ଦକ୍ଷତା ବିକାଶ ଓ ନିୟୋଜନ ବିଭାଗର ଗୁରୁତ୍ୱପୂର୍ଣ୍ଣ ବୈଠକ

ପ୍ରତି ବ୍ଲକରେ ହେବ ନିଯୁକ୍ତି ପରାମର୍ଶ ମେଳା

କେନ୍ଦୁଝରଗଡ଼଼: ଜିଲାର ଶିକ୍ଷିତ ଯୁବକଯୁବତୀ ମାନଙ୍କୁ କର୍ମସଂସ୍ଥାନ ଯୋଗାଇବା, ସ୍ୱରୋଜଗାରକ୍ଷମ କରିବା ଓ ଯୁବ ଉଦ୍ୟୋଗୀ ଭାବେ ପ୍ରତିଷ୍ଠିତ କରାଇବା ପାଇଁ ଉପଯୁକ୍ତ ତାଲିମ ଓ ମାର୍ଗଦର୍ଶନ ପ୍ରଦାନ କରିବା ନିମନ୍ତେ ଜିଲା ଦକ୍ଷତା ବିକାଶ ତଥା ନିୟୋଜନ ବିଭାଗ ପକ୍ଷରୁ ଜିଲାରେ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଜିଲା ପରିଷଦ କାର୍ଯ୍ୟାଳୟସ୍ଥ ସମ୍ମିଳନୀ ଗୃହରେ ଶୁକ୍ରବାର ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଜିଲା ନିୟୋଜନ ଅଧିକାରୀ ଗଣେଶ୍ୱର ନାୟକ ଏହି ସୂଚନା ଦେଇଛନ୍ତି। ଅତିରିକ୍ତ ଜିଲାପାଳ ମନ୍ଦରଧର ମହାଳିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲାର ବେକାର ଯୁବକ ଯୁବତୀ ମାନଙ୍କୁ ସାମ୍ପ୍ରତିକ ସ୍ଥିତିରେ ଗୁରୁତ୍ୱ ବହନ କରୁଥିବା ବିଭିନ୍ନ କ୍ଷେତ୍ରରେ କର୍ମ ନିଯୁକ୍ତି ପ୍ରଦାନ ତଥା ସ୍ୱରୋଜଗାରକ୍ଷମ କରିବା ପାଇଁ ଆବଶ୍ୟକୀୟ ତାଲିମ ପ୍ରଦାନ କରିବା ନିମନ୍ତେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଏବଂ ଜିଲା ପ୍ରଶାସନ ଦ୍ୱାରା ପରିଚାଳିତ ଜିଲା ଖଣିଜ ପ୍ରତିଷ୍ଠାନର ବିଭିନ୍ନ ଯୋଜନାର ବ୍ୟାପକ କାର୍ଯ୍ୟକାରିତା ସମ୍ପର୍କରେ ବିଶଦ ଆଲୋଚନା କରାଯାଇଥିଲା।

ଜିଲାର ସମସ୍ତ ୧୩ଟି ବ୍ଲକରେ ପର୍ଯ୍ୟାୟ କ୍ରମେ ପରାମର୍ଶ ମେଳା ଆୟୋଜନ କରାଯିବା ନେଇ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। ନିଷ୍ପତ୍ତି ଅନୁଯାୟୀ ସଦର ଓ ବାଂଶପାଳ ବ୍ଲକରେ ୨୯ ଓ ୩୦ ଅକ୍ଟୋରରେ ଏବଂ ଯୋଡ଼ା, ଚମ୍ପୁଆ, ଝୁମ୍ପୁରା, ପାଟଣା, ସାହାରପଡ଼ା, ତେଲକୋଇ, ହରିଚନ୍ଦନପୁର, ଘଟଗାଁ, ଘଷିପୁରା, ଆନନ୍ଦପୁର ଓ ହାଟଡିହି ବ୍ଲକରେ ଯଥାକ୍ରମେ ନଭେମ୍ବର ୧, ୨, ୪, ୫, ୬, ୭, ୮, ୧୧, ୧୨, ୧୩ ଓ ୧୪ରେ ଅନୁଷ୍ଠିତ ହେବାକୁ ସ୍ଥିର କରାଯାଇଛି। ସେହିପରି ନଭେମ୍ବର ୨୬ ଓ ୨୭ ତାରିଖରେ କେନ୍ଦୁଝରସ୍ଥିତ ଓଡ଼ିଶା ଖଣି ଓ ଯାନ୍ତ୍ରିକ ବିଦ୍ୟାଳୟଠାରେ ନିଯୁକ୍ତି ମେଳା ଅନୁଷ୍ଠିତ ହେବ। କେନ୍ଦୁଝର ଜିଲା ଗସ୍ତ ବେଳେ ପ୍ରମୁଖ ସଚିବ ହେମନ୍ତ ଶର୍ମା ଜିଲାରେ ଅଧିକ ଆଇଟିଆଇ ଖୋଲିବା ନେଇ ଦେଇଥିବା ପରାମର୍ଶ ଉପରେ ଆଲୋଚନା କରାଯାଇ ଆବଶ୍ୟକୀୟ ପ୍ରାକ୍‌‌ ପ୍ରସ୍ତୁତି ସମ୍ପର୍ଣ୍ଣ କରି ସରକାରଙ୍କୁ ପ୍ରସ୍ତାବ ଦେବା ପାଇଁ ଆଲୋଚନା ହୋଇଥିଲା। ଜିଲାର ୧୮ରୁ ୩୫ ବର୍ଷୀୟ ଯୁବକ ଯୁବତୀ ମାନଙ୍କୁ ଯୁବ ଉଦ୍ୟୋଗୀ ଭାବେ ପ୍ରତିଷ୍ଠିତ କରିବା ପାଇଁ ସରକାରଙ୍କ ଯୋଜନା ନାନୋ ୟୁନିକର୍ନର ବ୍ୟାପକ ପ୍ରସାର କରାଯାଇ ଉପଯୁକ୍ତ ଯୁବକ ଯୁବତୀଙ୍କୁ ଏଥିରେ ଯୋଡ଼ିବା ପାଇଁ ଗୁରୁତ୍ୱାରୋପ କରାଯାଇଥିଲା।

ଜିଲା ପ୍ରଶାସନ ସହ ଚୁକ୍ତି ସ୍ୱାକ୍ଷର କରିଥିବା ବିଭିନ୍ନ ତାଲିମ ଓ ନିଯୁକ୍ତି ପ୍ରଦାନକାରୀ ସଂସ୍ଥା ମାନଙ୍କ ସଫଳତା ତର୍ଜମା କରାଯାଇଥିଲା। ଜିଲାର ଯୁବକ ଯୁବତୀଙ୍କୁ ବ୍ୟାପକ ତାଲିମ ଦେବା ସହ ସେମାନଙ୍କୁ ରୋଜଗାରକ୍ଷମ କରିବା ପାଇଁ ଅନ୍ୟ ପ୍ରସ୍ତାବିତ ଯୋଜନା ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଜିଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ କୁମାର ନାଗଭୁଷଣ, ଉପଆରକ୍ଷୀ ଅଧିକ୍ଷକ ସୌଭାଗ୍ୟଲକ୍ଷ୍ମୀ ପଟ୍ଟନାୟକ, ଜିଲାସ୍ତରର ଅଧିକାରୀ ବୃନ୍ଦ, ବୈଷୟିକ ତାଲିମ କେନ୍ଦ୍ର ମୁଖ୍ୟ, ବିଭିନ୍ନ କମ୍ପାନୀର ପ୍ରତିନିଧି ପ୍ରମୁଖ ଏହି ବୈଠକରେ ଉପସ୍ଥିତ ଥିଲେ।

Comments are closed.