ମାଲୱି ରାଷ୍ଟ୍ରପତିଙ୍କ ସହ ଆଲୋଚନା କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୪ଟି ବୁଝାମଣାପତ୍ର ସ୍ୱାକ୍ଷରିତ

ଡେସ୍କ: ୩ଟି ଆଫ୍ରିକୀୟ ଦେଶ ଗସ୍ତରେ ଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ମାଲୱି ଗସ୍ତର ଦ୍ଵିତୀୟ ଦିନରେ ତାଙ୍କ ପ୍ରତିପକ୍ଷ ଲାଜରସ୍ ଚକ୍ୱେରାଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିଛନ୍ତି। ପ୍ରତିନିଧି ସ୍ତରୀୟ ଆଲୋଚନା ପରେ ଭାରତ ଓ ମାଲୱି ମଧ୍ୟରେ ୪ଟି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି ।

କ୍ରୀଡ଼ା, ଯୁବ ବ୍ୟାପାର, ଔଷଧ ଏବଂ କଳା ଓ ସଂସ୍କୃତି କ୍ଷେତ୍ରରେ ସହଯୋଗ ପାଇଁ ଭାରତ ଓ ମାଲୱି ମଧ୍ୟରେ ୪ଟି ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ସଦଭାବନା ସ୍ୱରୂପ ଭାରତ ମାଲୱିକୁ ୧ ହଜାର ମେଟ୍ରିକ୍ ଟନ୍ ଚାଉଳ ଓ କର୍କଟ ଚିକିତ୍ସା ଯନ୍ତ୍ର ଦେଉଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ମାଲୱିରେ ଏକ ସ୍ଥାୟୀ କୃତ୍ରିମ ଅଙ୍ଗ ପରିବର୍ତ୍ତନ କେନ୍ଦ୍ର ଖୋଲିବାକୁ ଘୋଷଣା କରିଛନ୍ତି।
ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସଚିବ ଅରୁଣ କୁମାର ଚାଟାର୍ଜୀ ରାଷ୍ଟ୍ରପତିଙ୍କ ମାଲୱି ଗସ୍ତ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ଏହି ଗସ୍ତ ଐତିହାସିକ ଭାରତ-ମାଲୱି ସମ୍ପର୍କରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛି।

ଆସନ୍ତାକାଲି (ଶନିବାର) ରାଷ୍ଟ୍ରପତି ମାଲୱିରୁ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ। ରାଷ୍ଟ୍ରପତି ଆସନ୍ତାକାଲି ଶ୍ରୀ ରାଧାକୃଷ୍ଣ ମନ୍ଦିର ଓ ପ୍ରସିଦ୍ଧ ମାଲୱି ହ୍ରଦ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି।

Comments are closed.