‘ଦାନା’ ପାଇଁ ୬ଟି ବ୍ଲକ ଦାୟିତ୍ୱରେ ନୀଳଗିରି ଉପଜିଲାପାଳ

ନୀଳଗିରି: ବାଲେଶ୍ୱର ଜିଲାରେ ବାତ୍ୟା ‘ଦାନା’ ପ୍ରଭାବ ଅଧିକ ରହିଥିବା ସମ୍ଭାବନା ରହିଛି । ଏହାର ମୁକାବିଲା ପାଇଁ ନୀଳଗିରି ଉପଜିଲାପାଳ ଶୁଭଶ୍ରୀ ରଥଙ୍କୁ ଖଇରା, ସୋର, ସିମୁଳିଆ, ବାହାନଗା, ଔପଦା, ନୀଳଗିରି ପ୍ରଭୃତି ୬ଟି ବ୍ଲକ ଏବଂ ନୀଳଗିରି ଏନ୍‍ଏସି ଦାୟିତ୍ୱ ଦିଆଯାଇଛି । ଏନେଇ ସେ ଉପରୋକ୍ତ ବ୍ଲକର ତହସିଲଦାର, ବିଡିଓ ଏବଂ ଅନ୍ୟ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରି ଉକ୍ତ ଅଞ୍ଚଳକୁ ଗସ୍ତରେ ଯାଇଛନ୍ତି ।

ବିଶେଷକରି ବାତ୍ୟା ସମୟରେ ଆବଶ୍ୟକସ୍ଥଳେ ବିପନ୍ନଙ୍କୁ ସୁରକ୍ଷିତ ଉଦ୍ଧାର, ଗର୍ଭବତୀଙ୍କୁ ସ୍ଥାନାନ୍ତର, ଗାଈଗୋରୁଙ୍କୁ ଉଦ୍ଧାର କରାଯିବା ଓ ସେମାନଙ୍କୁ ଶତପ୍ରତିଶତ ସହଯୋଗ କରାଯିବା ନେଇ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଏନେଇ ବିଭିନ୍ନ ଅଞ୍ଚଳରେ ସ୍ୱତନ୍ତ୍ର ଟିମ୍‍ ମଧ୍ୟ ଗଠନ କରାଯାଇଛି । ନୀଳଗିରି ଅଞ୍ଚଳଟି ଜଙ୍ଗଲ ପାହାଡ଼ ଘେରା ହୋଇଥିବା ଯୋଗୁ ବାତ୍ୟାର ପ୍ରଭାବରେ ବଡ଼ ବଡ଼ ଗଛ, ପୁରୁଣା ତଥା ପୋକରା ଗଛଗୁଡ଼ିକ ଗଡ଼ି ରାସ୍ତା ଅବରୋଧ ହେବା ସମ୍ଭାବନା ରହିଛି । ସେହିଭଳି ଗଛ ପାଶ୍ୱର୍ରେ ରହିଥିବା ଘରମାନ ଅସୁରକ୍ଷିତ ରହିଥିବା ଯୋଗୁ ତ୍ୱରିତ ସେବା ଯୋଗାଇବା ତଥା ରାସ୍ତା ପରିସ୍କାର କରିବା ଉଦେଶ୍ୟରେ ବାଲେଶ୍ୱର ଡିଏଫଓ ଖୁସ୍‍ୱନ୍ତ ସିଂଙ୍କ ସହ ଆଜି ଆଲୋଚନା କରିଛନ୍ତି । ସଜନାଗଡ଼ ଏବଂ ଅନ୍ୟ ଜଙ୍ଗଲ ପାଶ୍ୱର୍ ଅଞ୍ଚଳ ଗସ୍ତ କରି ଉପଜିଲାପାଳ ଶ୍ରୀମତୀ ରଥ ପରିସ୍ଥିତିକୁ ଅନୁଧ୍ୟାନ କରିଥିବା ଦେଖିବାକୁ ମିଳିଛି ।

ବାତ୍ୟା ଦାନା ପାଇଁ ନୀଳଗିରି ପ୍ରଶାସନ ସଦାସର୍ବଦା ତତ୍ପର ରହିବ ଏବଂ ସମସ୍ତ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ କରାଯାଇଥିବା ଯୋଗୁ ସେମାନେ ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି ଉପଜିଲାପାଳ ଶ୍ରୀମତୀ ରଥ କହିଛନ୍ତି ।

Comments are closed.