିର୍ଦ୍ଧାରକ , ଶିକ୍ଷାବିତ, ନାଗରିକ, ନାଗରିକ ସଂଗଠନ, ଶିଳ୍ପକ୍ଷେତ୍ରରେ ପ୍ରତିଷ୍ଠିତ ନେତୃବୃନ୍ଦ ଏବଂ ବିଶ୍ୱର ବିଭିନ୍ନ ଦେଶରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କ ଠାରୁ ପ୍ରସ୍ତାବ ଆହ୍ୱାନ କରିଛନ୍ତି । ଭିଜନ ଡକ୍ୟୁମେଣ୍ଟରେ ଶିଳ୍ପ ଏବଂ ଭିତ୍ତିଭୂମି ବିକାଶ, ସାମାଜିକ ଏବଂ ମାନବ ବିକାଶ, ସଂସ୍କୃତି ଓ ଐତିହ୍ୟ, ପ୍ରଯୁକ୍ତି ଏବଂ ନବସୃଜନ, ଗ୍ରାମୀଣ ରୂପାନ୍ତରଣ ଓ ସୁଶାସନ ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରକୁ ପ୍ରାଧାନ୍ୟ ଦିଆଯାଇଛି। ଚଳିତ ନଭେମ୍ବର ୨୦ତାରିଖ ସୁଦ୍ଧା ଭିଜନ ଡକ୍ୟୁମେଣ୍ଟ ଓ୍ୱେବ୍ ପୋର୍ଟାଲ ଜରିଆରେ ପ୍ରସ୍ତାବ ଓ ମତାମତ ପ୍ରଦାନ କରିବା ବ୍ୟବସ୍ଥା ରହିଛି । ଓଡ଼ିଶାବାସୀଙ୍କ ଠାରୁ ଅଧିକରୁ ଅଧିକ ମତାମତ ଏବଂ ପ୍ରସ୍ତାବ ଦେବାକୁ ଅନୁରୋଧ କରାଯାଇଛି ।
ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ବିଭିନ୍ନ ନାଗରିକ ସମାଜଠାରୁ ଗୃହୀତ ପ୍ରସ୍ତାବ ସଂପର୍କରେ ଆଲୋକପାତ କରିଥିଲେ। ଚଳିତ ୨୦୨୪ ମସିହା ଏବଂ ଆଗାମୀ ୨୦୨୯ ସୁଦ୍ଧା ରାଜ୍ୟର ବିକାଶର ସ୍ଥିତି କିଭଳି ଥିବ ଏବଂ ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ସଙ୍ଗେସଙ୍ଗେ ୨୦୪୭ ସୁଦ୍ଧା ବିକଶିତ ଭାରତ ପାଇଁ ଓଡ଼ିଶାର ଯୋଗଦାନ ସମ୍ପର୍କରେ ବୈଠକରେ ଆଲୋଚନା କରାଯାଇଥିଲା। ଆଗାମୀ ୨ ଦଶନ୍ଧି ଭିତରେ ଓଡ଼ିଶାର ଅର୍ଥନୀତି କିପରି ସୁଦୃଢ଼ ହୋଇ ଅଧିକ ଉତ୍ପାଦନ ଭିତ୍ତିକ କର୍ମନିଯୁକ୍ତି ସୃଷ୍ଟିହେବ ସେ ସଂପର୍କରେ ଆଲୋକପାତ କରାଯାଇଥିଲା।
ଏହି ପରିପ୍ରେକ୍ଷୀରେ ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ, ଜନସାଧାରଣଙ୍କ ଠାରୁ ପ୍ରସ୍ତାବ ଗ୍ରହଣ ପରେ ଏସଂପର୍କରେ ମୁକ୍ତ ଆଲୋଚନା କରାଯିବ।
ଭିଜନ ଡକ୍ୟୁମେଣ୍ଟରେ ନିର୍ଦ୍ଦିଷ୍ଟ ମତାମତ ଏବଂ ବୋଧଗମ୍ୟ ହେବା ଭଳି ପ୍ରସ୍ତାବ, ଯାହାକି ରାଜ୍ୟ ତଥା ଦେଶର ଦୃତ ବିକାଶନ୍ମୋଖୀ ପରିବର୍ତ୍ତନରେ ସହାୟକ ହେବ, ସେଥିପ୍ରତି ଗୁରୁତ୍ୱ ରହିବ । ଏହି ଡକ୍ୟୁମେଣ୍ଟସମସ୍ତଙ୍କ ପାଇଁ ସୁସ୍ଥତା, ସମାନତା, ସମ୍ମାନର ସହିତ ଜୀବନଯାପନ ସହିତ ସାମଗ୍ରିକ ବିକାଶ ଉପରେ ପର୍ଯ୍ୟବସିତ ହେବ।
ପ୍ରସ୍ତାବ ଆଧାରରେ ବିଭିନ୍ନ ସଂସ୍ଥାଗତ ଆବଶ୍ୟକ ପରିବର୍ତ୍ତନ କରାଯିବା ଏବଂ ବିଭିନ୍ନ ବିଭାଗ ତରଫରୁ ସାମୟିକ ଏବଂ ଦୀର୍ଘକାଳୀନ ଯୋଜନା ପ୍ରସ୍ତୁତି ଉପରେ ମୁଖ୍ୟ ଶାସନ ସଚିବ ଆଲୋକପାତ କରିଥିଲେ। ଭିଜନ ଡକ୍ୟୁମେଣ୍ଟ ପ୍ରସ୍ତୁତି ଭଳି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକୁ ଏକ ସୁଯୋଗ ଏବଂ ଆହ୍ୱାନ ଭାବେ ଗ୍ରହଣ କରାଯାଇ ଏହାକୁ ସମ୍ମିଳିତ ଭାବେ ସମସ୍ତଙ୍କ ପ୍ରଚେଷ୍ଟାରେ ସଂପାଦିତ କରାଯିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି।
ଭିଜନ ଡକ୍ୟୁମେଣ୍ଟ ପ୍ରସ୍ତୁତି ଏବଂ ଏହାକୁ ଅନୁମୋଦନ କରାଯିବା ପରେ ଏଥିରେ ରହିଥିବା ପ୍ରସ୍ତାବ ଧାର୍ଯ୍ୟ ଲକ୍ଷ୍ୟ ଅନୁସାରେ କିପରି ତୁରନ୍ତ କାର୍ଯ୍ୟକାରୀ ହେବ, ତାହା ଲକ୍ଷ୍ୟ ରହିଥିବା ସଂପର୍କରେ ନୀତି ଆୟୋଗ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଶୁଭ୍ରମଣ୍ୟମ ପ୍ରକାଶ କରିବା ସହିତ ଏହାର ପ୍ରସ୍ତୁତି ସଂପର୍କରେ ବିଭିନ୍ନ ପରାମର୍ଶ ଦେଇଥିଲେ।
ଓଡ଼ିଶାର ପ୍ରାକୃତିକ ସମ୍ପଦ, ଜଙ୍ଗଲ ଆଚ୍ଛାଦନ, ମାନବସମ୍ବଳ, ଅବିବୃଦ୍ଧିଶୀଳ ଅର୍ଥନୀତି, ଶକ୍ତିଉତ୍ପାଦନ, କ୍ରମବର୍ଦ୍ଧିଷ୍ଣୁ ଦକ୍ଷ ମାନବ ସମ୍ବଳ, ସାମାଜିକ-ଅର୍ଥନୈତିକ ସୂଚକାଙ୍କରେ କ୍ରମାଗତ ଉନ୍ନତି, ସାମୁଦ୍ରିକ ବେଳାଭୂମି, ବିଦ୍ୟୁତ୍ ଶକ୍ତି ଉତ୍ପାଦନ ବୃଦ୍ଧି, ସମୃଦ୍ଧ କଳା, ଐତିହ୍ୟ , ସାଂସ୍କୃତିକସ୍ଥଳ ଏବଂ ଉତ୍ସବ ଭିତ୍ତିକ ପର୍ଯ୍ୟଟନ, ଯୁବଶକ୍ତି, ଜଳଶକ୍ତି, ଭିତ୍ତିଭୂମି ସହ ବିଭିନ୍ନ କ୍ଷେତ୍ରରେ ଓଡ଼ିଶାର ବହୁମୁଖୀ ସୁବିଧା ସୁଯୋଗ, ସମ୍ଭାବନା ଓ ବିକାଶର ଧାରା ଆଗାମୀ ଦିନରେ ସମୃଦ୍ଧ ଓଡ଼ିଶା ସଙ୍ଗେ ସଙ୍ଗେ ବିକଶିତ ଭାରତର ସ୍ୱପ୍ନକୁ ସାକାର କରିବ ବୋଲି ଆଶା କରାଯାଇଛି।
Comments are closed.