ସୁନାପୁର ବ୍ଲୁ ଫ୍ଲାଗ ବିଚ୍‌ରେ ଅବ୍ୟବସ୍ଥା, ଲକ୍ଷାଧିକ ବ୍ୟୟରେ ନିର୍ମିତ ଗୋଷ୍ଠୀ ଶୌଚାଳୟରେ ତାଲା

ଗୋପାଳପୁର: ଗଞ୍ଜାମ ଜିଲାର ସୁନାପୁର ବେଳାଭୂମିକୁ ଗତ ଜାନୁୟାରୀ ମାସରେ ବ୍ଲୁ ଫ୍ଲାଗ ବିଚ୍‌ର ମାନ୍ୟତା ମିଳିବା ପରେ ବେଳାଭୂମିର ଚିତ୍ର ବଦଳିବା ସହ ଏଠାକୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ଅନେକ ସୁବିଧା ମିଳିବ ବୋଲି ଆଶା ରହିଥିଲା। କିନ୍ତୁ ଏଠାରେ ସୁବିଧା ଅପେକ୍ଷା ଅସୁବିଧା ଅଧିକ ରହିଥିବା ଦେଖିବାକୁ ମିଳିଛି। ଏହି ବେଳାଭୂମିକୁ ସ୍ଥାନୀୟ ସମେତ ବାହାରର ବହୁ ପର୍ଯ୍ୟଟକ ପ୍ରତିଦିନ ବୁଲିବାକୁ ଆସିବା ସହ ଏଠାରେ ବଣଭୋଜିର ମଜା ନେଇଥା’ନ୍ତି। ପର୍ଯ୍ୟଟକଙ୍କ ସୁବିଧା ପାଇଁ ଏଠାରେ ଗତ ୨୦୨୨-୨୩ ଆର୍ଥିକ ବର୍ଷରେ ୯ ଲକ୍ଷ ୮ ହଜାର ଟଙ୍କା ବିନିଯୋଗ କରାଯାଇ ଗୋଷ୍ଠୀ ଶୌଚାଳୟଟିଏ ନିର୍ମାଣ କରାଯାଇଛି। କିନ୍ତୁ ଆଜି ଯାଏଁ ଏହାକୁ ଚାବି ପକାଇ ରଖା ଯାଇଥିବାରୁ ଏହା ବ୍ୟବହାରଯୋଗ୍ୟ ହୋଇପାରିନାହିଁ। ଯାହାଫଳରେ ବେଳାଭୂମି ବୁଲିବାକୁ ଆସୁଥିବା ପର୍ଯ୍ୟଟକମାନଙ୍କୁ ବାଧ୍ୟ ହୋଇ ଝାଉଁବଣ କିମ୍ବା ବେଳାଭୂମିରେ ଶୌଚ କରିବାକୁ ପଡ଼ୁଛି। ବିଶେଷ କରି ଏଠାକୁ ଆସୁଥିବା ମହିଳାମାନଙ୍କୁ ଶୌଚ ପାଇଁ ହଇରାଣ ହରକତ ହେବାକୁ ପଡ଼ୁଛି।

ସୂଚନାଯୋଗ୍ୟ, ଗତ ଜାନୁୟାରୀ ମାସରେ ଓଡ଼ିଶାର ଦ୍ବିତୀୟ ବେଳାଭୂମି ଭାବେ ସୁନାପୁର ବେଳାଭୂମିକୁ ବିଶ୍ବସ୍ତରୀୟ ବ୍ଲୁ ଫ୍ଲାଗ ବିଚ୍‌ର ମାନ୍ୟତା ମିଳିଛି। ଏହାପୂର୍ବରୁ ୨୦୨୦ ମସିହାରେ ପୁରୀ ବେଳାଭୂମିକୁ ‘ବ୍ଲୁ ଫ୍ଲାଗ’ ମାନ୍ୟତା ମିଳିଥିଲା। ଡେନମାର୍କର ସଂସ୍ଥା ଫାଉଣ୍ଡେସନ ଫର ଏନଭରମେଣ୍ଟାଲ୍ ଏଜୁକେସନ(ଏଫଇଇ) ପକ୍ଷରୁ ସୁନାପୁର ବେଳାଭୂମିକୁ ‘ବ୍ଲୁ ଫ୍ଲାଗ’ ମାନ୍ୟତା ଦିଆଯାଇଥିଲା। ବେଳାଭୂମିର ସ୍ବଚ୍ଛତା ଓ ସୁନ୍ଦରତା, ପରିବେଶ ଅନୁକୂଳ ଭିତ୍ତିଭୂମି ତଥା ପର୍ଯ୍ୟଟକଙ୍କ ସୁରକ୍ଷା ଓ ଅନ୍ୟାନ୍ୟ ସୁବିଧା ଭଳି ଦିଗକୁ ଦେଖି ଏହି ମାନ୍ୟତା ପ୍ରଦାନ କରାଯାଇଥିଲା।

