ଓଏଏସ ଟପ୍ପର ଆଜାଦ ସାହୁଙ୍କୁ ସମ୍ବର୍ଦ୍ଧନା 

ଘଣ୍ଟାପଡା : କଣ୍ଟାମାଳ ବ୍ଲକ ଖୁଣ୍ଟିଗୋରାଠାରେ ମା’ ବରୁଲ ବୁଢା ବଣିକ ସଙ୍ଘ ପକ୍ଷରୁ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ସଙ୍ଘ ସଭାପତି ବଳରାମ ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଓଏଏସ କୃତିତ୍ୱ ଯୁବକ ଆଜାଦ ସାହୁ ମୁଖ୍ୟ ଅତିଥି ଏବଂ ସମ୍ପାଦକ ମନୋରଞ୍ଜନ ସାହୁ ସମ୍ମାନିତ ଅତିଥି ଭାବେ ମଞ୍ଚାସିନ ଥିଲେ । ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ ପଞ୍ଚମ ସ୍ଥାନରେ କୃତିତ୍ୱ ଅର୍ଜନ କରିଥିବା ଖୁଣ୍ଟିଗୋରା ଗ୍ରାମର ଆଜାଦ କୁମାର ସାହୁଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଏହାପରେ ଶିକ୍ଷାବିତ କାର୍ତ୍ତିକେଶ୍ୱର ବେହେରା, ସୁଶାନ୍ତ ବାରିକ, ଦେବାନନ୍ଦ ସାହୁ, ସମାଜସେବୀ ବଂଶୀଧର ମାଝୀ, ବ୍ୟବସାୟୀ ଗଙ୍ଗାଧର ସାହୁ, ନିରୋଜ ସାହୁ, ଭକ୍ତ ସାହୁ ପ୍ରମୁଖ ସାହୁଙ୍କ ପ୍ରଶଂସା କରିବା ସହିତ ଉତ୍ତରୋତ୍ତର ମଙ୍ଗଳ କାମନା କରିଥିଲେ । ସାହୁ ପ୍ରଶାସନିକ କାର୍ଯ୍ୟରେ ଯୋଗଦେବା ପରେ ପ୍ରତିଟି ଲୋକଙ୍କ ସମସ୍ୟାକୁ ଗୁରୁତ୍ୱ ଦେବି ବୋଲି କହିବା ସହିତ ଆମ ଅଞ୍ଚଳର ଯୁବକମାନେ ଅଟକି ନଯାଇ ପଢାପ୍ରତି ଧ୍ୟାନଦେଇ ଉଚ୍ଚାଭିଳାଷୀ ହେଲେ ନିଶ୍ଚୟ ସଫଳତା ପାଇବେ ବୋଲି ମତ ରଖିଥିଲେ । ଗୋବିନ୍ଦ ସାହୁ ସଭା ପରିଚାଳନା କରିଥିଲେ । କୋଷାଧ୍ୟକ୍ଷ ମନ୍ଦରଧର ବେହେରା ଧନ୍ୟବାଦ ଦେଇଥିଲେ । ବଣିକ ସଂଘର ସମସ୍ତ କର୍ମକର୍ତ୍ତା ଯୋଗଦେଇଥିଲେ । ସେହିପରି ବେହେରା ପରିବାର ପକ୍ଷରୁ ମଧ୍ୟ ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ମିଷ୍ଠାନ୍ନ ବଣ୍ଟନ କରାଯାଇଥିଲା ।

Comments are closed.