ସିମୁଳିଆରେ ବିପୁଳ ପରିମାଣର କଳା ହୀରା ଜବତ

ସିମୁଳିଆ: ଧାମରା-ଭଦ୍ରକ ରେଳ ଲାଇନରେ ଚଳନ୍ତା ଟ୍ରେନରୁ କୋଇଲା ଚୋରୀ ହୋଇ ବାଲେଶ୍ବର ଓ ଭଦ୍ରକ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ମଣ୍ଡିମାନ ଖୋଲାଯାଇ ଚୋରା ବିକ୍ରି ଚାଲିଛି । କୋଇଲା ମାଫିଆଙ୍କ ଚ୍ୟାଲେଞ୍ଜ ଓ କିଛି ଅସାଧୁ ପୋଲିସଙ୍କ ପାଇଁ ପୋଲିସକୁ ଚିନ୍ତାରେ ପକାଇଥିବା ବେଳେ । ଆଜି ସିମୁଳିଆ ଅଂଚଳରୁ ବିପୁଳ ପରିମାଣରେ କଳାହିରା ଜବତ ହେବା ଘଟଣା ବେପାରୀଙ୍କ ମଧ୍ୟରେ କୋକୁଆଭୟ ଖେଳାଇ ଦେଇଛି ସୂଚନାରୁ ପ୍ରକାଶ ବିଦେଶରୁ ଧାମରାକୁ ରେଳ ଯୋଗେ ଆସୁଥିବା କୋଇଲାକୁ କୋଇଲା ମାଫିଆ ମାନେ ପୋଲିସକୁ ଚକମା ଦେଇ କମ ମୂଲ୍ୟରେ ମଣ୍ଡି ମାନଙ୍କରେ ବିକ୍ରି ହୋଇଥାଏ । ଏହି ବେପାର ବାସୁଦେବପୁର-ସିମୁଳିଆ ଅଞ୍ଚଳର ଜାମ୍ମୁଝାଡ଼ି, ମଇତାପୁର, ଅଡା,ଶ୍ୟାମସୁନ୍ଦରପୁର,ବାଲିଖଣ୍ଡ ଆଦି ସ୍ଥାନରେ ମଣ୍ଡି ଖୋଲାଯାଇ ବାହାରକୁ ଚାଲାଣ ହେଉଛି । ଏହାର ଟେର ସିମୁଳିଆ ପୋଲିସ ପାଉ ନ ଥିବା ଜଣାଯାଏ । ସେହିପରି ଆଜି ବାଲିଖଣ୍ଡ ବମତିଆ ଜଗନ୍ନାଥ ମନ୍ଦିର ପରିସରରେ ବେଆଇନ କୋଇଲା ବ୍ୟାଗ ରହିଥିବା ନେଇ କୌଣସି ସୂତ୍ରରୁ ଖବର ପାଇ ଲଘୁ ଖଣିଜ ବିଭାଗ ପକ୍ଷରୁ ଚଡାଉ କରାଯାଇଥିଲା । ଏହି ଚଡାଉରେ ୨ହଜାରରୁ ଉର୍ଦ୍ଧ୍ବ ବ୍ୟାଗ ବେଆଇନ କୋଇଲା ଉଦ୍ଧାର କରାଯାଇଥିଲା । ମାତ୍ର କାହାରିକୁ ଗିରଫ କରାଯାଇ ନ ଥିବା ଜଣାଯାଇଛି । ଦୀର୍ଘଦିନ ଧରି ଏ ଅଞ୍ଚଳରେ ବେଆଇନ କୋଇଲା ବେପାର ଚାଲୁଥିଲେ ବି ପୋଲିସ କିପରି ଏହା ଜାଣି ପାରୁନାହିଁ ଯାହା ପୋଲିସର କାର୍ଯ୍ୟକଳାପ ଉପରେ ସାଧାରଣ ସନ୍ଦେହ ପ୍ରକଟ କରିଛି । ଏହି ଚଡାଉ ପରେ କୋଇଲା ମାଫିଆଙ୍କ ମଧ୍ୟରେ କୋକୁଆଭୟ ଖେଳିଯାଇଛି । କିଏ ଏହି ବେଆଇନ କୋଇଲା ବେପାର କରୁଛି ତାହା ତଦନ୍ତ କଲେ ପ୍ରକୃତ ଆସାମୀ ପୋଲିସ ହାତରେ ଧରାପଡିବ ବୋଲି ଜଣାଯାଇଛି । ଏହି ଚଡାଉରେ ଲଘୁ ଖଣିଜ ଅଧିକାରୀ ମୟୁରଭଞ୍ଜର ଭକ୍ତ ନନ୍ଦ ପାତ୍ର ଓ ସିମୁଳିଆ ପୋଲିସ ମିଳିତ ଚଡାଉରେ ସାମିଲ ଥିଲେ ।

Comments are closed.