ଶିକ୍ଷକଙ୍କ ଅନ୍ୟତ୍ର ବଦଳି ନେଇ ଧାରଣା

ସିମୁଳିଆ: ବିଦ୍ୟାଳୟର ଶିକ୍ଷକ ଅଭାବ ଥିବାବେଳେ ଜୈନିକ ଶିକ୍ଷକଙ୍କୁ ଅନ୍ୟତ୍ର ବଦଳି ନେଇ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଅବିଭାବକ ମାନେ ବିଦ୍ୟାଳୟ ଫାଟକ ସମ୍ମୁଖରେ ଧାରଣା ଦେଇଥିଲେ। ବ୍ଳକ ଶିକ୍ଷାଅଧିକାରୀ ପକ୍ଷରୁ ବୁଝାସୁଝା କରିବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିବା ଜଣାଯାଇଛି। ସୂଚନାରୁ ପ୍ରକାଶ ବାଲେଶ୍ବର ଜିଲ୍ଲା ସିମୁଳିଆ ବ୍ଳକ କାଞ୍ଚପଡା ପଞ୍ଚାୟତର ବେଗୁନିଆ ଗ୍ରାମରେ ଥିବା ଶ୍ରୀଧର ସରକାରୀ ଉପ୍ରା ବିଦ୍ୟାଳୟର ଶିକ୍ଷକ ନିତ୍ୟାନନ୍ଦ ଦଳେଇଙ୍କୁ କବିରପୁର ନୋଡ଼ାଲ ବିଦ୍ୟାଳୟକୁ ବଦଳି କରାଯାଇଛି। ଏହାକୁ ବିରୋଧ କରି ଗ୍ରାମବାସୀ ଓ ଅଭିଭାବକ ମାନେ ଚଳିତ ମାସ ୧୦ତାରିଖରେ ବ୍ଳକ ଶିକ୍ଷାଅଧିକାରୀଙ୍କୁ ଉକ୍ତ ଶିକ୍ଷକଙ୍କୁ ବଦଳି ନ କରିବାକୁ ଏକ ଲିଖିତ ଅଭିଯୋଗ କରିଥିଲେ। ବଦଳି ପ୍ରତିବାଦରେ ଆଜି ବିଦ୍ୟାଳୟ ଫାଟକ ସମ୍ମୁଖରେ ଅଭିଭାବକ, ଛାତ୍ରଛାତ୍ରୀ ଓ ଗ୍ରାମବାସୀ ମାନେ ଧାରଣାରେ ବସିଥିଲେ। ପରେ ବ୍ଳକ ଶିକ୍ଷାଅଧିକାରୀ ପକ୍ଷରୁ ଅତିରିକ୍ତ ବ୍ଳକ ଶିକ୍ଷାଅଧିକାରୀ ଅଜୟ କୁମାର ପଣ୍ଡା ଓ ସି.ଆର.ସି.ସି ଗୌରାଙ୍ଗ ସୁତାର ଧାରଣା ସ୍ଥଳରେ ପହଞ୍ଚି ବୁଝାସୁଝା କରିବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା। ମାତ୍ର ଆଜି ଆସିଥିବା ଛାତ୍ରଛାତ୍ରୀ ମାନେ ସେମାନଙ୍କ ନିୟମିତ ଖାଉଥିବା ଖାଦ୍ୟ ରୋଷେଇ ହୋଇ ନ ଥିବା ଯୋଗୁଁ ନ ଖାଇ ଘରକୁ ଫେରିଥିଲେ।

Comments are closed.