ତଦନ୍ତରେ ଗଲେ କାର୍ଯ୍ୟାଳୟରେ ପଡୁଛି ତାଲା

ଗୁରୁଡ଼ିଝାଟିଆ: କ୍ଷମତାର ବିକେନ୍ଦ୍ରିକରଣ କରି ଜନସାଧାରଣଙ୍କୁ ହାତ ପାହାନ୍ତାରେ ସୁବିଧା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ପଞ୍ଚାୟତରେ ଉପଲବ୍ଧ କରିଛନ୍ତି ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ। ଏହାଦ୍ୱାରା ଲୋକମାନେ ଆଉ ଦୂରଦୂରାନ୍ତକୁ ନଦୌଡି ଦାଖଲ ଖାରଜ, ଜମିଜମା ମାପ, ବିଭିନ୍ନ ଜାତି, ଆବାସିକ ଓ ଆୟ ପ୍ରମାଣପତ୍ର ହାତ ପାହାନ୍ତାରେ ପାଇପାରୁଛନ୍ତି। ହେଲେ ଆଠଗଡ଼଼ ତହସିଲରେ ଏମିତି କେତେକ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ରହିଛି ଯେଉଁଠାରେ କର୍ମଚାରୀ ମରୁଡ଼ି ଦେଖାଦେଇଛି। ଯାହର ଉଦାହରଣ ଖୁଣ୍ଟୁଣୀ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ। ଏହା ଅଧିନରେ ଖୁଣ୍ଟୁଣୀ, କଣ୍ଡରେଇ, ରାଧାକୃଷ୍ଣପୁର, ଡାଳଭାଗ ଆଦି ପଞ୍ଚାୟତର ୧୮ଟି ରାଜସ୍ୱ ଗ୍ରାମ ରହିଅଛି। ହେଲେ ରାଜସ୍ୱ ନିରୀକ୍ଷକଙ୍କୁ ଛାଡିଦେଲେ କାର୍ଯ୍ୟାଳୟରେ କୌଣସି କର୍ମଚାରୀ ନାହାନ୍ତି। ଯାହାଫଳରେ କି କାର୍ଯ୍ୟାଳୟ ଖୋଲିବା, ଝାଡୁକରିବା ଠାରୁ ସମସ୍ତ ସରକାରୀ କାର୍ଯ୍ୟ ଏପରିକି ଅଧିକାଂଶ ସମୟରେ ବିଭିନ୍ନ ଗାଁ ମାନଙ୍କରେ ରାଜସ୍ୱ ସଂପର୍କିତ ଅନୁସନ୍ଧାନ ପାଇଁ ରାଜସ୍ୱ ନିରୀକ୍ଷକ ଗଲାବେଳେ କାର୍ଯ୍ୟାଳୟରେ ପଡୁଛି ଚାବି। ଯାହାଫଳରେ କି ଅନେକ ସମୟରେ ଜନସାଧାରଣ ଅପେକ୍ଷା କରିବାକୁ ପଡୁଛି ଅବା ତ୍ୱରିତ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି। ସରକାରୀ ନିୟମ ମୁତାବକ ରାଜସ୍ୱ ନିରୀକ୍ଷକଙ୍କ ସହିତ ସହକାରୀ ରାଜସ୍ୱ ନିରୀକ୍ଷକ, ଅମିନ ଓ ଜଣେ ୪ର୍ଥଶ୍ରେଣୀ କର୍ମଚାରୀ ନିଯୁକ୍ତି ହେବା କଥା। ହେଲେ ଏଠାରେ ବ୍ୟତିକ୍ରମ ଦେଖାଦେଇଛି। ଯାହାଫଳରେ କି ନିଜେ ରାଜସ୍ୱ ନିରୀକ୍ଷକ ଏକଲା କାର୍ଯ୍ୟାଳୟରେ କାର୍ଯ୍ୟକରିବା ସହ କ୍ଷେତ୍ରୀୟ ତଦନ୍ତକାମ କରୁଛନ୍ତି। ତେଣୁ ତୁରନ୍ତ ଏଠାରେ ଅନ୍ୟାନ୍ୟ କର୍ମଚାରୀଙ୍କୁ ନିଯୁକ୍ତି ପାଇଁ ସାଧାରଣରେ ଦାବି ହୋଇଛି। ପ୍ରକାଶଯୋଗ୍ୟ ଏ ସଂପର୍କରେ ଆଠଗଡ଼଼ ଉପଖଣ୍ଡ ପ୍ରଶାସନ ଜାଣିଥିଲେ ମଧ୍ୟ ତୁରନ୍ତ ପଦକ୍ଷେପ ନେଉନଥିବାରୁ ଅସନ୍ତୋଷ ଦେଖାଦେଇଛି।

Comments are closed.