କେନ୍ଦୁଝରଗଡ଼: ଚଳିତମାସ ୧ ତାରିଖରୁ ଆରମ୍ଭ ହୋଇଥିବା କେନ୍ଦୁଝର ପ୍ରସିଦ୍ଧ କାଳୀପୂଜା ରବିବାର ୧୦ ଦିନରେ ପହଞ୍ଚିଛି। ଏହି ପୂଜୋତ୍ସବ ଆସନ୍ତା ୧୧ତାରିଖ ସୋମବାର ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବାବେଳେ ଚଳିତବର୍ଷ ଅନୁକୂଳ ପାଗ ମହୋତ୍ସବକୁ ଅଧିକ ଉତ୍ସବମୁଖର କରିଛି। ମାଧପୁରସ୍ଥିତ ମା’କାଳୀଙ୍କ ଶକ୍ତିପୀଠ ଓ ସହର ଉପକଣ୍ଠ ସରାସସ୍ଥିତ ମା’ କାଳୀଙ୍କ ଶକ୍ତିପୀଠ ସମେତ କାଳୀପଡ଼ିଆସ୍ଥିତ କାଳୀତୀର୍ଥ କାଳୀପୂଜା, ଟେଲିଫୋନ ଏକ୍ସଚେଞ୍ଜ ସମ୍ମୁଖ ମା’ କାଳୀ, କାଶୀପୁର ଶ୍ମଶାନକାଳୀ ପୂଜା ମଣ୍ଡପରେ ଅପରାହ୍ନରୁ ଭକ୍ତଙ୍କ ନାହିଁ ନଥିବା ଭିଡ ଦେଖିବାକୁ ମିଳିଛି। ଏହି କାଳୀପୂଜାକୁ ମନଭରି ଉପଭୋଗ ପାଇଁ ଜିଲାର ବିଭିନ୍ନ କୋଣ ଅନୁକୋଣରୁ ଦିନବେଳା ବହୁ ଭକ୍ତ ଆସି ମା’ଙ୍କୁ ଦର୍ଶନ କରିବା ସହ ମୀନାବଜାରରେ ଭଳିକି ଭଳି ଘରକରଣା ସାମଗ୍ରୀ କ୍ରୟ କରୁଥିବା ଦେଖିବାକୁ ମିଳିଛି। ଅପରପକ୍ଷେ ସହରବାସୀ ବିଳମ୍ବିତ ରାତି ପର୍ଯ୍ୟନ୍ତ ମୀନାବଜାର ବୁଲିବା ସହ ଦୋଳିରେ ଖେଳିବା ସାଙ୍ଗକୁ ଖାଦ୍ୟପେୟର ବେଶ୍ ମଜା ଉଠାଉଥିବା ଦେଖିବାକୁ ମିଳିଛି। ବିଶେଷକରି ୩ ପ୍ରମୁଖ ପୂଜାମଣ୍ଡପ କାଳୀପଡ଼ିଆସ୍ଥିତ କାଳୀତୀର୍ଥ କାଳୀପୂଜା, ଟେଲିଫୋନ ଏକ୍ସଚେଞ୍ଜ ସମ୍ମୁଖ ମା’ କାଳୀ ଓ କାଶୀପୁର ଶ୍ମଶାନକାଳୀର ସୁଦୃଶ୍ୟ ତୋରଣ ଓ ମା’ଙ୍କ ମୃଣ୍ମୟୀ ପ୍ରତିମୂର୍ତ୍ତି ସାଙ୍ଗକୁ ଆଲୋକ ସାଜସଜ୍ଜାରେ କେନ୍ଦୁଝର ସହର ଝଲସୁଛି। କାଳୀପଡ଼ିଆ ଏବଂ ଟେଲିଫୋନ ଏକ୍ସଚେଞ୍ଜ ସମ୍ମୁଖସ୍ଥ ନେତ୍ରାକାଳୀ ପକ୍ଷରୁ ଅନୁଷ୍ଠିତ ମୀନାବଜାରରେ ପୂର୍ବାହ୍ନ ୧୦ଟାରୁ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଦର୍ଶକଙ୍କ ପ୍ରବଳ ସମାଗମ ପୂଜୋତ୍ସବକୁ ଦ୍ୱିଗୁଣିତ କରିଛି।
କାଳୀପଡ଼ିଆରେ ରବିିବାରଠାରୁ ‘ଯାତ୍ରା ରଙ୍ଗମହଲ’ ପକ୍ଷରୁ ଅପେରା ଆରମ୍ଭ ହୋଇ ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ପ୍ରଦର୍ଶନ ହେବାକୁଥିବାବେଳେ ମୀନାବଜାର ସାଙ୍ଗକୁ ବାଣିଜ୍ୟମେଳାର ଫେସନବଜାର, ବେତପ୍ରସ୍ତୁତ ସାମଗ୍ରୀ, ବିଭିନ୍ନ ହସ୍ତକଳା ଓ ହସ୍ତଶିଳ୍ପ ସାମଗ୍ରୀର ଷ୍ଟଲ ଓ ଖାଦ୍ୟମେଳାରେ ନାହିଁନଥିବା ଭିଡ ଜମୁଛି। ଏତଦ୍ବ୍ୟତୀତ ସମସ୍ତ ପୂଜା କମିଟି ପକ୍ଷରୁ ଭକ୍ତଙ୍କୁ ପ୍ରତ୍ୟହ ମାଗଣାରେ ଅନ୍ନପ୍ରସାଦ ବଣ୍ଟନ କାର୍ଯ୍ୟକ୍ରମ ମଧ୍ୟ ଜାରି ରହିଛି। ପ୍ରବଳ ଜନଗହଳିକୁ ଦୃଷ୍ଟିରେ ରଖି ପୁଲିସ ପ୍ରଶାସନ ପକ୍ଷରୁ ଆଇନଶୃଙ୍ଖଳା ରକ୍ଷା ନିମନ୍ତେ ସହରର ପ୍ରମୁଖ ସ୍ଥାନ ସମେତ କାଳୀପଡ଼ିଆସ୍ଥିତ କାଳୀତୀର୍ଥ, ଟେଲିଫୋନ ଏକ୍ସଚେଞ୍ଜ ଛକସ୍ଥିତ ମା’କାଳୀ ଏବଂ କାଶୀପୁରସ୍ଥିତ ଶ୍ମଶାନକାଳୀ ପୂଜା କମିଟିରେ ପୁଲିସ ମୁତୟନ କରାଯାଇ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି।
କେନ୍ଦୁଝରରେ ଶକ୍ତି ଉପାସନାର ପରମ୍ପରା ଅତ୍ୟନ୍ତ ପ୍ରାଚୀନ। ଏହାର ସଂଖ୍ୟାଧିକ ଅଧିବାସୀ ଆଦିବାସୀ ଓ ବନବାସୀ। ସେମାନଙ୍କ ମଧ୍ୟରୁ ଅନେକ ଅଗମ୍ୟ ଅଞ୍ଚଳରେ ବସବାସ କରୁଥିବାବେଳେ ବିଭିନ୍ନ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ସଂଗ୍ରହ କଷ୍ଟକର ହୋଇପଡ଼ିଥାଏ। ଏହି କାରଣରୁ ଜିଲାର ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକେ ମୀନାବଜାରକୁ ଆସି ସେମାନଙ୍କ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ସଂଗ୍ରହ କରିଥାନ୍ତି। କେନ୍ଦୁଝର କାଳୀପୂଜାର ଅନନ୍ୟ ଆକର୍ଷଣ ମୀନାବଜାରରେ ସମସ୍ତ ସାମଗ୍ରୀ ଗୋଟିଏ ସ୍ଥାନରେ ଉପଲବ୍ଧ ହେଉଥିବାରୁ କେନ୍ଦୁଝର ମୀନାବଜାରର ଏକ ସ୍ୱତନ୍ତ୍ରତା ରହିଛି। ଗୃହିଣୀଙ୍କ ପାଇଁ ରୋଷେଇ ସରଞ୍ଜାମଠାରୁ ଆରମ୍ଭ କରି ଘରକରଣା ସାମଗ୍ରୀ, ସାଜସଜ୍ଜା ସାମଗ୍ରୀ ଓ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀ ଏକସଙ୍ଗେ ଗୋଟିଏ ସ୍ଥାନରୁ କିଣିବାର ସୁଯୋଗ ମିଳୁଥିବାରୁ ମୀନାବଜାରକୁ କେନ୍ଦୁଝରବାସୀ ବର୍ଷତମାମ୍ ଚାହିଁ ରହିଥାନ୍ତି। ଗତ ୩ବର୍ଷ ଧରି ହସ୍ତଶିଳ୍ପ ମେଳାର ଆୟୋଜନ ସାଙ୍ଗକୁ କୁତ୍ରିମ ଫୁଲ, ବେତ ପ୍ରସ୍ତୁତ ବିଭିନ୍ନ ପ୍ରକାର ସାମଗ୍ରୀର ଚାହିଦା ଲୋକଙ୍କୁ ବେଶ୍ ଆକୃଷ୍ଟ କରିପାରିଛି। ଗତ ବୁଧବାର ମାଇନିଂରୋଡସ୍ଥିତ କାଳୀପୂଜା ଭସାଣ ଅନୁଷ୍ଠିତ ହୋଇଯାଇଥିବା ବେଳେ ରବିବାର କାଶୀପୁର ଶ୍ମଶାନକାଳୀ ପୂଜା ଭସାଣ ଉତ୍ସବ ଅନୁଷ୍ଠିତ ହେବ। କାଳୀପଡ଼ିଆସ୍ଥିତ କାଳୀତୀର୍ଥ ଓ ଟେଲିଫୋନ ଏକ୍ସଚେଞ୍ଜସ୍ଥିତ ମା’କାଳୀ ପୂଜାକମିଟି ପକ୍ଷରୁ ୧୧ ତାରିଖ ସୋମବାର ଭସାଣ ଉତ୍ସବ ମହାସମାରୋହରେ ପାଳନ ପାଇଁ ଉଭୟ କମିଟି ପକ୍ଷରୁ ପ୍ରସ୍ତୁତି ଶେଷ ହୋଇଛି। ତେବେ ମା’ କାଳୀଙ୍କ ଭସାଣ ଉତ୍ସବ ଶେଷ ହେବାପରେ ମଧ୍ୟ ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ମୀନାବଜାର ଅନୁଷ୍ଠିତ ହେବବୋଲି ଆୟୋଜକଙ୍କ ପକ୍ଷରୁ କୁହାଯାଇଛି।



