www.samajalive.in
Sunday, December 7, 2025
26.1 C
Bhubaneswar

ଜାହାନିଆ ପୀରରେ ଅଘଟଣ ; ସମୁଦ୍ରରେ ବୁଡି ୩ ଛାତ୍ର ମୃତ

ପୁରୀ : ସମୁଦ୍ରରେ ଗାଧୋଇବା ବେଳେ ଭାସିଯାଇ ୩ ଇଞ୍ଜିନିୟରିଂ ଛାତ୍ରଙ୍କ ଅକାଳ ମୃତ୍ୟୁ ହୋଇଛି। ରବିବାର ଏଭଳି ଦୁଃଖଦାୟକ ଘଟଣା ଅସ୍ତରଙ୍ଗରେ ଘଟିଛି। ଆଉ ୨ଜଣଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଭୁବନେଶ୍ବର ସିଲିକନ୍‌ ଇଞ୍ଜିନିୟରିଂ କଲେଜର କିଛି ଛାତ୍ର ବସ୍‌ଯୋଗେ ପିକନିକ୍‌ କରିବାକୁ ଜାହାନିଆ ଯାଇଥିଲେ। ସମୁଦ୍ରକୂଳରେ ରୋଷେଇ ଚାଲିଥିଲା। କିଛି ଛାତ୍ରଛାତ୍ରୀ ଝାଉଁବଣରେ ବୁଲୁଥିବା ବେଳେ ୫ଜଣ ସମୁଦ୍ରରେ ଗାଧୋଇବାକୁ ଯାଇଥିଲେ। ଗାଧୋଇବାବେଳେ ସେମାନେ ମୋବାଇଲ ଫୋନ୍‌ରେ ସେଲ୍‌ଫି ନେଉଥିଲେ। ଏହି ସମୟରେ ଗୋଟିଏ ବଡ଼ ଜୁଆର ହଠାତ ମାଡ଼ି ଆସିଥିଲା। ସେଥିରେ ଅମିତ କୁମାର ମହାନ୍ତି, ଅବିନାଶ ପ୍ରଧାନ, ଶୁଭସୌମ୍ୟ ସେନାପତି, ଇୟସ୍‌ ଚକ୍ରିଲା ଓ ଶୁଭ କୁମାର ସମୁଦ୍ର ଭିତରକୁ ଭାସି ଯାଇଥିଲେ। ଏହାଦେଖି ଅନ୍ୟ ଛାତ୍ରଛାତ୍ରୀ ଚିତ୍କାର କରିଥିଲେ। ଘଟଣାସ୍ଥଳରେ ଲାଇଫଗାର୍ଡ ନଥିବାରୁ ସେମାନଙ୍କୁ ଉଦ୍ଧାର କରିବା ବିଳମ୍ବ ହୋଇଥିଲା। ଅସ୍ତରଙ୍ଗ ପୁଲିସ ଏବଂ ଅଗ୍ନିଶମ କର୍ମଚାରୀ ଖବରପାଇ ସେଠାରେ ପହଞ୍ଚିଥିଲେ। ସମୁଦ୍ରରେ ବୁଡ଼ିଯାଇ ଅମିତ, ଅବିନାଶ ଏବଂ ଶୁଭସୌମ୍ୟଙ୍କ ମୃତ୍ୟୁ ହୋଇଥିବା ଥାନା ଇନ୍ସପେକ୍ଟର ବୁଲୁ ମୁଣ୍ଡା ସୂଚନା ଦେଇଛନ୍ତି। ଇୟସ୍‌ ଚକ୍ରିଲା ଏବଂ ଶୁଭ କୁମାରଙ୍କୁ ଚିକିତ୍ସା ପାଇଁ ଅସ୍ତରଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ସଂକଟାପନ୍ନ ହେବାରୁ ଭୁବନେଶ୍ବର କ୍ୟାପିଟାଲ ହସ୍‌ପିଟାଲକୁ ସ୍ଥାନାନ୍ତର କରାଯାଇଛି। ୩ ଛାତ୍ରଙ୍କ ସମୁଦ୍ରରେ ବୁଡ଼ି ମୃତ୍ୟୁ ହେବା ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି। ଜାହାନିଆ ବେଳାଭୂମିରେ ପିକନିକ୍‌ କରିବାକୁ ପ୍ରତିଦିନ ଶହଶହ ପର୍ଯ୍ୟଟକ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସୁଛନ୍ତି। ଏହାସତ୍ତ୍ବେ ସମୁଦ୍ରରେ ଗାଧୋଇଥିବା ଲୋକଙ୍କ ସୁରକ୍ଷା ପାଇଁ ପ୍ରଶାସନ ପକ୍ଷରୁ ସେଠାରେ ତାଲିମପ୍ରାପ୍ତ ଲାଇଫଗାର୍ଡ କିମ୍ବା ଅଗ୍ନିଶମ କର୍ମଚାରୀଙ୍କୁ ନିୟୋଜିତ କରାଯାଇ ନାହିଁ। ରବିବାର ଘଟଣାରେ ଅସ୍ତରଙ୍ଗ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ସମୁଦ୍ରରେ ବୁଡ଼ି ମୃତ୍ୟୁ ହୋଇଥିବା ୩ ଛାତ୍ର ଓଡ଼ିଆ ବୋଲି ଜଣାପଡ଼ିଛି। ବ୍ୟବଚ୍ଛେଦ ପାଇଁ ଶବ ଡାକ୍ତରଖାନାରେ ରଖାଯିବା ସହ ପରିବାର ଲୋକଙ୍କୁ ଖବର ଦିଆଯାଇଛି। ଏହି ଖବର ପ୍ରଚାର ହେବା ପରେ ଆଖପାଖ ଅଞ୍ଚଳର ଶତାଧିକ ଲୋକ ସେଠାରେ ପହଞ୍ଚିଥିଲେ। ମୃତ ଛାତ୍ରଙ୍କ ବୟସ ୧୮ରୁ ୨୧ବର୍ଷ ମଧ୍ୟରେ ହେବ। ସହପାଠୀଙ୍କୁ ହରାଇ ଅନ୍ୟ ଛାତ୍ରଛାତ୍ରୀ ଜାହାନିଆ ବେଳାଭୂମିରେ ବସି କାନ୍ଦୁଥିବା ଦୃଶ୍ୟ ସେଠାରେ ଭାବବିହ୍ବଳ ପରିସ୍ଥିତି ସୃଷ୍ଟି କରିଛି। କଲେଜ କର୍ତ୍ତୃପକ୍ଷ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ୨ ଛାତ୍ରଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ସଂକଟାପନ୍ନ ଥିବା ଜଣାପଡ଼ିଛି। ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ଜାହାନିଆ ବେଳାଭୂମିରେ ପୁଲିସ ଓ ଅଗ୍ନିଶମ କର୍ମଚାରୀଙ୍କ ସମେତ ଲାଇଫଗାର୍ଡ ନିଯୁକ୍ତ କରାଯିବାକୁ ସ୍ଥାନୀୟ ଅଧିବାସୀ ଦାବି କରିଛନ୍ତି।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories