ହୀରାକୁଦ ଡ୍ୟାମ ପ୍ରକଳ୍ପ କେନାଲର ହେବ ନବୀକରଣ: ୪ବର୍ଷରେ ଖର୍ଚ୍ଚ ହେବ ୮୫୫କୋଟି

ଭୁବନେଶ୍ବର : ହୀରାକୁଦ ସେଚାଞ୍ଚଳର ଜଳପଥଗୁଡିକ ବର୍ତ୍ତମାନ ଜରାଜୀର୍ଣ୍ଣ ଓ ଅଚଳ ହୋଇପଡ଼ିଛି। ଫଳସ୍ବରୂପ ଏହାର ଜଳଧାରଣ କ୍ଷମତା ହ୍ରାସ ପାଇବାରେ ଲାଗିଛି। ଯେଉଁଥିପାଇଁ କେନାଲରେ ସୁଷମ ଜଳ ବଣ୍ଟନ ହୋଇପାରୁ ନାହିଁ। ଏହାର ସମାଧାନ ନିମନ୍ତେ ହୀରାକୁଦ ବନ୍ଧ ପ୍ରକଳ୍ପ କେନାଲ ପଦ୍ଧତିର ନବୀକରଣ ଯୋଜନାକୁ ଆଗାମୀ ୪ବର୍ଷ ଅର୍ଥାତ ଆର୍ଥିକ ବର୍ଷ ୨୦୨୪-୨୫ରୁ ୨୦୨୭-୨୮ମଧ୍ୟରେ କାର୍ଯ୍ୟକାରୀ କରିବା ନିମନ୍ତେ ୮୫୫ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି। ଏନେଇ ଜଳ ସମ୍ପଦ ବିଭାଗ ପକ୍ଷରୁ ଏକ ସଙ୍କଳ୍ପପତ୍ର ଜାରି ହୋଇଛି। ହୀରାକୁଦ ସେଚାଞ୍ଚଳ ଅଦ୍ୟାବଧି ସମ୍ବଲପୁର, ବରଗଡ଼, ସୁବର୍ଣ୍ଣପୁର ଏବଂ ବଲାଙ୍ଗିର ଜିଲାର ଚାଷୀଙ୍କୁ ଖରିଫ ଓ ରବି ଋତୁରେ ଜଳସେଚନ ସୁବିଧା ଯୋଗାଇ ଦେବା ସହିତ ସେମାନଙ୍କ ସାମାଜିକ ତଥା ଆର୍ଥିକ ଉନ୍ନତିରେ ସହାୟତା କରିଆସୁଛି। କେନାଲର ଜଳସେଚନ କାର୍ଯ୍ୟଦକ୍ଷତାକୁ ବୃଦ୍ଧି କରିବା ସହିତ ବଣ୍ଟନ ବ୍ୟବସ୍ଥାରେ ଜଳର କ୍ଷତିକୁ ହ୍ରାସ କରି ତଳମୁଣ୍ଡରେ ଜଳ ଉପଲବ୍ଧତା ବୃଦ୍ଧି କରାଯାଇ ପାରିବ। ବରଗଡ଼ ମୁଖ୍ୟ କେନାଲ, ଶାସନ ମୁଖ୍ୟ କେନାଲ ଏବଂ ଅନ୍ୟାନ୍ୟ ଡିଷ୍ଟ୍ରିବ୍ୟୁଟାରୀ ମାନଙ୍କରେ ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ଫଲ୍‌, ସିଡି, ଆଉଟଲେଟ ଇତ୍ୟାଦିର ନବୀକରଣ କରାଯିବ। ଏଥିସହିତ ସାଇଫନ, ଏଚଆର, ସିଆର ଏବଂ ଭିଆରବି ଇତ୍ୟାଦିର ସ୍ଥିରୀକରଣ କରାଯିବ। ଦକ୍ଷିଣ ଏବଂ ବାମ ସ୍ପିଲୱେ ଫାଉଣ୍ଡେସନ ଗ୍ୟାଲେରି ମରାମତି ଏବଂ ନବୀକରଣ ସହିତ ଦକ୍ଷିଣ ଆବ୍ୟୁଟମେଣ୍ଟ ଏବଂ ଏହାର ସଂଲଗ୍ନ ହୀରାକୁଦ ବନ୍ଧର ଛୋଟ ପୁନଃସଂଯୋଜନା କରିବାକୁ ଯୋଜନା ରହିଛି।
