କେକ୍ରୁ ମିଳିଲା କର୍କଟ ସୃଷ୍ଟିକାରୀ ପଦାର୍ଥ
ସମାଜ ଡିଜିଟାଲ ଡେସ୍କ: କେକ୍ କାହାର ଅବା ପ୍ରିୟ ନୁହେଁ। ପିଲାଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ କେକ୍ ସମସ୍ତଙ୍କର ପସନ୍ଦ। ଜନ୍ମଦିନଠୁ ଆରମ୍ଭ କରି କୌଣସି ଏକ ଖୁସିର ମୁହୂର୍ତ୍ତକୁ ଉପଭୋଗ କରିବା ଲାଗି ଖୋଜାପଡ଼େ କେକ୍। ହେଲେ ଯାହାକୁ ନେଇ ମଣିଷ ନିଜର ଖୁସି ମୁହୂର୍ତ୍ତକୁ ଅନ୍ୟମାନଙ୍କ ସହିତ ବାଣ୍ଟିବାକୁ ଚେଷ୍ଟା କରେ ସେହି କେକ୍ ଏବେ ପ୍ରାଣଘାତୀ। କେକ୍ ଖାଇଲେ ହୋଇପାରେ କର୍କଟ ଭଳି ମାରାତ୍ମକ ରୋଗ। କେକ୍ରୁ କର୍କଟ ସୃଷ୍ଟିକାରୀ ପଦାର୍ଥ ମିଳିବା ପରେ ଏବେ ଦେଶବ୍ୟାପୀ ଆଲୋଡ଼ନ ସୃଷ୍ଟି ହୋଇଛି।
କର୍ଣ୍ଣାଟକ ସରକାରଙ୍କ ଖାଦ୍ୟ ନିରାପତ୍ତା ଏବଂ ଗୁଣବତ୍ତା ବିଭାଗ ପକ୍ଷରୁ ବିଭିନ୍ନ କେକ୍ ପାର୍ଲରଗୁଡ଼ିକରେ ଚଢ଼ାଉ କରାଯାଇ ତାହାର ମାନ ଯାଞ୍ଚ କରାଯାଇଥିଲା। ନମୁନା ପରୀକ୍ଷଣ ସମୟରେ ଯାହା ତଥ୍ୟ ମିଳିଲା ତାହା କେବଳ ଉକ୍ତ ବିଭାଗର ସ୍ଵାସ୍ଥ୍ୟ ଅଧିକାରୀଙ୍କୁ ନୁହେଁ, ସାରା ଦେଶବାସୀଙ୍କୁ ଚମକାଇ ଦେବ ନିଶ୍ଚୟ। କାରଣ କେକ୍ରୁ ମିଳିଥିଲା କର୍କଟ ସୃଷ୍ଟିକାରୀ ପଦାର୍ଥ। ଏହି ପଦାର୍ଥ ଅନ୍ୟ କିଛି ନୁହେଁ, ବରଂ କେକ୍କୁ ଆକର୍ଷଣୀୟ କରିବାକୁ ସେଥିରେ ମିଶାଯାଉଥିବା ବିଭିନ୍ନ ପ୍ରକାର କୃତ୍ରିମ ରଙ୍ଗ।
୨୩୫ଟି କେକ୍ ନମୁନାକୁ ଅଧିକାରୀମାନେ ପରୀକ୍ଷା କରିଥିଲେ। ସେଥିରୁ ୧୨ଟି ନମୁନାରେ କର୍କଟ ସୃଷ୍ଟିକାରୀ ପଦାର୍ଥ ରହିଥିବା ଜଣାପଡ଼ିଥିଲା। ଏହି କେକ୍ରେ ବ୍ୟବହୃତ ଅଲ୍ଲୁରା ରେଡ୍, ସନସେଟ୍ ୟେଲୋ ଏଫସିଏଫ, ପୋନସିୟୋ ୪ଆର, ଟାର୍ଟ୍ରାଜାଇନ ଏବଂ କାରକୋଇସିନ ଭଳି କୃତ୍ରିମ ରଙ୍ଗ କର୍କଟ ସୃଷ୍ଟିକାରୀ ବୋଲି ଡାକ୍ତର କହିଛନ୍ତି। ଏହାବ୍ୟତୀତ ଏହି ରଙ୍ଗଗୁଡ଼ିକ ମଣିଷର ମାନସିକ ଏବଂ ଶାରିରୀକ ସ୍ଵାସ୍ଥ୍ୟ ପ୍ରତି କ୍ଷତିକାରକ ବୋଲି ଜଣାପଡ଼ିଛି।
Comments are closed.