www.samajalive.in
Sunday, December 14, 2025
23.1 C
Bhubaneswar

ଭାରତ ପ୍ରତି ତୁର୍କୀର ମନ ବଦଳିଲାଣି; ଜାତିସଂଘରେ କାଶ୍ମୀର ପ୍ରସଙ୍ଗ ଉଠାଇଲେନି ଏର୍ଦୋଗାନ

ନ୍ୟୁୟର୍କ: ତୁର୍କୀ ରାଷ୍ଟ୍ରପତି ତାଇପ୍‌ ଏର୍ଦୋଗାନଙ୍କ ଜାତିସଂଘ ଭାଷଣରେ ବଡ ବ୍ୟତିକ୍ରମ ଦେଖାଯାଇଛି। ଯାହା ପାକିସ୍ତାନକୁ କ୍ଷୁବ୍ଧ କରିଛି। ଗୁରୁବାର ନ୍ୟୁୟର୍କରେ ଆୟୋଜିତ ଜାତିସଂଘ ସାଧାରଣ ପରିଷଦ (ୟୁଏନଜିଏ)ର ୭୯ତମ ବୈଠକରେ ଏର୍ଦୋଗାନ ଭାଷଣ ଦେବାବେଳେ କାଶ୍ମୀର ପ୍ରସଙ୍ଗ ଉଠାଇ ନାହାନ୍ତି। ଯାହାକୁ ନେଇ ପାକିସ୍ତାନ ସହିତ ଭାରତ ଆଶ୍ଚର‌୍ୟ୍ୟ ପ୍ରକାଶ କରିଛନ୍ତି। କାରଣ ଏର୍ଦୋଗାନ ଗତ ୫ବର୍ଷ ହେଲା ଜାତିସଂଘରେ ଜାମ୍ମୁ-କାଶ୍ମୀର ପ୍ରସଙ୍ଗ ଉଠାଇ ଆସୁଥିଲେ। ୨୦୧୯ରେ ଜାମ୍ମୁ-କାଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ପରେ ଏର୍ଦୋଗାନ ନିୟମିତ ଭାବେ ୟୁଏନଜିଏର ଅଧିବେଶନରେ କାଶ୍ମୀର ପ୍ରସଙ୍ଗ ଉଠାଇ ଆସୁଥିଲେ। କାଶ୍ମୀର ପ୍ରସଙ୍ଗରେ ଦୁଇଦେଶ ମଧ୍ୟରେ କଥାବାର୍ତ୍ତାକୁ ସେ ଗୁରୁତ୍ବ ଦେଇ ଆସୁଥିଲେ। ମାତ୍ର ଚଳିତ ୟୁଏନଜିଏ ବୈଠକରେ ଏର୍ଦୋଗାନ କାଶ୍ମୀର ପ୍ରସଙ୍ଗ ପରିବର୍ତ୍ତେ ପଲେଷ୍ଟାଇନର ଗାଜାରେ ସୃଷ୍ଟି ହୋଇଥିବା ଦୁରବସ୍ଥା ବିଷୟରେ ବିଶ୍ବନେତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ୟୁଏନଜିଏରେ ଏର୍ଦୋଗାନ କାଶ୍ମୀର ପ୍ରସଙ୍ଗ ନ ଉଠାଇବାକୁ ଭାରତ ନିଜର କୂଟନୈତିକ ବିଜୟ ବୋଲି କହୁଥିବାବେଳେ ପାକିସ୍ତାନ ଏହାକୁ ନେଇ ଉଦ୍‌ବେଗ ପ୍ରକାଶ କରିଛି।

ତେବେ ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ମମତାଜ୍ ଜାହୋରା ବାଲୋଚ କହିଛନ୍ତି ଯେ ଆମେ କାହାର ମନ୍ତବ୍ୟ ଉପରେ ଅନଧିକାର ହସ୍ତକ୍ଷେପ କରିବା ଠିକ୍ ନୁହେଁ। ବାଲୋଚ କହିଛନ୍ତି ଯେ ଏର୍ଦୋଗାନ ୟୁଏନଜିଏରେ କାଶ୍ମୀର ପ୍ରସଙ୍ଗ ଉଠାଇ ନଥିଲେ ମଧ୍ୟ ପାକିସ୍ତାନ ପ୍ରତି ତାଙ୍କର ଆଭିମୁଖ୍ୟରେ କୌଣସି ପରିବର୍ତ୍ତନ ହୋଇ ନାହିଁ। ଆହୁରି ଜଣାଯାଇଛି ଯେ ୟୁଏନଜିଏ ବୈଠକ ଅବସରରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ସହିତ ଏର୍ଦୋଗାନଙ୍କ ଦ୍ବିପାକ୍ଷିକ କଥାବାର୍ତ୍ତା ହୋଇଥିଲା। ଏଥିରେ ମଧ୍ୟ କାଶ୍ମୀର ପ୍ରସଙ୍ଗ ସ୍ଥାନ ପାଇ ନଥିଲା। ଉଭୟଙ୍କ କଥାବାର୍ତ୍ତାରେ ଗାଜା ସମସ୍ୟା ସ୍ଥାନ ପାଇଥିଲା। ଆଲୋଚନା ପରେ ସରିଫ ସୋସିଆଲ ମିଡିଆରେ ବିଷୟବସ୍ତୁ ସମ୍ପର୍କରେ ପୋଷ୍ଟ କରିଥିଲେ। ଏହି ପୋଷ୍ଟରେ କାଶ୍ମୀର ପ୍ରସଙ୍ଗ ନଥିଲା। ଜାମ୍ମୁ-କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନ ଆନ୍ତର୍ଜାତିକସ୍ତରରେ ଭାରତ ବିରୋଧରେ ମିଥ୍ୟା ପ୍ରଚାର ଚଳାଇଆସୁଛି। ଭାରତ ସରକାର ଏହି ଅଭିଯୋଗକୁ ନିୟମିତ ଭାବେ ଖଣ୍ଡନ କରିଆସୁଛନ୍ତି। କାଶ୍ମୀର ପ୍ରସଙ୍ଗକୁ ଭାରତ ନିଜର ଆଭ୍ୟନ୍ତରୀଣ ବ୍ୟାପାର କରି ଆନ୍ତର୍ଜାତିକ ହସ୍ତକ୍ଷେପକୁ ଦୃଢତାର ସହିତ ପ୍ରତିବାଦ କରୁଛି। ୟୁଏନଜିଏରେ ଏର୍ଦୋଗାନ ପାକିସ୍ତାନ ପ୍ରସଙ୍ଗ ନ ଉଠାଇବାର ଅନ୍ୟତମ କାରଣ ହେଉଛି ତୁର୍କୀ ଏବେ ନିଜକୁ ଆନ୍ତର୍ଜାତିକ ସଂଗଠନରେ ସାମିଲ କରିବାକୁ ମନବଳାଇଛି। ବିଶେଷକରି ବ୍ରିକ୍ସ ରାଷ୍ଟ୍ରଗୋଷ୍ଠୀରେ ସାମିଲ ହେବାକୁ ତୁର୍କୀ ଆଗ୍ରହ ପ୍ରକାଶ କରିଛି। ଏଥିପାଇଁ ତୁର୍କୀ ବ୍ରିକ୍ସର ପ୍ରଭାବଶାଳୀ ରାଷ୍ଟ୍ର ଭାରତର ସହଯୋଗ ଲୋଡିଛି।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories