www.samajalive.in
Sunday, December 14, 2025
26.1 C
Bhubaneswar

୧୧ ଲକ୍ଷ ଟଙ୍କାର ନକଲି ବିଦେଶୀ ମଦ ସହ ଟ୍ରକ ଜବତ, ଚାଳକ ଗିରଫ

ଆଠଗଡ: କଟକ ଅବକାରୀ ଅଧୀକ୍ଷକ କରୁଣା ଶଙ୍କର ତିୱାରୀଙ୍କ ନେତୃତ୍ବରେ ଅବକାରୀ ବିଭାଗ ପକ୍ଷରୁ ନରସିଂହପୁର ଥାନା ଅନ୍ତର୍ଗତ ଏକଡାଳ ଗ୍ରାମ ନିକଟରୁ ଏକ ଟ୍ରକ ସହିତ ପ୍ରାୟ ୧୧ ଲକ୍ଷ ଟଙ୍କା ମୂଲ୍ୟର ନକଲି ବିଦେଶୀ ମଦ ଜବତ କରାଯାଇଛି । ଆନ୍ତଃରାଜ୍ୟ ମଦ ମାଫିଆଙ୍କ ଦ୍ବାରା ଏପରି ନକଲି ବିଦେଶୀ ମଦ ଓଡିଶା ଏବଂ ଓଡିଶା ମଧ୍ୟ ଦେଇ ଅନ୍ୟ ରାଜ୍ୟକୁ ନିୟମିତ ଚାଲାଣ ହେଉଥିବା ନେଇ ରାଜ୍ୟ ଅବକାରୀ ଆୟୁକ୍ତ ନରସିଂହ ଭୋଳଙ୍କୁ ସୂଚନା ମିଳିଥିଲା । ତାହାକୁ ଆଧାର କରି ଅବକାରୀ ଆୟୁକ୍ତ ଭୋଳଙ୍କ ନିର୍ଦେଶ କ୍ରମେ କଟକ ଅବକାରୀ ଅଧୀକ୍ଷକ ତିୱାରୀ ଗୁରୁବାର ରାତିରେ ବିଭାଗୀୟ ଅଧିକାରୀଙ୍କୁ ନେଇ ସଦଳବଳ ନରସିଂହପୁରର ଏକଡାଳ ଗ୍ରାମ ନିକଟରେ ଜଗି ରହିଥିଲେ । ରାତି ପ୍ରାୟ ୮ଟା ବେଳେ ମଧ୍ୟପ୍ରଦେଶ ରାଜ୍ୟ ନମ୍ବର ଥିବା ଏକ ଟ୍ରକ ସେହି ବାଟଦେଇ ଯାଉଥିବାବେଳେ ଅବକାରୀ ସ୍କ୍ୱାଡ୍‌ ତାକୁ ଅଟକାଇ ଯାଞ୍ଚ କଲାବେଳେ ସେଥିରେ ଅଭିନବ ଉପାୟରେ ନକଲି ମଦ ଚାଲାଣ ହେଉଥିବା ଦେଖିବାକୁ ପାଇଥିଲେ। ଟ୍ରକ ଡାଲା ପଛ ପାର୍ଶ୍ବରେ ସିମେଣ୍ଟ ଇଟା ବୋଝେଇ ହୋଇଥିବାବେଳେ ଇଟା ପଛକୁ ୨୦୪ ପେଟିରେ ମୋଟ ୨୮୫୬ ମଦ ବୋତଲ ରହିଥିଲା । ଟ୍ରକ ଜବତ କରାଯିବା ସହିତ ଚାଳକ ଉତ୍ତରପ୍ରଦେଶର ବିଷ୍ଣୁ କୁମାର ବିଶ୍ୱକର୍ମାଙ୍କୁ ଗିରଫ କରାଯାଇଛି । ଜବତ ମଦ ବୋତଲଗୁଡିକର ଠିପି ସିଲ୍ ହୋଇଥିଲେ ମଧ୍ୟ ସେଥିରେ କୌଣସି କମ୍ପାନୀର ଲେବୁଲ୍ ଲାଗି ନ ଥିଲା। ଟ୍ରକରେ ପୃଥକ ଭାବେ ଏକ କମ୍ପାନୀର ଲେବୁଲ୍ ବଣ୍ଡଲ ରହିଥିଲା । ସେହି ଲେବଲକୁ ପରେ ବୋତଲରେ ଲଗାଇ ବଜାରକୁ ଛଡାଯିବାର ଯୋଜନା ଥିଲା ବୋଲି ବୁଝାପଡୁଛି । ଲେବୁଲ ବିହୀନ ବୋତଲଗୁଡିକରେ ଥିବା ବିଦେଶୀ ମଦ ନକଲି ବୋଲି ଜଣାପଡିଛି। ପରୀକ୍ଷାଗାରରେ ନମୂନା ପରୀକ୍ଷଣ ପରେ ତାହା ସ୍ପଷ୍ଟ ହୋଇଯିବ ବୋଲି ଅଧୀକ୍ଷକ ତିୱାରୀ ପ୍ରକାଶ କରିଛନ୍ତି। ପ୍ରାଥମିକ ତଦନ୍ତରୁ ଝାଡଖଣ୍ଡରୁ ଉକ୍ତ ମଦ ବୋଝେଇ ଟ୍ରକ ନରସିଂହପୁରର ଏକଡାଳ ଗ୍ରାମକୁ ଆସୁଥିଲା ବୋଲି ଜଣାପଡିଥିଲେ ବି ଅଧିକ ତଦନ୍ତ ପରେ ମଦ କିଏ ଓ କାହା ପାଖକୁ ପଠାଇଥିଲା ତାହା ଜଣାପଡ଼ିବ ବୋଲି କୁହାଯାଇଛି।  ଚଢାଉରେ ଆଠଗଡ ଅବକାରୀ ଉପଅଧୀକ୍ଷକ ନିମାଇଁ ଚରଣ ସିଂହ, ନିରୀକ୍ଷକ ହେମନ୍ତ ମହାନନ୍ଦିଆ, କଟକ ସଦର ନିରୀକ୍ଷକ କମଳ ପାଇକଳାୟ, ଭ୍ରାମ୍ୟମାଣ ନିରୀକ୍ଷକ ଅଭିରାମ ସାହୁ, ଆଠଗଡ ଉପନିରୀକ୍ଷକ ଅରୁଣ କୁମାର ଭୋଇ, ନରସିଂହପୁର ଉପନିରୀକ୍ଷକ ସୌମ୍ୟରଞ୍ଜନ ବେହେରା, ବାଙ୍କୀ ଉପନିରୀକ୍ଷକ ସୌମ୍ୟରଞ୍ଜନ ମାଝିଙ୍କ ସମେତ ଅନ୍ୟ ଅଧିକାରୀ ଓ କର୍ମଚାରୀ ଅଂଶଗ୍ରହଣ କରିଥିଲେ।

Hot this week

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

Related Articles

Popular Categories