ଧବଳେଶ୍ୱରଙ୍କ ବଡ଼ ଓଷା, ପଞ୍ଚକ ଯାତ୍ରା ପ୍ରସ୍ତୁତି: ଏଥର ପଞ୍ଚକ ୪ ଦିନିଆ

ନଭେମ୍ବର ୧୩ରେ ବଡ଼ ଓଷା, ୧୪ରେ ଗଜଭୋଗ ବିତରଣ

ଗୁରୁଡିଝାଟିଆ: ପ୍ରଭୁ ଧବଳେଶ୍ୱରଙ୍କ ପ୍ରସିଦ୍ଧ ପଞ୍ଚକ ଓ ବଡଓଷା ଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ ଗୁରୁବାର ପୂର୍ବାହ୍ନରେ ପୀଠ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଚଳିତବର୍ଷ ପଞ୍ଚକ ୪ଦିନ ପଡୁଛି । ନଭେମ୍ବର ୧୩ ତାରିଖରେ ପ୍ରଭୁଙ୍କ ବଡଓଷା ଓ ବଡସିଂହାର ବେଶ ଏବଂ ୧୪ ତାରିଖରେ ଗଜଭୋଗ ବିତରଣ। ୧୫ ତାରିଖରେ ଅନୁଷ୍ଠିତ ହେବ ରାସପୂର୍ଣ୍ଣିମା। ନଭେମ୍ବର ୧୨ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ପଞ୍ଚକ ଯାତ୍ରା ଅନୁଷ୍ଠିତ ହେବ। ହେଲେ ଧବଳେଶ୍ୱରଙ୍କ ପରମ୍ପରା ଅନୁଯାୟୀ ୫ଦିନ ପଞ୍ଚକ ପାଳନ କରାଯିବ । ଜିଲ୍ଲାପାଳ ଦତ୍ତାତ୍ରୟ ଭାଓ ସାହେବ ସିନ୍ଧେ ପ୍ରସ୍ତୁତି ବୈଠକରେ ଅଧ୍ୟକ୍ଷତା କରି ପ୍ରଭୁ ଧବଳେଶ୍ୱରଙ୍କ ପ୍ରସିଦ୍ଧ ପଞ୍ଚକ ଓ ବଡଓଷା ଯାତ୍ରାକୁ ଭକ୍ତି ଓ ଶୃଙ୍ଖଳିତ ଭାବେ ସମାପନ ପାଇଁ ସମସ୍ତ ବିଭାଗ ନିଷ୍ଠାର ସହିତ କାର୍ଯ୍ୟ କରିବା ନିମନ୍ତେ ପରାମର୍ଶ ଦେଇଥିଲେ।

ପୀଠକୁ ଲକ୍ଷାଧିକ ଶ୍ରଦ୍ଧାଳୁ ବ୍ରତ, ବଡଓଷା ଓ ବଡସିଂହାର ବେଶ ସହିତ ଗଜଭୋଗ ନେବା ପାଇଁ ଆସୁଥିବାରୁ ସେମାନଙ୍କୁ ଶାନ୍ତି ଶୃଙ୍ଖଳାର ସହ ଦର୍ଶନ କରାଇ ଫେରାଇଦେବା ଆମ୍ଭମାନଙ୍କ କର୍ତ୍ତବ୍ୟ ବୋଲି ଜିଲାପାଳ କହିଥିଲେ। ପୀଠକୁ ମହାନଦୀ ଉପରେ ସଂଯୋଗ କରୁଥିବା କଂକ୍ରିଟ ସେତୁ ଉପରେ ଉଜ୍ୱଳ ଆଲୋକ ବ୍ୟବସ୍ଥା, ସୁଦୃଢ ବ୍ୟାରିକେଡ୍‌, ୨୪ଘଣ୍ଟିଆ ସ୍ୱାସ୍ଥ୍ୟ ଓ ଆମ୍ବୁଲାନ୍ସ ସେବା, ଦିବ୍ୟାଙ୍ଗଙ୍କ ପାଇଁ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା, ଶ୍ରଦ୍ଧାଳୁଙ୍କୁ ସହାୟତା ସ୍ୱେଚ୍ଛାସେବୀ ମୁତୟନ, ବିଦ୍ୟୁତ୍‌ ସରବରାହ, ବିଶୁଦ୍ଧ ପାନୀୟଜଳ ଓ ପରିମଳ ବ୍ୟବସ୍ଥା, ରାସ୍ତା ମରାମତି ଆଦି ସମ୍ପର୍କରେ ବୈଠକରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା। ସମସ୍ତ ବିଭାଗ ପଞ୍ଚକ ପୂର୍ବରୁ ସମସ୍ତ କାର୍ଯ୍ୟକୁ ସମାପନ କରିବା ନିମନ୍ତେ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଆଠଗଡ ତହସିଲଦାର ତଥା ଅତିରିକ୍ତ ଦେବୋତ୍ତର କାର୍ଯ୍ୟନିର୍ବାହୀ ଅଧିକାରୀ କ୍ଷେତ୍ରମୋହନ ସ୍ୱାଇଁଙ୍କ ସଂଯୋଜନାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ଆଠଗଡ ଉପଜିଲ୍ଲାପାଳ ତଥା ଦେବୋତ୍ତର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରହଲ୍ଲାଦ ନାରାୟଣ ଶର୍ମା, ଚୌଦ୍ୱାର ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ଉମାକାନ୍ତ ନାୟକ, ଆଠଗଡ ଉପଖଣ୍ଡ ଚିକିତ୍ସାଳୟ ଅଧୀକ୍ଷକ ଡାକ୍ତର ବିଜୟ କୁମାର ମିଶ୍ର, ତିଗିରିଆ ତହସିଲଦାର ଅକ୍ଷୟ କୁମାର ପରିଡା, ବଡମ୍ବା ତହସିଲଦାର ଶାସ୍ୱତ ରଞ୍ଜନ ଦାସ, ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧୀକ୍ଷକ ଡାକ୍ତର ଦୀଲିପ କୁମାର ଦାସ, ଗୁରୁଡିଝାଟିଆ ଥାନା ଅଧିକାରୀ ପରେଶ କୁମାର ମହାନ୍ତି, ଧବଳେଶ୍ୱର ପୂଜକ ସମିତି ସଭାପତି ବିଷ୍ଣୁଚରଣ ପତ୍ରୀ, ସଂପାଦକ ନରେନ୍ଦ୍ର ପଣ୍ଡାଙ୍କ ସହିତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଯନ୍ତ୍ରୀ ଓ ଅଧିକାରୀ,ସ୍ଥାନୀୟ ନିର୍ବାଚିତ ପ୍ରତିନିଧି ,ବିଭିନ୍ନ ସାମାଜିକ ସଂଗଠନର କର୍ମକର୍ତ୍ତା ପ୍ରମୁଖ ଯୋଗଦେଇଥିଲେ।

Comments are closed.