ସେଚାଞ୍ଚଳ ନବୀକରଣ ପାଇଁ ଆର୍ଥିକ ବର୍ଷ ୨୦୨୪-୨୫ରେ ୬୫ କୋଟି ଟଙ୍କା ଖର୍ଚ୍ଚ କରାଯିବାକୁ ଥିବାବେଳେ ୨୦୨୫-୨୬ରେ ୧୮୮କୋଟି, ୨୦୨୬-୨୭ରେ ୧୮୮କୋଟି, ୨୦୨୭-୨୮ରେ ୧୮୯କୋଟି ଏହିପରି ସମୁଦାୟ ୬୩୦କୋଟି ଟଙ୍କା ବିନିଯୋଗ କରାଯିବ। ବରଗଡ଼ ମୁଖ୍ୟ କେନାଲ, ଶାସନ ମୁଖ୍ୟ କେନାଲ ଏବଂ ଅନ୍ୟାନ୍ୟ ଡିଷ୍ଟ୍ରିବ୍ୟୁଟାରୀରେ ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ଫଲ, ସିଡି ଏବଂ ଆଉଟଲେଟ୍‌ ଇତ୍ୟାଦିର ନବୀକରଣ ହେବ। ଭିଆରବି, ସିଆର, ଏଚଆର, ସାଇଫନ ଇତ୍ୟାଦିର ସ୍ଥିରୀକୃତ ପାଇଁ ଆର୍ଥିକ ବର୍ଷ ୨୦୨୪-୨୫ରେ ୩୦ କୋଟି, ୨୦୨୫-୨୬ରେ ୪୪କୋଟି, ୨୦୨୬-୨୭ରେ ୪୪କୋଟି ଏବଂ ୨୦୨୭-୨୮ରେ ୪୫ କୋଟି ଏହିପରି ମୋଟ ୧୬୩ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଆର୍ଥିକ ବର୍ଷ ୨୦୨୪-୨୫ରେ ସେଚାଞ୍ଚଳ ନବୀକରଣ ନିମନ୍ତେ ମାଇନର ୪୪କି.ମି. ସବ୍‌-ମାଇନର ୧-୫୫କି.ମି., ସବ୍‌-ମାଇନର ୨-୬୦କି.ମି. କରାଯିବ। ସେହିପରି ୨୦୨୫-୨୬ରେ ମାଇନର ୧୨୪କି.ମି. ସବ୍‌-ମାଇନର ୧-୧୫୫କି.ମି., ସବ୍‌-ମାଇନର ୨-୧୭୧.୪୩କି.ମି. ନିର୍ମାଣ ହେବ। ଆର୍ଥିକ ବର୍ଷ ୨୦୨୬-୨୭ରେ ମାଇନର ୧୨୪କି.ମି., ବସ୍‌-ମାଇନର ୧-୧୫୫କି.ମି., ସବ୍‌-ମାଇନର ୨-୧୭୧.୪୩କି.ମି. ନିର୍ମାଣ କରାଯିବ। ଏଥିସହିତ ଆର୍ଥିକ ବର୍ଷ ୨୦୨୭-୨୮ରେ ମାଇନର ୧୧୫କି.ମି. ସବ୍‌-ମାଇନର ୧-୧୮୭କି.ମି. ଏବଂ ସବ୍‌ମାଇନର ୨-୧୪୮.୧୪କି.ମି. ନିର୍ମାଣ କରାଯିବ। ଡାହାଣ ଆବ୍ୟୁଟମେଣ୍ଟ ଏବଂ ଏହାର ସଂଲଗ୍ନ ହୀରାକୁଦ ବନ୍ଧର ଛୋଟ କାନ୍ଥ ୧୫୬୦ ମିଟର ଲମ୍ବ ଏବଂ ବଡ଼ କାନ୍ଥ ସହିତ ଡ୍ରେନ ୩୯୦ମିଟର ଲମ୍ବ ତିଆରି କରାଯିବ। ହୀରାକୁଦ ବନ୍ଧ ପ୍ରକଳ୍ପର ଗ୍ୟାଲେରିର ମରାମତି ତଥା ନବୀକରଣ ହେବ। ୨୦୨୪-୨୫ ଆର୍ଥିକ ବର୍ଷରେ ଛିଦ୍ର ଓ ଫାଟ ଗୁଡିକର ସର୍ଭେକ୍ଷଣ ଏବଂ ୮୨ଟି ଛିଦ୍ର ଏବଂ ୨୨୮ଡ୍ରିଲ ଛିଦ୍ର ସଫା କରାଯିବ। ୨୦୨୫-୨୬ବର୍ଷରେ ଛୋଟ ବଡ଼ ଛିଦ୍ର ଓ ଫାଟର ମରାମତି କରାଯିବ। ଏହି ଯୋଜନା ଜଳସମ୍ପଦ ବିଭାଗ ଦ୍ବାରା ଆସନ୍ତା ୪ବର୍ଷ ଅବଧିରେ ଶେଷ କରାଯିବ। ଏହା ରାଜ୍ୟ ସରକାରଙ୍କ ନିଜସ୍ବ ସମ୍ବଳରୁ ଜଳସମ୍ପଦ ବିଭାଗର ଯୋଜନା ପାଣ୍ଠି ମାଧ୍ୟମରେ ଖର୍ଚ୍ଚ କରାଯିବ। ଯୋଜନାକୁ ବିଭାଗରେ କାର୍ଯ୍ୟରତ ମାନବ ସମ୍ବଳ ଦ୍ବାରା କାର୍ଯ୍ୟକାରୀ କରାଯିବ ବୋଲି ସଂକଳ୍ପପତ୍ରରେ କୁହାଯାଇଛି।

Comments are closed.