ଜାମଦାପାଳ ସ୍ୱାସ୍ଥ୍ୟକେନ୍ଦ୍ର ନୂତନ ଗୃହ ନିର୍ମାଣକୁ ବନ୍ଦ କଲେ ଗ୍ରାମବାସୀ

ଝୁମ୍ପୁରା: ଝୁମ୍ପୁରା ବ୍ଲକ ଗୁମୁରା ପଞ୍ଚାୟତ ଅନ୍ତର୍ଗତ ଜାମଦାପାଳଠାରେ ରହିଥିବା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଆବଶ୍ୟକ ଗୃହ ନ ଥିବାରୁ ସରପଞ୍ଚ ବାରମ୍ବାର ପ୍ରଶାସନକୁ ଅବଗତ କରିବା ପରେ ପ୍ରଶାସନ ତରଫରୁ ଏହି ସ୍ୱାସ୍ଥ୍ୟକେନ୍ଦ୍ରକୁ ନୂତନ ଗୃହ ନିର୍ମାଣ ପାଇଁ ଅନୁଦାନ ଯୋଗାଇ ଦେଇଛନ୍ତି। କିନ୍ତୁ ସ୍ୱାସ୍ଥ୍ୟକେନ୍ଦ୍ରର ନୂତନ ଗୃହ ନିର୍ମାଣରେ ସରକାରଙ୍କ ସମସ୍ତ ନୀତି ନିୟମକୁ ଖୋଲା ଖୋଲି ଉଲ୍ଲଂଘନ କରି କାମ କରାଯାଉଥିବାରୁ ଏହାକୁ ସ୍ଥାନୀୟ ଗ୍ରାମବାସୀ ସଂପୂର୍ଣ୍ଣ ଭାବରେ ବିରୋଧ କରିଚନ୍ତି। ଏଥିସହ ଆରମ୍ଭ ହୋଇଥିବା କାମକୁ ବନ୍ଦ କରିଦେଇଛନ୍ତି। ଗ୍ରାମବାସୀଙ୍କ ଦାବି ରହିଛି ଯେ, ସ୍ୱାସ୍ଥ୍ୟକେନ୍ଦ୍ରର ଗୃହ ନିର୍ମାଣ ପୂର୍ବରୁ କାର୍ଯ୍ୟସ୍ଥଳରେ ସର୍ବ ସାଧାରଣଙ୍କ ଅବଗତି ନିମନ୍ତେ ସୂଚନା ଫଳକ ନିର୍ମାଣ କରିବା, କେଉଁ ବିଭାଗର ଅନୁଦାନ ଆସିଛି, କେତେ ଟଙ୍କା ଅନୁଦାନ ଆସିଛି, ତା’ସହିତ କି କି କାମ ହେବ ତା’ର ସଂପୂର୍ଣ୍ଣ ବିବରଣୀ କାର୍ଯ୍ୟସ୍ଥଳରେ ସୂଚନା ଫଳକ ମାଧ୍ୟମରେ ଲିପିବଦ୍ଧ କରିବା ଏବଂ ଗୃହ କାମ ଚାଲିଥିବା ସମୟରେ ବିଭାଗୀୟ ଯନ୍ତ୍ରୀ ଉପସ୍ଥିତ ରହି କାର୍ଯ୍ୟକୁ ତଦାରଖ କରିବାର ନିୟମ ରହିଛି। ବର୍ତ୍ତମାନ ସୁଦ୍ଧା ଯେତିକି କାମ ହୋଇଛି ତାହା ଅତ୍ୟନ୍ତ ନିମ୍ନ ମାନର ହୋଇଛି। ପିଲର ଉଠୁଥିବା ସ୍ଥାନରେ କାମ କରୁଥିବା ଠିକାଦାର ବାଲି ପକାଇବା ପରେ ମେଟାଲ କରିବା ପରେ ଯାଇ ପିଲର ଛିଡା କରିବା କଥା, କିନ୍ତୁ କାମ କରୁଥିବା ମିସ୍ତ୍ରୀମାନେ ବାଲି ମେଟାଲ ନ ପକାଇ ସିଧା ସଳଖ ଗାତରେ ରଡ୍‌ ଦେଇ ପିଲର ଛିଡ଼ା କରି ଦେଉଥିବାରୁ ଘରର ସ୍ଥାୟୀତ୍ୱ ନେଇ ପ୍ରଶ୍ନ ଉଠିବାରୁ ସ୍ଥାନୀୟ ଜନସାଧାରଣ ଏକତ୍ରିତ୍ୱ ହୋଇ ଘଟଣା ସମ୍ପର୍କରେ ସରପଞ୍ଚ ତପନ କୁମାର ନାଏକଙ୍କୁ ଅବଗତ କରିଥିଲେ। ସରପଞ୍ଚ ଜନସାଧାରଣଙ୍କଠାରୁ ଖବର ପାଇ ସଙ୍ଗେସଙ୍ଗେ ଘଟଣା ସ୍ଥଳରେ ପହଞ୍ଚି କାମ ତଦାରଖ କରି ଜାଣିବାକୁ ପାଇଲେ କାମ ଅତ୍ୟନ୍ତ ନିମ୍ନ ମାନର ହେଉଛି। ଏଣୁ ସରପଞ୍ଚଙ୍କ ଉପସ୍ଥିତିରେ ସ୍ୱାସ୍ଥ୍ୟକେନ୍ଦ୍ରର ଗୃହ ନିର୍ମାଣକୁ ବନ୍ଦ କରିଛନ୍ତି। କାମ ବନ୍ଦ କରିବା ପରେ ଏହାର ବିଧିବଦ୍ଧ ତଦନ୍ତ କରିବା ପାଇଁ ଜନସାଧାରଣଙ୍କ ତରଫରୁ ଝୁମ୍ପୁରା ଗୋଷ୍ଠି ଉନ୍ନୟନ ଅଧିକାରୀ, ଝୁମ୍ପୁରା ଗୋଷ୍ଠି ସ୍ୱାସ୍ଥ୍ୟ ଅଧିକାରୀ ପାଖରେ ଅଭିଯୋଗ କରିଛନ୍ତି। ଅଧିକାରୀମାନେ କାମର ଯାଞ୍ଚ କରିବା ପରେ ପୁଣିଥରେ ଭଲ ଭାବରେ ସ୍ୱାସ୍ଥ୍ୟକେନ୍ଦ୍ରର ଗୃହ ନିର୍ମାଣ କରାଯିବ ବୋଲି ସରପଞ୍ଚ ତପନ କୁମାର ନାଏକ, ୱାର୍ଡ ମ୍ବେମର ସାଗରୀକା ମହାକୁଡ, ଦଶରଥ ମହାକୁଡ, ଚୈତନ୍ୟ ନାଏକଙ୍କ ସମେତ ଅନ୍ୟ ଗ୍ରାମବାସୀ ଦାବି କରିଛନ୍ତି। ଘଟଣା ସମ୍ପର୍କରେ ଗୁମୁରା ସରପଞ୍ଚ ତପନ କୁମାର ନାଏକଙ୍କ ସହିତ ଯୋଗାଯୋଗ କରିବାରୁ ସେ କହନ୍ତି କାମ ଭଲ ହେଉନାହିଁ ଯଦି ଠିକାଦାର ଭଲ କାମ କରିବ ତାହେଲେ କାମ କରାଯିବ।

Comments are closed.