ଗଞ୍ଜାମ ଜିଲ୍ଲାର ବାହୁଡ଼ା ନଦୀ ମୁହାଣରେ ସୁନାପୁର ବେଳାଭୂମି ରହିଛି। ୨୦୨୧ରେ ଏହି ବେଳାଭୂମିର ବିକାଶ କାମ ଆରମ୍ଭ ହୋଇଥିଲା। ୨୦୨୩ରେ କାମ ସମ୍ପୂର୍ଣ୍ଣ ହେବାପରେ ବେଳାଭୂମିକୁ ‘ବ୍ଲୁ ଫ୍ଲାଗ’ ମାନ୍ୟତା ଦେବାନେଇ ଆବେଦନ କରାଯାଇଥିଲା। ‘ବ୍ଲୁ ଫ୍ଲାଗ’ ଦିଆଯିବ ପୂର୍ବରୁ ଏଫଇଇ ସଂସ୍ଥା ପକ୍ଷରୁ ବେଳାଭୂମିର ନିରୀକ୍ଷଣ କରାଯାଇଥିଲା। ବିଶ୍ୱର ଯେଉଁ ସୁମଦ୍ର କୂଳ ସ୍ୱଚ୍ଛ ସହିତ ପର୍ଯ୍ୟଟକମାନଙ୍କୁ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦେଇଥାଏ ତାକୁ ଏହି ‘ବ୍ଲୁ ଫ୍ଲାଗ’ ମାନ୍ୟତା ମିଳିଥାଏ। ଏହି ମାନ୍ୟତା ପାଇବାକୁ ହେଲେ ସମୁଦ୍ର କୂଳକୁ କେତେକ ସର୍ତ୍ତ ପୂରଣ କରିବା ନିହାତି ଆବଶ୍ୟକ ହୋଇଥାଏ।

ସମୁଦ୍ର କୂଳରେ ପର୍ଯ୍ୟଟକଙ୍କ ପାଇଁ ସମସ୍ତ ପ୍ରକାର ସୁବିଧା ସୁଯୋଗ ରହିଥିବା ଦରକାର। ତା’ ସହିତ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ସମୁଦ୍ର କୂଳରେ ଲାଇଫ୍ ଗାର୍ଡ ୨୪ ଘଣ୍ଟା ରହିବା ଆବଶ୍ୟକ। ସମୁଦ୍ର କୂଳ ସ୍ୱଚ୍ଛ ମଧ୍ୟ ରହିବା ଦରକାର। ଏହିଭଳି ଅନେକ ସର୍ତ୍ତ ପୂରଣ କଲେ ଗୋଟିଏ ସମୁଦ୍ର କୂଳକୁ ‘ବ୍ଲୁ ଫ୍ଲାଗ’ ମାନ୍ୟତା ଦିଆଯାଇଥାଏ। ସୁନାପୁର ବେଳାଭୂମି ଏହି ସବୁକୁ ଆଧାର କରି ବ୍ଲୁ ଫ୍ଲାଗ ବିଚ୍‌ର ମାନ୍ୟତା ହାସଲ କରିଛି। କିନ୍ତୁ ବ୍ଲୁ ଫ୍ଲାଗ୍ ବିଚ୍‌ ଚିହ୍ନିତ ହୋଇଥିବା ବେଳାଭୂମି ଅଞ୍ଚଳକୁ ଛାଡ଼ିଦେଲେ ଅନ୍ୟ ଅଞ୍ଚଳରେ କୌଣସି ସୁବିଧା ସୁଯୋଗ ନଥିବା ଏଠାକୁ ଆସୁଥିବା ପର୍ଯ୍ୟଟକମାନେ ଅଭିଯୋଗ କରିଛନ୍ତି।

Comments are closed.