www.samajalive.in
Friday, December 12, 2025
15.1 C
Bhubaneswar

ବିତିଲାଣି ୬ ବର୍ଷ, ତଥାପି ସରୁନି ଭଦ୍ରକ-ବାଲେଶ୍ବର ଜାତୀୟ ରାଜପଥ କାମ

ସୋର: ଦୀର୍ଘ ୬ ବର୍ଷ ବିତିଲାଣି; ତଥାପି ସମ୍ପୂର୍ଣ୍ଣ ହୋଇପାରୁନି ବାଲେଶ୍ବର ଜିଲା ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥର ଭଦ୍ରକ-ବାଲେଶ୍ୱର ସେକ୍ସନ ଅନ୍ତର୍ଗତ ମଇତାପୁର-ଫୁଲାଡ଼ି ୬୨.୫ କିମି ରାସ୍ତାର ପ୍ରଶସ୍ତୀକରଣ କାର୍ଯ୍ୟ। ନିର୍ମାଣ କାର୍ଯ୍ୟ ସରୁ ନ ଥିବାରୁ ଯାତାୟାତ ଘୋର ବାଧାପ୍ରାପ୍ତ ହେବା ସହିତ ଦୁର୍ଘଟଣା ବଢ଼ିଚାଲିଛି। ଗତ ପ୍ରାୟ ୩ ବର୍ଷ ମଧ୍ୟରେ ଏହି ରାସ୍ତାରେ ଦୁର୍ଘଟଣାରେ ପାଖାପାଖି ୬୫୦ ଜଣ ବ୍ୟକ୍ତିଙ୍କର ଜୀବନ ଗଲାଣି। ଠିକା ସଂସ୍ଥାର ଚରମ ଅବହେଳାକୁ ନେଇ ଜନ ଅସନ୍ତୋଷ ବଢୁଛି।

ଜାତୀୟ ରାଜପଥର ଉକ୍ତ ଅଂଶର ପ୍ରଶସ୍ତୀକରଣ ଓ ଛ’ଟିକିଆ ରାସ୍ତା ନିର୍ମାଣ ପାଇଁ ବ୍ରିଜଗୋପାଳ କନଷ୍ଟ୍ରକସନ ପ୍ରା.ଲି. ନାମକ ଠିକା କମ୍ପାନୀ ଚୁକ୍ତିବଦ୍ଧ ହୋଇଛି। କମ୍ପାନୀ ବହୁ ବିଳମ୍ବରେ କାର୍ଯ୍ୟ ଆରମ୍ଭ
କରିବା ସହ ନିର୍ଧାରିତ ସମୟ ସୁଦ୍ଧା ପ୍ରକଳ୍ପ କାମ ସାରିବା ନେଇ ତତ୍ପର ହୋଇ ନାହିଁ। ଏହି ପ୍ରକଳ୍ପରେ ଅଧୀନ ଉତ୍ତରେଶ୍ୱର ଗଳା ପୋଲ ସମେତ ଅନ୍ୟ କେତେକ ପୋଲର ପ୍ରଶସ୍ତୀକରଣ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇନାହିଁ। ରାସ୍ତା ନିର୍ମାଣ କାମ ଶୀଘ୍ର ସରିବା ପାଇଁ ବାରମ୍ବାର ଦାବି ହୋଇଥିଲେ ସୁଦ୍ଧା କମ୍ପାନୀ ଉଦାସୀନ ରହିଛି। ଅନ୍ୟପକ୍ଷରେ ଡାଇର୍ଭସନଗୁଡ଼ିକ ଠିକ୍ ଭାବେ କରାଯାଇ ନ ଥିବାରୁ ଅଧିକ ବିପଦ ସୃଷ୍ଟି ହେଉଛି। ଏହି ସବୁ ସ୍ଥାନରେ ନିୟମ ଅନୁସାରେ ସଙ୍କେତ ଦିଆ ନ ଯିବା ଫଳରେ ବାରମ୍ବାର ଦୁର୍ଘଟଣା ଘଟିଚାଲିଛି।

- Advertisement -

ବାଲେଶ୍ୱର ଆରକ୍ଷୀ ଅଧୀକ୍ଷକଙ୍କ ସୂଚନାନୁସାରେ, ଏହି ରାସ୍ତାରେ ଗତ ୩/୪ ବର୍ଷରେ ମୋଟ ୬୫୦ରୁ ଅଧିକ ବ୍ୟକ୍ତିଙ୍କର ଜୀବନ ଯାଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ସୋର ନିକଟରେ ଯାତାୟାତରେ ଅତି ଗୁରୁତ୍ବପୂର୍ଣ୍ଣ ଭୂମିକା ଥିବା ଉତ୍ତରେଶ୍ୱର ଗଳା ପୋଲର ପୁନଃ ନିର୍ମାଣ ପାଇଁ ୩୧.୧୨.୨୧ରେ ପ୍ରକଳ୍ପ ମଞ୍ଜୁର ହୋଇଥିଲା। ଏଥିପାଇଁ ପୁରୁଣା ଗଳା ପୋଲକୁ ଭାଙ୍ଗି ଦିଆଗଲା। ସେଠାରେ ୭୮ ଫୁଟ ଓସାର ଏବଂ ୧୮ ଫୁଟ ଉଚ୍ଚତା ବିଶିଷ୍ଟ ପୋଲ ନିର୍ମାଣ ପାଇଁ ବାଲେଶ୍ୱର ଜାତୀୟ ରାଜପଥ ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ କାର୍ଯ୍ୟାଦେଶ ଦିଆଯାଇଥିଲା; ମାତ୍ର କାର୍ଯ୍ୟାରମ୍ଭ ହୋଇ ନାହିଁ।

କମ୍ପାନୀର ଦାୟିତ୍ୱହୀନତା ସମ୍ପର୍କରେ ମାନବିକ ଅଧିକାର କର୍ମୀ ଶୁଭ୍ରାଂଶୁ ଶେଖର ଆର୍ଯ୍ୟ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼଼କରୀ, ବିଭାଗୀୟ ସଚିବ ଓ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଅଧ୍ୟକ୍ଷଙ୍କୁ ଲିଖିତ ଅଭିଯୋଗ କରିଛନ୍ତି। ସେହିପରି ରାସ୍ତା କାର୍ଯ୍ୟ ତ୍ୱରାନ୍ୱିତ କରିବା ଓ ତୁରନ୍ତ ଉତ୍ତରେଶ୍ୱର ଗଳା ପୋଲ ନିର୍ମାଣ କରିବା ପାଇଁ ସୋର ନାଗରିକ ମଞ୍ଚ ତରଫରୁ ୧୧.୮.୨୦୨୪ରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼଼କରୀଙ୍କ ନିକଟକୁ ପତ୍ର ଲେଖାଯାଇଥିଲା। ଏଥିପାଇଁ ମଞ୍ଚ ପକ୍ଷରୁ ମଧ୍ୟ ଆନ୍ଦୋଳନର ଡାକରା ଦିଆଯାଇଥିଲା। ଜିଲାପାଳଙ୍କ ପ୍ରତିଶ୍ରୁତି ପରେ ଏହା ସ୍ଥଗିତ ରହିଥିଲା। ଏହାସତ୍ତ୍ବେ ଆଜି ପର୍ଯ୍ୟନ୍ତ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories