www.samajalive.in
Thursday, December 11, 2025
16.1 C
Bhubaneswar

ଭକ୍ତ ଶିରୋମଣି ଦାସିଆଙ୍କ ଜୟନ୍ତୀ ଉତ୍ସବ, ଆଧ୍ୟାତ୍ମିକ ପତ୍ରିକା ‘ଭାବକୁ ନିକଟ’ ଉନ୍ମୋଚିତ

ପିପିଲି: ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କ ପରମଭକ୍ତ ଶିରୋମଣି ଦାସିଆଙ୍କ ଜୟନ୍ତୀ ଅବସରରେ ତାଙ୍କର ଜନ୍ମ ଓ ସାଧନା ପୀଠ ପିପିଲି ନିକଟବର୍ତ୍ତୀ ବାଲିଗାଁ ମଙ୍ଗଳବାର ଉତ୍ସବ ମୁଖରିତ ହୋଇଉଠିଥିଲା। ପିପିଲି ବ୍ଲକ ତେଇସିପୁର ପଞ୍ଚାୟତ ଅନ୍ତର୍ଗତ ବାଲିଗାଁ ଠାରେ ପବିତ୍ର କାର୍ତ୍ତିକ ଶୁକ୍ଳ ଏକାଦଶୀରେ ସିଦ୍ଧ ସାଧକ ଭକ୍ତ ଦାସିଆଙ୍କ ଜୟନ୍ତୀ ଉତ୍ସବ ଆନନ୍ଦ ଉଲ୍ଲାସ ମଧ୍ୟରେ ପାଳିତ ହୋଇଯାଇଛି। ଭକ୍ତ ଦାସିଆ ସ୍ମୃତି କମିଟି ପକ୍ଷରୁ ପ୍ରତ୍ୟୁଷରେ ଦାସିଆଙ୍କ ସମାଧି ପୀଠରେ ପୂଷ୍ପମାଲ୍ୟ ଅର୍ପଣ କରାଯିବା ସହ ବୈଦିକ ରୀତିରେ ପୂଜାର୍ଚ୍ଚନା, ଗୀତା, ଭାଗବତ ଓ ବେଦ ପାଠ କରାଯାଇଥିଲା। ପୀଠ ପରିସରରେ ଥିବା ପ୍ରଭୂ ଶ୍ରୀଜଗନ୍ନାଥଙ୍କ ମନ୍ଦିରରେ ସମସ୍ତ ରୀତିନୀତି ଅନୁଯାଇ ଚତୁର୍ଦ୍ଧାମୁର୍ତ୍ତୀର୍ଙ୍କ ପୂଜାର୍ଚ୍ଚନା କରାଯିବା ସହ ଅଖଣ୍ଡ ନାମଯଜ୍ଞ କରାଯାଇଥିଲା। ମଧ୍ୟାହ୍ନରେ ଭକ୍ତ ଦାସିଆଙ୍କ ପ୍ରିୟ ଜାଉ ଓ ଶାଗ ଭୋଗ, ପୀଠସ୍ଥ ଶ୍ରୀ ଜଗନ୍ନାଥଙ୍କ ମନ୍ଦିରର ମହାକାର୍ତ୍ତୀକ ପହିଲି ଭୋଗ ଏବଂ ମଧ୍ୟାହ୍ନ ଭୋଗ ଶ୍ରଦ୍ଧାଳୁ ଭକ୍ତମାନଙ୍କୁ ବିତରଣ କରାଯାଇଥିଲା। ସେଠାରେ ଥିବା ଭକ୍ତ ଦାସିଆଙ୍କ ସମାଧି ପୀଠ, ଦାସିଆଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି, ଶ୍ରୀଜଗନ୍ନାଥଙ୍କ ମନ୍ଦିର, ରାଧାମୋହନ ମଠ, ତୁଳସୀ ବଣ, ପଦ୍ମ ପୋଖରୀ ଓ ଭକ୍ତ ଦାସିଆ ତାଙ୍କ ପତ୍ନୀଙ୍କୁ ଜଳ ମଧ୍ୟରେ ରଥଯାତ୍ରା ଦେଖାଇଥିବା ଗୋଠଗାଡିଆ ନିକଟରେ ଶ୍ରଦ୍ଧାଳୁଙ୍କର ଭିଡ ପରିଲକ୍ଷିତ ହୋଇଥିଲା।

ଭକ୍ତ ଦାସିଆ ସ୍ମୃତି କମିଟିର ସଭାପତି ଡ଼ଃ ପ୍ରତିଭା ମହାରଥୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍ମୃତିସଭାରେ ଏମ୍ସର ପ୍ରାକ୍ତନ ନିର୍ଦ୍ଦେଶକ ଡାକ୍ତର ଅଶୋକ କୁମାର ମହାପାତ୍ର, ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୂଳପତି ଡ଼ଃ ବିନାୟକ ରଥ, ବିବେକାନନ୍ଦ ମହାପାତ୍ର, ତ୍ରିନାଥ ଲେଙ୍କା ପ୍ରମୁଖ ଯୋଗଦେଇ ଭକ୍ତ ଦାସିଆଙ୍କ ସ୍ମୃତିଚାରଣ କରିଥିଲେ। ସ୍ମୃତି କମିଟିର ସଂପାଦକ ଅଧ୍ୟାପକ ଡ଼ଃ ଘନଶ୍ୟାମ ସ୍ୱାଇଁ ଅତିଥି ପରିଚୟ ଓ ବିବରଣୀ ପାଠ କରିବା ଅବସରରେ ଉକ୍ତ ପୀଠର ସର୍ବାଙ୍ଗିନ ଉନ୍ନତି ପାଇଁ ସରକାରଙ୍କୁ ଅନୁରୋଧ କରିଥିଲେ। ଏହି ଅବସରରେ ଭକ୍ତ ଦାସିଆ ସ୍ମୃତି କମିଟି ପକ୍ଷରୁ ପ୍ରକାଶିତ ଆଧ୍ୟାତ୍ମିକ ତ୍ରୈମାସିକ ପତ୍ରିକା ‘ଭାବକୁ ନିକଟ’ କୁ ଅତିଥି ମାନେ ଉନ୍ମୋଚନ କରିଥିଲେ। କିଟ୍‌‌ ଯୁକ୍ତ ୨ ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ଚିତ୍ତରଞ୍ଜନ ମିଶ୍ର ସଭା ପରିଚାଳନା କରିଥିବା ବେଳେ ସାଂସ୍କୃତିକ ସଂପାଦକ ଆଇନଜୀବୀ ସରୋଜ କୁମାର ସାହୁ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

Hot this week

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

Related Articles

Popular Categories