ଟ୍ରମ୍ପଙ୍କ ବିଜୟ ପରେ… ଏମିତି ପ୍ରତିକ୍ରିୟା ଦେଲେ ଚୀନ, ପାକିସ୍ତାନ…
ସମାଜ ଡିଜିଟାଲ ଡେସ୍କ: ଆମେରିକା ରାଷ୍ଟ୍ରପତି ନିର୍ବାଚନ ଉପରେ ସାରା ବିଶ୍ଵର ନଜର ରହିଥିଲା। କିଏ ହେବ ଏହି ଶକ୍ତିଶାଳୀ ରାଷ୍ଟ୍ରର ମୁଖ୍ୟ। ବୁଧବାର ଫଳାଫଳ ସ୍ପଷ୍ଟ ହେବା ପରେ ବିଶ୍ଵର ବିଭିନ୍ନ ଦେଶ ନିଜ ନିଜ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ବିଭିନ୍ନ ରାଷ୍ଟ୍ରର ମୁଖ୍ୟଙ୍କ ପ୍ରତିକ୍ରିୟା ଏଠାରେ ଉପସ୍ଥାପନ କରୁଛୁ।
ଚୀନ: ଶାନ୍ତିପୂର୍ଣ୍ଣ ସହାବସ୍ଥାନ ଭିତ୍ତିରେ ଚୀନ-ଆମେରିକା ସମ୍ପର୍କ ଜାରି ରହିବ
ଚୀନ ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ମାଓ ନିଙ୍ଗ୍ କହିଛନ୍ତି, ‘ଆପୋସ ସମ୍ମାନ, ଶାନ୍ତିପୂର୍ଣ୍ଣ ସହାବସ୍ଥାନ ଏବଂ ପରସ୍ପର ସହଯୋଗ ଭିତ୍ତିରେ ଚୀନ-ଆମେରିକା ସମ୍ପର୍ଗ ଜାରି ରହିବ। ଆମେରିକାର ନାଗରିକଙ୍କ ପସନ୍ଦକୁ ଆମେ ସମ୍ମାନ ଜଣାଉଛୁ।’
ପାକିସ୍ତାନ: ସମ୍ପର୍କ ମଜଭୁତ ହେବା ନେଇ ଆଶାବାଦୀ
ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ଡୋନାଲ୍ଡ ଟ୍ରମ୍ପଙ୍କୁ ତାଙ୍କର ଐତିହାସିକ ୨ୟ ପାଳି ବିଜୟ ପାଇଁ ଶୁଭେଚ୍ଛା ଜଣାଇ କହିଛନ୍ତି, ପାକିସ୍ତାନ ଏବଂ ଆମେରିକା ମଧ୍ୟରେ ସମ୍ପର୍କ ମଜଭୁତ ହେବ ବୋଲି ଆଶାବାଦୀ ଅଛୁ। ନୂଆ ପ୍ରଶାସନ ସହିତ ଘନିଷ୍ଠତାର ସହିତ କାର୍ଯ୍ୟ କରିବାକୁ ଆମେ ପ୍ରସ୍ତୁତ ରହିଛୁ। ଦୁଇ ଦେଶ ମଧ୍ୟରେ ସହଭାଗିତା ଆଗକୁ ସୁଦୃଢ଼ ହେବ।
ୟୁକ୍ରେନ
ୟୁକ୍ରେନ ରାଷ୍ଟ୍ରପତି ଭୋଲଦିମିର ଜେଲେନ୍ସ୍କି ମଧ୍ୟ ଟ୍ରମ୍ପକୁ ଶୁଭେଚ୍ଛା ଜଣାଇଛନ୍ତି। ସେ ଲେଖିଛନ୍ତି, ଟ୍ରମ୍ପଙ୍କ ନିଷ୍ପତ୍ତିମୂଳକ ନେତୃତ୍ଵ ଆମେରିକାକୁ ଅଧିକ ଶକ୍ତିଶାଳୀ କରିବ। ୟୁକ୍ରେନ ପାଇଁ ଆମେରିକାର ସମର୍ଥନ ଉପରେ ଭରସା ରହିଛି। ଦୁଇଦେଶ ପାଇଁ କଲ୍ୟାଣକାରୀ ରାଜନୈତିକ ଏବଂ ଅର୍ଥନୈତିକ ସହଯୋଗ ପ୍ରତି ଆମେ ଆଗ୍ରହୀ ଅଛୁ।
ବ୍ରିଟେନ
ବ୍ରିଟିଶ ପ୍ରଧାନମନ୍ତ୍ରୀ କେଇର୍ ଷ୍ଟାର୍ମର କହିଛନ୍ତି, ଟ୍ରମ୍ପଙ୍କ ସମୟରେ ଆମେରିକା-ବ୍ରିଟେନ ମଧ୍ୟରେ ସମ୍ପର୍କ ଦୃଢ଼ ହେବ। ଦୁଇ ଦେଶ ମଧ୍ୟରେ ରହିଥିବା ସ୍ଵତନ୍ତ୍ର ସମ୍ପର୍କ ଦୀର୍ଘସ୍ଥାୟୀ ହେବ।
ଇସ୍ରାଏଲ
ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିଛନ୍ତି, ହ୍ବାଇଟହାଉସକୁ ଟ୍ରମ୍ପଙ୍କ ଐତିହାସିକ ପ୍ରତ୍ୟାବର୍ତ୍ତନ ହୋଇଛି। ଏହା ଇସ୍ରାଏଲ ଏବଂ ଆମେରିକା ମଧ୍ୟରେ ବୃହତ ମେଣ୍ଟ ଦିଗରେ ନୂତନ ଅଧ୍ୟାୟର ଆରମ୍ଭ।
ଦକ୍ଷିଣ କୋରିଆ
ଦକ୍ଷିଣ କୋରିଆ ରାଷ୍ଟ୍ରପତି ୟୁନ ସୁକ୍ ୟିଓଲ ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଅଭିନନ୍ଦନ ଜଣାଇ କହିଛନ୍ତି, ‘ଆପଣଙ୍କ ଦୃଢ଼ ନେତୃତ୍ଵରେ କୋରିଆ ଗଣରାଜ୍ୟ-ଆମେରିକା ମେଣ୍ଟର ଭବିଷ୍ୟତ ଉଜ୍ଜ୍ବଳ ହେବ। ଆପଣଙ୍କ ସହିତ କାର୍ଯ୍ୟ କରିବାକୁ ଆଗ୍ରହ ସହକାରେ ଅପେକ୍ଷା କରିଛୁ।’
ୟୁରୋପୀୟ ସଂଘ
ୟୁରୋପୀୟ ସଂଘ ପରିଷଦ ସଭାପତି ଚାର୍ଲ୍ସ ମିଶେଲ ଟ୍ରମ୍ପଙ୍କୁ ସ୍ଵାଗତ ଓ ଶୁଭେଚ୍ଛା ଜଣାଇଛନ୍ତି। ୟୁରେପୀୟ ସଂଘ ଏବଂ ଆମେରିକା ମଧ୍ୟରେ ଦୀର୍ଘକାଳୀନ ମେଣ୍ଟ ଏବଂ ଐତିହାସିକ ସମ୍ପର୍କ ଦୃଢ଼ ହେବ ବୋଲି ସେ ଆଶାବାଦୀ ଥିବା କହିଛନ୍ତି।
ଆୟର୍ଲାଣ୍ଡ
ଆୟର୍ଲାଣ୍ଡ ପ୍ରଧାନମନ୍ତ୍ରୀ ସାଇମନ ହ୍ୟାରିସ ଟ୍ରମ୍ପଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି, ଆୟର୍ଲାଣ୍ଡ ଏବଂ ଆମେରିକା ମଧ୍ୟରେ ଥିବା ଐତିହାସିକ ସମ୍ପର୍କ ଅଧିକ ଗଭୀର ହେବ। ଆଗାମୀ ଦିନରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଅଧିକ ମଜଭୁତ ହେବ ବୋଲି ଆମେରିକାବାସୀ ନିର୍ଣ୍ଣୟ ନେଇଛନ୍ତି।
Comments are closed.